ଝାଡ଼ଖଣ୍ଡରେ 'ମହା' ଝଟକା ପରେ ଦିଲ୍ଲୀରେ ଝାଡ଼ୁ ପାହାର
Advertisement

ଝାଡ଼ଖଣ୍ଡରେ 'ମହା' ଝଟକା ପରେ ଦିଲ୍ଲୀରେ ଝାଡ଼ୁ ପାହାର

ସବୁ ଖେଳ ବିଗାଡ଼ିଦେଲେ 'ଶିବ ସୈନିକ' !

ଡିଜାଇନ ଫଟୋ

ନୂଆଦିଲ୍ଲୀ: ୨୦୨୦ବି ଆରମ୍ଭ ହେଲା ପରାଜୟରୁ । ୨୩ ଡିସେମ୍ବରର ସେହି ଝାଡ଼ଖଣ୍ଡ ଝଟକାକୁ ଦିଲ୍ଲୀ ବାଲିସେକ ହିଁ ଦେଲା । ଜେଜେପି ସହ ମେଣ୍ଟ କରି ହରିୟାଣା ଦୁର୍ବଳତାକୁ ଲୁଚେଇବାରେ ସଫଳ ହୋଇଥିବା ବିଜେପି ପରବର୍ତ୍ତୀ ସମୟରେ କେବଳ ପରାଜୟକୁ ହିଁ ସାମ୍ନା କରୁଛି । ମହାରାଷ୍ଟ୍ର ଗଲା, ଝାଡ଼ଖଣ୍ଡ ଗଲା । ଶେଷରେ ଦିଲ୍ଲୀ ବି ନୋହିଲା । ଅଧୁରା ରହିଗଲା ରାଜଧାନୀ ଦଖଲ ସ୍ୱପ୍ନ । ଆଉ ଏହି ସ୍ୱପ୍ନ ପୂରା ହେବ ବୋଲି କାହିଁ ମନେ ବି ହେଉନି !

ଅବ୍ କି ବାର, ୩ ଶହ ପାର୍ । ଏହି ନାରା ଦେଇ ୨୦୧୯ ସାଧାରଣ ନିର୍ବାଚନକୁ ଓହ୍ଲାଇଥିଲା ବିଜେପି । ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲା । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୭ ଆସନ ପାଇ ସରକାର ଗଢ଼ିଥିବା ଆପ୍ ମଧ୍ୟ ସାଧାରଣ ନିର୍ବାଚନରେ ସଫା ହୋଇଯାଇଥିଲା । ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନକୁ ପୋଛି ନେଇଥିଲା ବିଜେପି । ସେହି ସମୟରେ ମନେ ହେଉଥିଲା, ଆପ୍ ଆଉ ହେବନି । ହେଲେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ଥରେ କମାଲ କରିଛି ଆମ୍ ଆଦମୀ ପାର୍ଟି । ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ ଯେ ଦିଲ୍ଲୀ ଲୋକଙ୍କ ପସନ୍ଦ, ଏକଥା ପୁଣିଥରେ ପ୍ରମାଣିତ କରିଛି ଦଳ ।

ଭାତହାଣ୍ଡିରୁ ଗୋଟିଏ ଭାତ ଦେଖି ଯେମିତି ପରଖି ହୁଏ, ଠିକ୍ ସେହିପରି ଦିଲ୍ଲୀ ସମେତ ନିକଟ ଅତୀତରେ ହୋଇଥିବା ରାଜ୍ୟ ଗୁଡ଼ିକର ନିର୍ବାଚନ ଫଳାଫଳରୁ ବିଜେପିର ଭାଗ୍ୟ ଭବିଷ୍ୟତ ଏକ ପ୍ରକାର ସ୍ଥିର ହେବାରେ ଲାଗିଛି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଜେପି ସରକାର ଗଢ଼ିବାରେ ଫେଲ୍ ହୋଇଥିଲା।ତେଣୁ, ଏହାରି ପ୍ରଭାବ ହିଁ ଦିଲ୍ଲୀ ଉପରେ ପଡ଼ିବା ସ୍ୱାଭାବିକ । ସାଧାରଣ ନିର୍ବାଚନରେ ସଫା ହୋଇଯାଇଥିବା ଆପ୍ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦେଖି ବଳ ପାଇଥିଲା । ବିଜେପିକୁ ଲୋକସଭା ନିର୍ବାଚନରେ ସାମ୍ନା କରିପାରି ନ ଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ସାମ୍ନା କରିବା ସମ୍ଭବ, ଆପ୍ ଭିତରେ ଏପ୍ରକାର ଆତ୍ମବିଶ୍ୱାସ ସୃଷ୍ଟି ହୋଇଥିଲା । ଆଉ ଏଥିରେ ସଫଳ ମଧ୍ୟ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । 

fallback

ସାଧାରଣ ନିର୍ବାଚନ ପରେ ହୋଇଥିଲା ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ । ଆଉ ମହାରାଷ୍ଟ୍ର ଜନତା ମଧ୍ୟ ବିଜେପି-ଶିବସେନା ମେଣ୍ଟ ଉପରେ ଭରସା କରିଥିଲେ । ଯଦିଓ ହରିୟାଣାରେ ବିଜେପିର ଆସନ କମିଥିଲା, ତାହା ଏତେ ଗୁରୁତ୍ୱ ବହନ କରୁ ନ ଥିଲା । ହେଲେ ମହାରାଷ୍ଟ୍ରରେ ଜନସମର୍ଥନ ପାଇ ମଧ୍ୟ କ୍ଷମତା ଦଖଲ କରିପାରି ନ ଥିଲା ବିଜେପି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ସହ ଝଗଡା ହେବା ଏବଂ ଶିବସେନା ବିକଳ୍ପ ସରକାର ଗଢ଼ିବା ଘଟଣା ବିଜେପି ପାଇଁ ଦିନେ ମହଙ୍ଗା ସାବ୍ୟସ୍ତ ହୋଇଛି । ଝାଡ଼ଖଣ୍ଡ ପରେ ଦିଲ୍ଲୀରେ ମଧ୍ୟ ଦଳ ଆଣ୍ଠେଇଛି । 

କାହିଁକି ନା 'ମହା' ନାଟକ ପରେ ଆଞ୍ଚଳିକ ଦଳଗୁଡ଼ିକ ପାଖକୁ ଭିନ୍ନ ଏକ ବାର୍ତ୍ତା ଗଲା । ଅନ୍ୟପଟେ ବିଜେପି ଝାଡ଼ଖଣ୍ଡରେ ନିଜ ଶିଙ୍ଘରେ ହିଁ ମାଟି ତାଡ଼ିବ ବୋଲି ଭାବିନେଲା । ହେଲେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟକୁ ସାମ୍ନା କରିପାରିଲା ନାହିଁ । ପୂରା ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ, ବିଜେପି ନିକଟରେ ଆତ୍ମଗର୍ବ ଭରି ରହିଛି ! 

fallback

ଏହି ତମାମ ଘଟଣାରୁ ଆପ୍ ବହୁତ କିଛି ଶିଖି ନେଇଥିଲା । ହେଲେ ବିଜେପି ବାରମ୍ବାର ଫେଲ୍ ହେବା ସତ୍ତ୍ୱେ ନିଜ ରଣକୌଶଳରେ କୌଣସି ପରିବର୍ତ୍ତନ ଆଣି ନ ଥିଲା । ବ୍ରାଣ୍ଡ ମୋଦି ଓ ସିଏଏ ଭଳି ଜାତୀୟ ମୁଦ୍ଦାକୁ ହିଁ ଗେରୁଆ ଦଳ ଭରସା କଲା । କିନ୍ତୁ ବିକାଶ ଉପରେ ଗୁରୁତ୍ୱ ଦେଉଥିବା କେଜ୍ରିୱାଲ ଓ ତାଙ୍କ ଦଳ ନିଜ ନୀତି ଆଦର୍ଶରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା, ଯାହା ଦଳକୁ ଆଜି ବିଜୟର ସ୍ୱାଦ ଚଖାଇଛି । ସେହିପରି ଦେଶର ରାଜଧାନୀର ଭୋଟର ମଧ୍ୟ ଶିକ୍ଷିତ । ତେଣୁ, ସେମାନଙ୍କ ଉପରେ କାଶ୍ମୀର କିମ୍ୱା ସିଏଏ ଭଳି ଜାତୀୟ ମୁ୍ଦ୍ଦାର କୌଣସି ମାଇନା ନ ଥିଲା । ତେଣୁ, ସେମାନେ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କ ଉପରେ ଭରସା କଲେ । ଆଉ ପୁଣି ଥରେ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ନିଜର ନେତା ରୂପେ ବାଛିଲେ ।

ଆହୁରି ପଢ଼ନ୍ତୁ; NDAକୁ ଦୋହଲାଇ ଦେବ ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତି !