NDAକୁ ଦୋହଲାଇ ଦେବ ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତି !
Advertisement
Article Detail0/zeeodisha/odisha638239

NDAକୁ ଦୋହଲାଇ ଦେବ ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତି !

୨୦୧୫ରେ ଏହି ମୁଦ୍ଦାକୁ ଉଠାଇ ବେଶ ଜନ ସମର୍ଥନ ହାସଲ କରିଥିଲା ଆରଜେଡି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଏବେ ବିହାର ଏନଡିଏ ନେତାଙ୍କ ନିଦ ହଜିଯାଇଛି । ତେବେ ଏହାର କାରଣ ଦିଲ୍ଲୀ ଏକଜିଟ ପୋଲ ଫଳ ନୁହେଁ । ଚିନ୍ତାର କାରଣ ହେଉଛି ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଗତ ସପ୍ତାହରେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ଦେଶର ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ । ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ମୌଳିକ ଅଧିକାର ନୁହେଁ ବୋଲି ସଫା ସଫା କହିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଏହାକୁ ନେଇ ବିହାର ରାଜନୀତି ସରଗରମ । 

ଶୁକ୍ରବାର ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ, ସରକାରୀ ଚାକିରି ଏବଂ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ମୌଳିକ ଅଧିକାର ପରସରଭୁକ୍ତ ନୁହେଁ । ରାଜ୍ୟକୁ ସଂରକ୍ଷଣ ପାଇଁ ବାଧ୍ୟ କରାଯାଇପାରିବନି । ରାଜ୍ୟ ସରକାର ନିଜ ବିବେକ ଅନୁଯାଇ ସଂରକ୍ଷଣ ଲାଗୁ କରିପାରିବେ । ତେବେ ଏହାକୁ ନେଇ ଏବେ ବିହାର ଏନଡିଏ ଭିତରେ ଆମ୍ନା ସାମ୍ନା ପରିସ୍ଥିତି । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ଏନଡିଏର ୨ ସହଯୋଗୀ ଦଳ ଜେଡିୟୁ ଏବଂ ଏଲଜେପି ଅସନ୍ତୋଷ ପ୍ରକାଶ କରିଛନ୍ତି ।  

କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ପୁନଃବିଚାର ଆବେଦନ କରିବା ପାଇଁ ଉଭୟ ଦଳ ଦାବି କରିଛନ୍ତି । ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ଏଲଜେପି ସନ୍ତୁଷ୍ଟ ନୁହେଁ । ସମ୍ବିଧାନ ଅନୁସାରେ ସଂରକ୍ଷଣ ଦେବାକୁ ଏଲଜେପି କେନ୍ଦ୍ର ସରକାରଙ୍କ ପାଖରେ ଦାବି କରୁଛି ବୋଲି ସେ କହିଛନ୍ତି । 

୨୦୧୫ରେ ଏହି ମୁଦ୍ଦାକୁ ଉଠାଇ ବେଶ ଜନ ସମର୍ଥନ ହାସଲ କରିଥିଲା ଆରଜେଡି । ଆଉ ଏବେ କୋର୍ଟଙ୍କ ନିଷ୍ପତ୍ତି ପରେ ପୁଣିଥରେ ଏନଡିଏ ଉପରେ ହମଲା କରୁଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଏନଡିଏ ସରକାର ଦେଶର ସଂରକ୍ଷଣ ବନ୍ଦ କରିବା ପାଇଁ କାହିଁକି ଉଦ୍ୟମ କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ତେଜସ୍ୱୀ । ବିଜେପି ଶାସିତ ଉତ୍ତରାଖଣ୍ଡ ସରକାର ସଂରକ୍ଷଣ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଘଟଣା ହିଁ ଏହା ଦର୍ଶାଉଛି ବୋଲି ସେ କହିଛନ୍ତି । ମୋଟାମୋଟି ଭାବେ ବିହାରରେ ବିଜେପି ସହ ମିଶି ସରକାର ଗଢ଼ିଥିବା ଜେଡିୟୁକୁ ଘେରିବା ପାଇଁ ଆରଜେଡିକୁ ମୌକା ମିଳିଯାଇଛି । 

ଆହୁରି ପଢ଼ନ୍ତୁ; ଶାହୀନ ବାଗ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ଜବାବ ତଲବ