ଶାହ ରଣନୀତି ଆଗରେ କଂଗ୍ରେସ ଚିତପଟାଙ୍ଗ, ହରିୟାଣାରେ ପୁଣି ଖଟ୍ଟର
Advertisement

ଶାହ ରଣନୀତି ଆଗରେ କଂଗ୍ରେସ ଚିତପଟାଙ୍ଗ, ହରିୟାଣାରେ ପୁଣି ଖଟ୍ଟର

ହରିୟାଣାରେ ସରକାର ଗଠନ ପାଇଁ ପଥ ପ୍ରସ୍ତୁତ କଲା ବିଜେପି । ସଫଳ ହୋଇଛି ଅମିତ ଶାହଙ୍କ ରଣନୀତି । ଜେଜେପି ଅଧ୍ୟକ୍ଷ ଦୁଷ୍ମନ୍ତ ଚୌଟାଲାଙ୍କ ସହ ଆଲୋଚନା ପରେ ରାଜ୍ୟରେ ବିଜେପି-ଜେଜେପି ସରକାର ଗଠନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଶାହ । ଏପଟେ କଂଗ୍ରେସ କହିଛି, ଆମେ ବି ସରକାର ଗଠନ ପାଇଁ ପ୍ରୟାସ ଜାରି ରଖିଛୁ । ବିଜେପିକୁ ବିପଦ ହେବ ସ୍ୱାଧୀନ ବିଧାୟକଙ୍କ ସମର୍ଥନ । 

ବିଜେପି-ଜେଜେପି ସାମ୍ବାଦିକ ସମ୍ମିଳନୀ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଠନ ପାଇଁ ପଥ ପ୍ରସ୍ତୁତ କଲା ବିଜେପି । ସଫଳ ହୋଇଛି ଅମିତ ଶାହଙ୍କ ରଣନୀତି । ଜେଜେପି ଅଧ୍ୟକ୍ଷ ଦୁଷ୍ମନ୍ତ ଚୌଟାଲାଙ୍କ ସହ ଆଲୋଚନା ପରେ ରାଜ୍ୟରେ ବିଜେପି-ଜେଜେପି ସରକାର ଗଠନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଶାହ । ଏପଟେ କଂଗ୍ରେସ କହିଛି, ଆମେ ବି ସରକାର ଗଠନ ପାଇଁ ପ୍ରୟାସ ଜାରି ରଖିଛୁ । ବିଜେପିକୁ ବିପଦ ହେବ ସ୍ୱାଧୀନ ବିଧାୟକଙ୍କ ସମର୍ଥନ । 

ଦୀପାବଳି ପରେ ଶପଥ ଗ୍ରହଣ ଉତ୍ସବ ହେବ । ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ  ମନୋହର ଲାଲ ଖଟ୍ଟର । ରାଜ୍ୟ ବିଜେପି ପ୍ରଭାରୀ ଅନୀଲ ଜୈନ ଏହି ସୂଚନା ଦେଇଛନ୍ତି । ତେବେ ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ଜଣାପଡିଛି । ୯୦ରୁ ୪୦ ଆସନରେ ବିଜୟୀ ହୋଇ ରାଜ୍ୟର ସର୍ବବୃହତ୍ତ ଦଳର ମାନ୍ୟତା ପାଇଥିଲେ ବି ବିଜେପି ମ୍ୟାଜିକ ନମ୍ବର ୪୬ ଠାରୁ ଦୂରରେ ରହିଛି । ବିଜେପିକୁ ଜେଜେପିର ସମର୍ଥନ ମିଳିଥିବା ବେଳେ ୯ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅନୀଲ ଜୈନ ଦାବି କରିଛନ୍ତି ।

ରାଜ୍ୟରେ ସରକାର ଗଠନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ । ଶନିବାର ବିଧାୟକ ଦଳ ବୈଠକ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ଖଟ୍ଟର ।  ବିଜେପିକୁ ସ୍ୱାଧୀନ ବିଧାୟକ  ସୋମବୀର ସାଙ୍ଗୱାନ, ରଣଧୀର ସିଂହ ଗୋଲନ, ଧର୍ମପାଲ ଗୋନ୍ଦର, ବଳରାଜ କୁଣ୍ଡୁ ଓ ନୟନପାଲ ରାୱତ ଲିଖିତ ସମର୍ଥନ ଦେଇଥିବାବେଳେ ରଣଜୀତ ଚୌଟାଲା ଓ ଗୋପାଳ କାଣ୍ଡା ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି ।  

ସେପଟେ ହରିୟାଣାରେ ସରକାର ଗଠନ ପାଇଁ କଂଗ୍ରେସ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି  । କଂଗ୍ରେସ ଏବେ ବି ହାର ମାନିନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି । ହେଲେ ବିଜେପିକୁ ସ୍ୱାଧୀନ ବିଧାୟକ ଓ ଜେଜେପିର ସମର୍ଥନ ପରେ ଦୁର୍ବଳ ହୋଇଛି କଂଗ୍ରେସ । ରାଜ୍ୟରେ ସରକାର ଗଢ଼ିବା ପାଇଁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷାଙ୍କ ବାସଭବନରେ ବୈଠକ ହୋଇଛି । ସୋନିଆଙ୍କ ସହ ବୈଠକ ପରେ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଥିବା କହିଛନ୍ତି ହୁଡ୍ଡା ।  ସ୍ୱାଧୀନ ବିଧାୟକଙ୍କ ସମର୍ଥନ ବିଜେପି ପାଇଁ କାଳ ହେବ ବୋଲି ସେ କହିଛନ୍ତି । ରାଜ୍ୟବାସୀ ମନୋହରଲାଲ ସରକାରଙ୍କୁ ଗ୍ରହଣ କରିନଥିବାବେଳେ ବିଜେପି ପୁଣିଥରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ବଡ଼ ଭୁଲ କରିଛି ବୋଲି କହିଛନ୍ତି କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡା ।