୮୦ଘଣ୍ଟା ମୁଖ୍ୟମନ୍ତ୍ରୀ ହେବା ପଛରେ କ'ଣ ଥିଲା ଅସଲ ଉଦ୍ଦେଶ୍ୟ ? ବିଜେପି ସାଂସଦ କଲେ ଖୁଲାସା
Advertisement

୮୦ଘଣ୍ଟା ମୁଖ୍ୟମନ୍ତ୍ରୀ ହେବା ପଛରେ କ'ଣ ଥିଲା ଅସଲ ଉଦ୍ଦେଶ୍ୟ ? ବିଜେପି ସାଂସଦ କଲେ ଖୁଲାସା

କାହିଁକି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଫଡନାଭିସ ? 

ଫାଇଲ ଫଟୋ

ନୂଆଦିଲ୍ଲୀ: କାହିଁକି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ ଫଡନାଭିସ । ଶରଦ ପାୱାରଙ୍କ ସମର୍ଥନରେ ସ୍ଥାୟୀ ସରକାର ଗଠନ କରିବାକୁ ସତରେ କ'ଣ ବିଜେପି ସ୍ୱପ୍ନ ଦେଖିଥିଲା ? ନା ଦଳ ଭଲରେ ଜାଣିଥିଲା ଯେ ଏହା ଏକ ଦିବା ସ୍ୱପ୍ନ ? ଯଦି ଜାଣିଥିଲା, ତେବେ କାହିଁକି ବହୁମତ ନଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ ? ୪ ଦିନିଆ ମୁଖ୍ୟମନ୍ତ୍ରୀ ହୋଇ ସେ ପାଇଥିଲେ କ'ଣ ? ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ ଏନେଇ ଚମକାଇଦେଲା ପରି ବୟାନ ଦେଇଛନ୍ତି । 

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହେଗଡେ କହିଛନ୍ତି, ''ମଧ୍ୟରାତ୍ରୀରେ ଏନସିପି ନେତା ଶରଦ ପାୱାରଙ୍କ ସହ ମିଶି ସକାଳୁ ସରକାର ଗଢିବା ପଛରେ ବିଜେପିର ଅନ୍ୟ ଏକ କାରଣ ରହିଛି । ରାଜ୍ୟ ପାଖରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା ।  ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଢିଲେ ଏହି ଟଙ୍କାର ଦୂରୁପଯୋଗ ହେବ, ଏମିତି କିଛି ଆଶଙ୍କା କରିଥିଲା ବିଜେପି । ତେଣୁ ଏହି ଟଙ୍କାକୁ ଠିକଣା ଜାଗାରେ ପହଞ୍ଚାଇବା ପାଇଁ ଫଡନାଭିସ ଏପରି ନିଷ୍ପତ୍ତି ନେଇଥିଲେ ।''

fallback

ହେଗଡେ ସ୍ପଷ୍ଟ କରିଛନ୍ତି ଯେ 'ମହା' ନିର୍ବାଚନ ପରେ ଯେଉଁ ସ୍ଥିତି ଉପୁଜିଥିଲା, ବିଜେପି ସରକାର ଗଢିବା ସମ୍ଭବ ନଥିଲା । ଦଳ ଭଲ ଭାବରେ ଜାଣିଥିଲା, ଏଠି ସରକାର ଗଢିବା ଅସମ୍ଭବ । ତଥାପି ମଧ୍ୟ ସରକାର ଗଢିବାକୁ ପଡିଥିଲା । ଆଉ ଏହାରି ଭିତରେ ସେହି ୪୦ ହଜାର କୋଟି ଟଙ୍କା ଫଡନାଭିସ କେନ୍ଦ୍ରକୁ ଫେରାଇ ଦେବାରେ ମଧ୍ୟ ସଫଳ ହୋଇଥିବା ହେଗଡେ କହିଛନ୍ତି । 

କ'ଣ ଥିଲା ପୁରା ଘଟଣା ?

ନଭେମ୍ବର ୨୨ରେ ଏନସିପି, ଶିବସେନା ଓ କଂଗ୍ରେସ ମିଶି ସରକାର ଗଢିବା ପାଇଁ ଚୁଡାନ୍ତ ନିଷ୍ପତ୍ତି ନେଇଥିଲେ । ୨୩ ତାରିଖ ସକାଳୁ ରାଜ୍ୟପାଳଙ୍କ ପାଖରେ ତିନି ଦଳ ଏନେଇ ଦାବି କରିଥାନ୍ତେ । ସବୁକିଛି ଚୁଡାନ୍ତ ହୋଇଥିଲା । ହେଲେ ରାତାରାତି ବଦଳି ଯାଇଥିଲା ଚିତ୍ର । ଖବର କାଗଜରେ ଠାକରେ ଏବଂ ଟିଭିରେ ଫଡନାଭିସ ମୁଖ୍ୟମନ୍ତ୍ରୀ ହେବାର ଖବର । ଅର୍ଥାତ ମହାରାଷ୍ଟ୍ର ଜନତା ବିଛଣା ଛାଡିବା ପୂର୍ବରୁ ରାଷ୍ଟ୍ରପତି ଶାସନ ହଟି ସାରିଥିଲା । ଚା' ଆସିବା ଭିତରେ ଫଡନାଭିସ ମୁଖ୍ୟମନ୍ତ୍ରୀ ହୋଇ ସାରିଥିଲେ । 

କେମିତି ସମ୍ଭବ ହୋଇଥିଲା ?

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା । ମ୍ୟାଜିକ ନମ୍ବର ୧୪୫ । ବିଜେପିକୁ ମିଳିଛି ୧୦୫ ଆସନ । ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଶାଇଲେ ମଧ୍ୟ ୧୨୦ରୁ ଅଧିକ ହେବ ନାହିଁ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଠାରେ ବିଶ୍ୱାସ ଜନ୍ମାଇବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ଶେଷରେ ତତକାଳୀନ ଏନସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କୁ ହିଁ ଅସ୍ତ୍ର କରିଥିଲା ଦଳ । ଆଜିତଙ୍କ ପାଖରେ ଏନସିପିର ସମସ୍ତ ବିଧାୟକଙ୍କ ଦସ୍ତଖତ ଥିବା ସମର୍ଥନ ପତ୍ର ରହିଥିଲା । ତେଣୁ ଅଜିତଙ୍କ 'ପାୱାର'ରେ ସରକାର ଗଢିବାକୁ ବିଜେପି ରାଜ୍ୟପାଳଙ୍କ ପାଖରେ ଦାବି କରିଥିଲା । ସଙ୍ଗେ ସଙ୍ଗେ ରାଜଭବନରୁ ମଧ୍ୟ ଏନେଇ ଗ୍ରୀନ ସିଗନାଲ ମିଳିଥିଲା । 

ମାତ୍ର ୮୦ ଘଣ୍ଟା ମଧ୍ୟରେ ଏହି ସରକାର ଭାଙ୍ଗି ଯାଇଥିଲା ସତ । ହେଲେ ବିଜେପି ଯାହା ଚାହୁଁଥିଲା, ତାହା କରିବାରେ ସଫଳ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେଙ୍କ ବୟାନରୁ ଏକଥା ସ୍ପଷ୍ଟ ହେଉଛି ।

ଆହୁରି ପଢନ୍ତୁ; ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା'