ପଦ ଛାଡିନାହାଁନ୍ତି ହରିୟାଣା ବିଜେପି ମୁଖ୍ୟ, କହିଲେ ଇସ୍ତଫା ଖବର ମିଛ
Advertisement

ପଦ ଛାଡିନାହାଁନ୍ତି ହରିୟାଣା ବିଜେପି ମୁଖ୍ୟ, କହିଲେ ଇସ୍ତଫା ଖବର ମିଛ

ଇସ୍ତଫା ଖବର ଗୁଜବ କହିଲେ ହରିୟାଣା ବିଜେପି ମୁଖ୍ୟ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ହରିୟାଣାରେ ବର୍ତ୍ତମାନର ସ୍ଥିତି କହୁଛି, ହୋଇପାରେ ଝୁଲା ବିଧାନସଭା । ଖୋଦ ରାଜ୍ୟ ବିଜେପି ମୁଖ୍ୟ ସୁଭାଷ ବରାଲା ମଧ୍ୟ ପଛରେ ଚାଲିଛନ୍ତି । ଏନେଇ ବରାଲାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭର୍ତ୍ସନା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଗୁଜବ ବୋଲି ସେ କହିଛନ୍ତି । 

ଖବର ସରବରାହ ସଂସ୍ଥା ଏଏନଆଇର ସୂଚନା ମୁତାବକ, ବରାଲା ନିଜ ପଦରୁ ଇସ୍ତଫା ଦେଇନାହାଁନ୍ତି । ଇସ୍ତଫା ଖବର ଏକ ଉଡାକଥା ବୋଲି କହିଛନ୍ତି ଖୋଦ ହରିୟାଣା ବିଜେପି ମୁଖ୍ୟ । ଆଜି ହରିୟାଣାରେ ବିଜେପିର ଆଶାନୁରୂପକ ଫଳାଫଳା ହେଉନଥିବା ଦେଖି ନିଜକୁ ଦାୟୀ କରିଥିଲେ ବରାଲା । ପରବର୍ତ୍ତୀ ସମୟରେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଯାହା ଉପରେ ସ୍ପଷ୍ଟୋକ୍ତି ସେ ରଖିଛନ୍ତି । 

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ପରି ମନେ ହେଉନାହିଁ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପି ୩୮, କଂଗ୍ରେସ ୩୪ ଏବଂ ଜେଜେପି ୧୦ଟି ଆସନରେ ଆଗୁଆ ଚାଲିଛି । ତେବେ ଶେଷ ପର୍ଯ୍ୟନ୍ତ ଯଦି ଏହି ସ୍ଥିତି ଜାରି ରହେ, ତେବେ ହରିୟାଣାରେ ଝୁଲା ବିଧାନସଭା ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯିବ । 

ତେବେ ସମ୍ପର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ, ଜେଜେପି ଏବଂ ସ୍ୱାଧିନ ପ୍ରାର୍ଥୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପିକୁ ଗାଦିଚ୍ୟୁତ କରି ନୂଆ ସରକାର ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡା । 

ବର୍ତ୍ତମାନ ହରିୟାଣା ଓ ମହାରାଷ୍ଟ୍ରରେ ବିଜେପି ହାତରେ ଶାସନ କ୍ଷମତା ରହିଛି ।  ଅନ୍ୟପଟେ କଂଗ୍ରେସ କ୍ଷମତାରେ ଫେରିବାର ଆଶା ବାନ୍ଧି ବସିଛି । ଆଜିର ନିର୍ବାଚନ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଭବିଷ୍ୟତ ସ୍ଥିର କରିବ । 

ମହାରାଷ୍ଟ୍ରରେ ସର୍ବମୋଟ ୨୮୮ ବିଧାନସଭା ଆସନ ଓ ହରିୟାଣାରେ ୯୦ଟି ବିଧାନସଭା ଆସନ ରହିଛି । ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଏକାସାଙ୍ଗରେ ମତଦାନ ହୋଇଥିଲା । ମହାରାଷ୍ଟ୍ରରେ ୬୦।୪୬ ପ୍ରତିଶତ ଓ ହରିୟାଣାରେ ୬୫।୭୫ ପ୍ରତିଶତ ମତଦାନ ହୋଇଥିଲା ।