ବନ୍ଧୁକ ମୁନରେ ବିଲ୍ !
Advertisement
Article Detail0/zeeodisha/odisha608895

ବନ୍ଧୁକ ମୁନରେ ବିଲ୍ !

 ଗୋଟେପଟେ ଉତ୍ତର ପୂର୍ବ ଭାରତରେ ନାଗରିକତା ସଂଶୋଧନକୁ ବିରୋଧ କରି ବିରୋଧର ନିଆଁ ଜଳୁଥିବାବେଳେ ଅନ୍ୟପଟେ ଏହି ବିଲ୍ କୁ ପାଶ୍ କରିଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ସରକାର ।

ବନ୍ଧୁକ ମୁନରେ ବିଲ୍ !

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ଗୋଟେପଟେ ଉତ୍ତର ପୂର୍ବ ଭାରତରେ ନାଗରିକତା ସଂଶୋଧନକୁ ବିରୋଧ କରି ବିରୋଧର ନିଆଁ ଜଳୁଥିବାବେଳେ ଅନ୍ୟପଟେ ଏହି ବିଲ୍ କୁ ପାଶ୍ କରିଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଆସାମବାସୀଙ୍କୁ ଦମ୍ଭ ଦେଇଛନ୍ତି । କାଲି ବିଲ୍ ପାଶ୍ ହେବା କ୍ଷଣି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ତୁରନ୍ତ ଟ୍ୱିଟ୍ କରିଥିଲେ ।

ଏହି ବିଲ୍ ପ୍ରସଙ୍ଗ ଉଠିବା ଦିନଠାରୁ ଆସାମ, ମଣିପୁର, ତ୍ରିପୁରା, ଅଗରତାଲା ଆଦି ସ୍ଥାନରେ ପ୍ରବଳ ବିରୋଧ ଆରମ୍ଭ ହୋଇଥିଲା । କଲେଜ ପିଲାମାନେ ପରୀକ୍ଷା  ବର୍ଜନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଗୁୱାହାଟୀର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ହଟାଇ ଦିଆଯାଇଛି । କେବଳ ଏହି ବିରୋଧ  ଉତ୍ତର ପୂର୍ବ ଭାରତରେ ସୀମିତ ନାହିଁ । ଏହି ବିଲ୍ କୁ ବିରୋଧ କରି  ମହାରାଷ୍ଟ୍ର ଆଇଜି ଅବଦୁର ରେହମାନ ଇସ୍ତଫା ଦେଇଛନ୍ତି । କିନ୍ତୁ ତାଙ୍କର ନିରବ ବିରୋଧକୁ ବିଜେପି ଆଇଟି ସେଲ୍ ଭିଆରଏସର ଆଖ୍ୟା ଦେଇଛି ।

 ସେହିପରି ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି । ଯାହାର ଯେତେ ଏମର୍ଜେନ୍ସି ପଡ଼ିଲେ ବି ସିଏ ଆଉ ଇଣ୍ଟରନେଟ୍ ଆକ୍ସେସ୍ କରି ପାରିବ ନାହିଁ । ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସମୟରେ ସେଠାରେ ଇଣ୍ଟରନେଟ୍ ତୁରନ୍ତ ବନ୍ଦ କରି ଦିଆଯାଇଥିଲା । ଆଜି ଯାଏ ସେଠାରେ ଇଣ୍ଟରନେଟ୍ ବନ୍ଦ ରହିଛି । କାଁ ଭାଁ କେତେକ ସ୍ଥାନରେ ଇଣ୍ଟରନେଟ୍ ଚାଲୁଛି । ସେହିପରି ଆସାମରେ କେବଳ ଇଣ୍ଟରନେଟ୍ ବନ୍ଦ କରାଯାଇନି, ରେଳ ଚଳାଚଳ ବି ବନ୍ଦ କରାଯିବା ସହ ସେଠାରେ କର୍ଫ୍ୟୁ ଜାରି କରାଯାଇଛି ।

fallback 

ଖୋଦ୍ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି ବିଲକୁ ବିରୋଧ କରୁଥିଲେ । ଗୃହୀତ ନ କରାଇବାକୁ ଅନୁରୋଧ ବି କରୁଥିଲେ । ବିଜେପିର ସ୍ଥାନୀୟ ସଂଗଠନ ଗୁଡ଼ିକ ଏହି ବିଲ୍ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ବାରମ୍ୱାର ତାଗିଦ୍ ବି କରୁଥିଲେ । କିନ୍ତୁ ସେମାନେ ଭୁଲ୍ ଥିଲେ । ସେଥିପାଇଁ ସେମାନଙ୍କୁ ଖାତିର ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ବିଲ୍ ପାଶ୍ କରାଇ ନେଲେ ।

 ଦେଶ ପାଇଁ ଏହା କ୍ଷତିକାରକ ନା ଲାଭ, ସେକଥା ତ ଆପଣ ବିଚାର କରୁଥିବେ । ଶାନ୍ତି ଫେରାଇବାକୁ ହେଲେ ଇଣ୍ଟରନେଟ୍ ବନ୍ଦ କରିବା, ସେନା ମୁତୟନ କରିବା ଏବଂ କର୍ଫ୍ୟୁ ଲଗାଇବା ନିହାତି ଜରୁରୀ । ଏକଥା କାଶ୍ମୀର ବେଳେ ବି ଦେଖିବାକୁ ମିଳିଥିଲା ଆଉ ଏବେ ବି ଦେଖିବାକୁ ମିଳୁଛି । କାଶ୍ମୀରକୁ ବାକି ଭାରତରୁ ବିଚ୍ଛିନ୍ନ କରି ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ଆଉ ଏବେ ଉତ୍ତର ପୂର୍ବ ଭାରତକୁ ବାକି ଭାରତରୁ ବିଚ୍ଛିନ୍ନ କରାଯାଇଛି । ଅଧିକାଂଶ ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି, ସେନାବାହିନୀ ମୁତୟନ ହୋଇଛନ୍ତି । ଆଉ ଏସବୁ କେତେଦିନ ପର୍ଯ୍ୟନ୍ତ ଲାଗୁ ହେବ, ତାହା କେବଳ ସରକାରଙ୍କୁ ହିଁ ଜଣା । ହୋଇପାରେ ଦୁଇ ମାସ କିମ୍ୱା ଦୁଇ ବର୍ଷ ପାଇଁ ମଧ୍ୟ ଏଠାରେ କର୍ଫ୍ୟୁ ଲାଗି ପାରେ । ସେନାବାହିନୀ ମୁତୟନ ହୋଇ ପାରନ୍ତି । କିନ୍ତୁ ପ୍ରକୃତରେ କ'ଣ ଏହା ସମାଧାନର ରାସ୍ତା ? ଏକଥା ଆମେ କହୁନାହୁଁ, ଏ ପ୍ରଶ୍ନ ଉଠାଉଛନ୍ତି ଦେଶବାସୀ, ଏ ପ୍ରଶ୍ନ ଉଠାଉଛନ୍ତି କର୍ଫ୍ୟୁ ପୀଡ଼ିତ ଉତ୍ତର ପୂର୍ବ ଭାରତବାସୀ । ଏ ପ୍ରଶ୍ନ ଉଠାଉଛନ୍ତି ସେନା ବଳୟର ଚକ୍ରବ୍ୟୂହରେ ଅଭିମନ୍ୟୁ ସାଜିଥିବା ଲକ୍ଷାଧିକ ଆସାମ, ମଣିପୁର, ତ୍ରିପୁରାବାସୀ ।

fallback 

ସିଏବି ପାଶ୍ ପରର ସ୍ଥିତି ପୁଣି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କଥାକୁ ମନେ ପକାଇ ଦେଇଛି । ୩୭୦ ହଟାଇବା ପୂର୍ବରୁ ଜମ୍ମୁ କାଶ୍ମୀରରେ ମଧ୍ୟ ସେନା ମାର୍ଚ୍ଚପାଷ୍ଟ କରିଥିଲା । ବିଲ୍ ଆଗତ ଓ ପାରିତର ଚାରି ଦିନ ପୂର୍ବରୁ ଜମ୍ମୁ କାଶ୍ମୀରକୁ ଏକ ପ୍ରକାର ସିଲ୍ କରିଦିଆଯାଇଥିଲା । ତା'ପରେ ଯାହା ହେଲା, ସମସ୍ତେ ଜାଣିଛନ୍ତି । ଆଜି ବି ସେଠାରେ ସ୍ଥିତି ସାମାନ୍ୟ ହୋଇ ନାହିଁ । ସ୍ୱାଧୀନ ଭାରତରେ ସାମିଲ ହୋଇଥିବା ଜମ୍ମୁ କାଶ୍ମୀରରେ ଦେଶର ନେତାମାନେ ପରାଧୀନ ଭଳି ରହିଛନ୍ତି । ଆଉ ସେଠାର ଜନତା ବନ୍ଧୁକ ମୁନରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । ଏବେ ସମାନ ଅବସ୍ଥା ଉତ୍ତର ପୂର୍ବ ଭାରତବାସୀଙ୍କ ପାଇଁ । ଏହି ବିଲ୍ ଯାହା ସପକ୍ଷରେ ହେଉ କିମ୍ୱା ବିପକ୍ଷରେ, କିନ୍ତୁ  ଏହି ଲୋକମାନେ ବି ଜଳାପୋଡ଼ାର ହୁତାସନ ଭିତରେ ଏବେ ବି ଗତି କରୁଛନ୍ତି । ଆଉ ସେନା ମୁତୟନ ହେବା ପରେ ଏବେ ବନ୍ଧୁକ ମୁନରେ ଏମାନେ ବି ଦିନ କାଟୁଛନ୍ତି । ଆଉ କେତେଦିନ କାଟିବେ, ସେକଥା ସମୟ କହିବ ।