Delhi elections 2020: ଫେବ୍ରୁଆରୀ ୮ରେ ଭାଗ୍ୟ ପରୀକ୍ଷା, ୧୧ରେ ଫଳାଫଳ
Advertisement
Article Detail0/zeeodisha/odisha620564

Delhi elections 2020: ଫେବ୍ରୁଆରୀ ୮ରେ ଭାଗ୍ୟ ପରୀକ୍ଷା, ୧୧ରେ ଫଳାଫଳ

ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ...

ଫଟୋ ସୌଜନ୍ୟ: ଏଏନଆଇ

ପ୍ରଜ୍ଞାପାରମିତା ପତ୍ରୀ, ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ । ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଗୋଟିଏ ପର୍ଯ୍ୟାୟରେ ଶେଷ ହେବ ନିର୍ବାଚନ । ଫେବ୍ରୁଆରୀ ୧୧ରେ ପ୍ରକାଶ ପାଇବ ଫଳାଫଳ । ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ମଧ୍ୟ କହିଛନ୍ତି ।

୭୦ଟି ବିଧାନସଭା ଆସନ ପାଇଁ ୨୬୮୯ କେନ୍ଦ୍ରରେ ପଡିବ ଭୋଟ । ଭୋଟଗ୍ରହଣ ପାଇଁ ୧୩ ହଜାର ୭୫୭ଟି ପୋଲିଙ୍ଗ ବୁଥର ବ୍ୟବସ୍ଥା କରାଯାଇଛି । ଦିଲ୍ଲୀରେ ୧ କୋଟି ୪୬ ଲକ୍ଷ ଭୋଟର ଅଛନ୍ତି । ନିର୍ବାଚନକୁ ସୁରୁଖୁରୁରେ ଚଳାଇବା ପାଇଁ ୯୦ ହଜାର କର୍ମଚାରୀ ଦାୟିତ୍ୱରେ ରହିବେ ।  ଦିଲ୍ଲୀରେ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣ ବିଧି । ଜାନୁଆରୀ ୧୪ରେ ପ୍ରକାଶ ପାଇବ ବିଜ୍ଞପ୍ତି, ୨୧ ତାରିଖ ହେବ ନାମାଙ୍କନ ଦାଖଲର ଶେଷ ଦିନ  । ୨୨ ତାରିଖରେ ହେବ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ।

୨୦୧୫ ଜାନୁଆରୀ ୧୪ ତାରିଖରେ ଷଷ୍ଠ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପେବୃଆରୀ ୭ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଫେବୃଆରୀ ୧୦ରେ ଫଳାଫଳ ପ୍ରକାଶ ପାଇଥିଲା । ଏହି ନିର୍ବାଚନରେ ଆପ୍ ଝାଡ଼ୁରେ ସମସ୍ତେ ସଫା ହୋଇଯାଇଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୭ ଆସନ ପାଇଥିଲା ଆମ ଆଦମୀ ପାର୍ଟି । ଅନ୍ୟପଟେ କେନ୍ଦ୍ରରେ ଶାସନ କରୁଥିବା ବିଜେପିକୁ ମାତ୍ର ୩ ଆସନ ମିଳିଥିଲା । ଆଉ କଂଗ୍ରେସର ଚିହ୍ନବର୍ଣ୍ଣ ଦିଲ୍ଲୀ ମାଟିରେ ମିଶି ଯାଇଥିଲା ।