ବିକାଶ ପଥରେ ବାଟ ଓଗାଳୁଛି ଖଡ୍ଗ ନଦୀ
Advertisement

ବିକାଶ ପଥରେ ବାଟ ଓଗାଳୁଛି ଖଡ୍ଗ ନଦୀ

ସ୍ୱାଧୀନତାର ୭୪ ବର୍ଷ ପରେ ବି ସୁଧୁରିନି ସ୍ଥିତି । ଆଜି ବି ଯାତାୟତର ମୁଖ୍ୟ ମାଧ୍ୟମ ପାଲଟିଛି ଦେଶୀ ଡଙ୍ଗା । ପୋଲ ନଥିବାରୁ ଜୀବନକୁ ପାଣି ଛଡାଇ ନିଇତି ନଦୀ ପାର ହୋଉଛନ୍ତି ପିଲାଠୁ ବୃଦ୍ଧ ।  

ସୌଜନ୍ୟ: ସୋସିଆଲ ମିଡିଆ

ସୁଚିତ୍ରା ସେଣ୍ଢ, ବାଲୁଗୁଡ଼ା: ବାଲିଗୁଡ଼ା ଉପଖଣ୍ଡରୁ ମାତ୍ର ଏକ କିଲୋମିଟର ଦୂରରେ ଖଡ୍ଗ ନଦୀ ଲୋକଙ୍କ ବିକାଶରେ ବାଧା ସୃଷ୍ଟି କରିଛି । ଏହି ନଦୀ ପାର ହେଲେ ପଡେ ବାଲିଗୁଡ଼ା ବଜାର ।  ନିତିଦିନିଆ କାମ ପାଇଁ  ଦୈନିକ ନୂଆଗାଁ ବ୍ଲକ ସାଇନପଡା ପଞ୍ଚାୟତର  ପ୍ରାୟ  ୧୦ଖଣ୍ଡ ଗାଁର  ୫ ହଜାର ଲୋକେ  ନଦୀପାର ହୁ୍ଅନ୍ତି  ।  କେବଳ  ସାଇନପଡା ପଞ୍ଚାୟତ ନୁହେଁ  ବାଲିଗୁଡ଼ା ଏନଏସି  ୩ନଂ  ୱାର୍ଡର ୩୦ଟି ପରିବାର ମଧ୍ୟ ନଦୀ ପାର ହୁଅନ୍ତି । ସବୁବେଳେ  ଖଡ୍ଗ ନଦୀ  ଲୋକଙ୍କ  ବିକାଶ ପଥରେ  ବାଟ ଓଗାଳୁଛି । ଏହି ୧୦ଖଣ୍ଡ ଗାଁର ବହୁ  ଛାତ୍ରଛାତ୍ରୀ ପ୍ରତିଦିନ ନଦୀପାର ହୋଇ  ନୂଆସାହି ପ୍ରାଥମିକ ବିଦ୍ୟାଳୟ ଓ ନୂଆସାହିରେ ଥିବା  ହାଇସ୍କୁଲକୁ ପାଠପଢିବାକୁ ଆସନ୍ତି । ବର୍ଷାଦିନେ ନଦୀ ଅଧିକ ଫୁଲୁଥିବାରୁ ପିଲାଙ୍କ ପାଠପଢାରେ ଏକପ୍ରକାର ଡୋରୀ ବନ୍ଧା ହୁଏ । ଅନ୍ୟ ସମୟରେ ହୁଲି ଡଙ୍ଗାରେ ନିଜେ କାତ ମାରି  ବହି ବସ୍ତାନୀ ଓ  ସାଇକେଲକୁ ଡଙ୍ଗାରେ ଲଦି ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ  ସେମାନଙ୍କ ପିଲାଙ୍କୁ ବିପଦ ସଙ୍କୁଳ ଭାବେ ସ୍କୁଲ ଛାଡ଼ିବାକୁ ରାଜି ହେଉନାହାନ୍ତି । ଫଳରେ ୧୦ ଖଣ୍ଡ ଗାଁରେ ବହୁ ଛୋଟ ପିଲା ପାଠ ଠାରୁ ଦୂରେଇ ଯାଉଛନ୍ତି ।  ବର୍ଷ ତମାମ କଷ୍ଟେମଷ୍ଟେ ଚଳିଯାଉଥିବା ବେଳେ  । ବର୍ଷା ଦିନେ ଫୁଲିଥିବା ଖଡ୍ଗ ନଦୀ ପାର ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତିଲୋକେ ।

ଖଡ୍ଗ ନଦୀ ବ୍ୟତୀୟ ଅନ୍ୟ କୌଣସି ଯାତାୟାତର ମାଧ୍ୟମ ନଥିବାରୁ ୧୦ ଖଣ୍ଡ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫଳରେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଭାରରେ ବୋହି ନଦୀପାର କରିବାକୁ ପଡୁଛି । ବାଲିଗୁଡ଼ା ବଜାର ଉପରେ ଗାଁ ଲୋକେ ନିର୍ଭର କରୁଥିଲେ ମଧ୍ୟ ଖଡ୍ଡ ନଦୀର ପାଣିରେ ପଶି ଯାଉଛନ୍ତି ଲୋକେ । ନଦୀରେ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ଚାଲୁଥିବା ଦେଶୀ ଡଙ୍ଗାଟି ମଧ୍ୟ ପୁରୁଣା ହୋଇଗଲାଣି । ଅନେକ ସମୟରେ ଡଙ୍ଗାରେ ପାଣି ପଶି ଯାଉଥିବାରୁ  ଦୁର୍ଘଟଣା ଘଟୁଛି । ବାରମ୍ୱାର ଗ୍ରାମବାସୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ନିର୍ବାଚନ ସମୟରେ ଗାଁକୁ ଆସୁଥିବା ଲୋକ ପ୍ରତିନିଧିଙ୍କୁ ଗ୍ରାମବାସୀ ସେତୁ ନିର୍ମାଣ ପାଇଁ ନିବେଦନ କରିଥିଲେ ମଧ୍ୟ କେହି ଆଜି ପର୍ଯ୍ୟନ୍ତ କର୍ଣ୍ଣପାତ କରିନାହାଁନ୍ତି । ନିର୍ବାଚନ ସରିଲେ ଲୋକଙ୍କ ଦାବିକୁ ଭୁଲି ଯାଉଛନ୍ତି ନେତାମନ୍ତ୍ରୀ । ସେପଟେ ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଅବଗତ ନଥିଲେ । ଗଣମାଧ୍ୟମ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଲୋକଙ୍କ ସମସ୍ୟା ବୁଝିଛନ୍ତି  ।  ଆଗାମୀ ଦିନରେ ଗାଁକୁ ଯାଇ  ସ୍ଥିତ ସମୀକ୍ଷା  କରିବା ପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସେତୁ ନିର୍ମାଣ ପାଇଁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି ।