ବାଗଦାଦିର ଉତ୍ତରାଧିକାରୀଙ୍କ ବିଷୟରେ ମଧ୍ୟ ଜାଣିଛି ଆମେରିକା
Advertisement

ବାଗଦାଦିର ଉତ୍ତରାଧିକାରୀଙ୍କ ବିଷୟରେ ମଧ୍ୟ ଜାଣିଛି ଆମେରିକା

ବାଗଦାଦିର ଉତ୍ତରାଧିକାରୀଙ୍କ ବିଷୟରେ ମଧ୍ୟ ଖବର ରଖିଛି ଆମେରିକା । ତାଙ୍କ ଗତିବିଧି ଉପରେ ପୁରା ନଜର ରଖାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସିରିଆରେ ଆମେରିକା ସେନା ଦ୍ୱାରା ନିପାତ ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦି । ଆମେରିକ ପାଇଁ ଏହା ଏକ ବଡ ସଫଳତା । ତେବେ ବାଗଦାଦିର ଉତ୍ତରାଧିକାରୀଙ୍କ ବିଷୟରେ ମଧ୍ୟ ଖବର ରଖିଛି ଆମେରିକା । ତାଙ୍କ ଗତିବିଧି ଉପରେ ପୁରା ନଜର ରଖାଯାଇଛି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ବାଗଦାଦିର ଉତ୍ତରାଧିକାରୀଙ୍କ ବିଷୟରେ ମଧ୍ୟ ଜାଣିଛୁ । ତାଙ୍କ ଉପରେ ଆମର ପୁରା ନଜର ରହିଛି । ଚଳିତ ବର୍ଷ ଆରମ୍ଭରେ ଅଲକାଏଦା ମୁଖ୍ୟ ଓସାମା ବୀନ ଲାଡେନର ପୁଅ ହଜମା ବୀନ ଲାଡେନକୁ ମଧ୍ୟ ନିପାତ କରିଥିଲା ଆମେରିକା ସେନା । ଯାହାକୁ ମନେ ପକାଇ ଦେଇଛନ୍ତି ଟ୍ରମ୍ପ । 

ଟ୍ରମ୍ପ କହିଛନ୍ତି, ହଜମା ବୀନ ଲାଡେନକୁ ମାରିବାରେ ସଫଳ ହେବା ଏକ ବଡ ଉପଲବ୍ଧି । ମାତ୍ର ବାଗଦାଦିକୁ ମାରିବା ସବୁଠୁ ବଡ ଉପଲବ୍ଧି । ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା ଆଇଏସଆଏସର ମୁଖ୍ୟକୁ ମାରିବା ବଡ ସଫଳତା ନିଶ୍ଚୟ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବାଗଦାଦିର ସ୍ୱାସ୍ଥ୍ୟ ସମ୍ପର୍କରେ ବେଶି କିଛି ଶୁଣିନଥିଲି । କେବଳ ଏତିକି ଜାଣିଥିଲି, ତା ସ୍ୱାସ୍ଥ୍ୟାବସ୍ଥା ଠିକ ନଥିଲା । ହେଲେ ତାର ଅତ୍ୟନ୍ତ ଘୃଣ୍ୟ ମରଣ ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । 

କହିରଖୁଛୁ, ଉତ୍ତର-ପଶ୍ଚିମ ସିରିଆରେ ଆମେରିକା ସେନା ହାତରେ ନିହତ ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦି । ରବିବାର ଯାହାର ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ । ବାଗଦାଦି ସୁଡଙ୍ଗରେ ଲୁଚି ଥିଲା କିନ୍ତୁ ଆମେରିକା ସେନାର ଆକ୍ରମଣରେ ନିହତ ହୋଇଛି । ବାଗଦାଦିଙ୍କ ସହ ତାଙ୍କର ୩ ସନ୍ତାନ ମଧ୍ୟ ଏହି ଆକ୍ରମଣରେ ନିହତ ହୋଇଛନ୍ତି । 

ଟ୍ରମ୍ପ କହିଥିଲେ, ସେ ଏକ କାପୁରୁଷ ପରି ମରିଛି । ବର୍ତ୍ତମାନ ଦୁନିଆ ଅଧିକ ସୁରକ୍ଷିତ ହୋଇଯିବ । ଗଡ ବ୍ଲେସ ଆମେରିକା । ବଗଦାଦି କାନ୍ଦୁଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ସେ ସୁଡଙ୍ଗରୁ ପଳାୟନ କରିବାକୁ ଚେଷ୍ଟା ମଧ୍ୟ କରିଥିଲା । କିନ୍ତୁ ସେ ଏଥିରେ ସଫଳ ହୋଇପାରି ନଥିଲା । ଶେଷରେ ସେ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ ଛୁଆ ସହ ମରିଥିବା ଟ୍ରମ୍ପ କହିଥିଲେ । 

ଟ୍ରମ୍ପଙ୍କ ଅନୁସାରେ, ବାଗଦାଦି ଜଣେ ରୋଗାଗ୍ରସ୍ତ ଓ ଖରାପ ବ୍ୟକ୍ତି ଥିଲା । ସେ କ୍ରୁର ଓ ନିଷ୍ଠୁର ଥିଲା କିନ୍ତୁ ବର୍ତ୍ତମାନ ଏହାର ବିନାଶ ହୋଇ ସାରିଛି । ଟ୍ରମ୍ପ ଋଷିଆ, ତୁର୍କୀ, ସିରିଆ, ଇରାକ ଓ ସିରିଆର କୁର୍ଦୋଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ନିଜ ଦେଶର ଗୁଇନ୍ଦା ସଂସ୍ଥା ଓ ସେନାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।