ବିଦ୍ୟୁତ ତାର ନେଲା ଜୀବନ...ଆଖି ଥାଇ ଅନ୍ଧ ପ୍ରଶାସନ, ସବୁ ଦେଖି ଚୁପ
Advertisement

ବିଦ୍ୟୁତ ତାର ନେଲା ଜୀବନ...ଆଖି ଥାଇ ଅନ୍ଧ ପ୍ରଶାସନ, ସବୁ ଦେଖି ଚୁପ

ଆଖି ଥାଇ ଅନ୍ଧ ପ୍ରଶାସନ, ସବୁ ଦେଖି ଚୁପ

ଆଖି ଥାଇ ଅନ୍ଧ ପ୍ରଶାସନ, ସବୁ ଦେଖି ଚୁପ

ସରୋଜ ବେହେରା, ଭୁବନେଶ୍ୱର: ରାଜଧାନୀରେ ବିଦ୍ୟୁତ ତାର ସହ ହେଉଛି ଖେଳ । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଦେଇ ଯାଇଥିବା ଶହେ ୩୩ କେଭି କରେଣ୍ଟ ତଳେ ଘର ତିଆରି କରି ଶ୍ରମିକଙ୍କ ଜୀବନ ସହ ହେଉଛି ଖେଳ । ଯାହା ଫଳରେ ଭୁବନେଶ୍ୱରରେ ବାରମ୍ବାର ଘଟୁଛି ଦୁର୍ଘଟଣା । ଭୁବନେଶ୍ୱର ପଟିଆ ନିକଟ ଶିଶୁ ବିହାରରେ ରଙ୍ଗ ଲଗାଉଥିବା ବେଳେ ଜଣେ ରଙ୍ଗ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଶୀଖରଚଣ୍ଡି ବସ୍ତିର ଲଲା । ତାଙ୍କୁ ସହଯୋଗ କରୁଥିବା ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସବୁଠୁ ବଡ ପ୍ରଶ୍ନ ରହିଛି ପ୍ରଶାସନ ଆଖିରେ ଧୂଳି ଦେଇ ବେଆଇନ ଘର ତିଆରି ଚାଲିଥିବା ବେଳେ ବିଡିଏ ଓ ବିଦ୍ୟୁତ ବିଭାଗ ଅଧିକାରୀ କରୁଛନ୍ତି କଣ ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରଙ୍ଗ ମିସ୍ତ୍ରୀଙ୍କ ଗଲା ଜୀବନ । ତାଙ୍କ ସହ ଥିବା ସହଯୋଗୀ ଗୁରୁତର ଆହତ । ଚିକିତ୍ସା ପାଇଁ ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତକ ହେଉଛନ୍ତି ଶୀଖରଚଣ୍ଡି ବସ୍ତିର ଲଲା । ସୋମବାର ପ୍ରାୟ ୧୨ଟାରେ ସେ ରଙ୍ଗ ଦେବା ପାଇଁ ପଟିଆ ନିକଟ ଶିଶୁ ବିହାରରେ ରହୁଥିବା ରମେଶ କୁଣ୍ଡୁଙ୍କ ଘରକୁ ଯାଇଥିଲେ । ସେଠାରେ ରଙ୍ଗ ଦେବା ବେଳେ ଶହେ ୩୩ କେଭି ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ବିଦ୍ୟୁତ ଆଘାତ ଏତେ ଜୋର ଥିଲା ଯେ ଆଖ ପାଖ ଅନେକଙ୍କ ଘରେ ସର୍ଟ ସର୍କିଟ ହୋଇଯାଇଥିଲା । ଲୋକେ କିଛି ଭାବିବା ପୂର୍ବରୁ ପଦାକୁ ଆସି ଦେଖିବା ବେଳେ ଶ୍ରମିକଙ୍କ ଦେହରୁ ଧୂଆଁ ବାହାରୁ ଥିଲା । ଖବର ପାଇ ସ୍ଥାନୀୟ ଇନଫୋସିଟି ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ ପହଞ୍ଚିଥିଲେ । ହେଲେ ସେତେ ବେଳକୁ ଡେରି ହୋଇସାରିଥିଲା । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି ।

ଏହା ପ୍ରଥମ ଥର ନୁହଁ ସ୍ଥାନୀୟ ଅଂଚଳରେ ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇଟି ଘଟଣାରେ ଶ୍ରମିକଙ୍କ ଜୀବନ ଯାଇ ସାରିଛି । ହେଲେ ବି ଲୋକଙ୍କ ମୁଣ୍ଡରେ ଚେତା ପଶୁନି । ସ୍ଥାନୀୟ ଲୋକଙ୍କ ଅଭଇଯୋଗ ବିଡିଏ କିମ୍ବା ବିଦ୍ୟୁତ ବିଭାଗର ବିନା ଅନୁମତିରେ ଅନେକ ଲୋକ ଟଙ୍କା ଲୋଭରେ ବେଆଇନ ଘର ତିଆରି କରିଚାଲିଛନ୍ତି । ଏଭଳି କି ଶହେ ୩୩ କେଭି ତାର ଯୋଗୁଁ ବାରମ୍ବାର ଏହି ଅଂଚଳରେ ବିଦ୍ୟୁତ ଅସୁବିଧା ଦେଖା ଦେଉଛି । ଏହା ସତ୍ୱେ ଲୋକେ ବେଆଇନ ଭାବେ ଦୁଇ ତିନି ମହଲା ଘର ତିଆରି କରିଚାଲିଛନ୍ତି । କେବେ ବି କୌଣସି ପ୍ରଶାସନିକ ଅଧିକାରୀ କେବେ ବି ଏହାର ତଦାରଖ କରିବାକୁ ଆସି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଉଚ୍ଚ ଶକ୍ତି ବିଶିଷ୍ଟ ବିଦ୍ୟୁତ ତାର ଯାଇଥିବା ରାସ୍ତାରେ ବିଡିଏ କିମ୍ବା ବିଦ୍ୟୁତ ବିଭାଗ ଘର କରିବାକୁ କେବେ ବି ଅନୁମତି ଦେଇ ନ ଥାଏ । ହେଲେ ଲୋକେ ଲୁଚା ଛପାରେ ସେଠାରେ ଘର ତିଆରି କରିଚାଲିଥାନ୍ତି । ଏଭଳି ପରିସ୍ଥିତିରେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କିଏ ପଦକ୍ଷେପ ନେବ । ଯଦି ପଦକ୍ଷେପ ନିଆ ନ ଯାଏ ତେବେ ପୂର୍ବ ପରି ଆହୁରି ଲୋକଙ୍କ ଜୀବନ ଯିବ ଆଉ ସେମାନଙ୍କ ଜୀବନ ଯିବା ପାଇଁ କିଏ ଦାୟୀ ରହିବେ ତାହା ହେଉଛି ବଡ ପ୍ରଶ୍ନ ।