ଯାମିନିଙ୍କ ସଢ଼େଇ କଳାକୃତି, ବେଶ ଆକର୍ଷଣୀୟ
Advertisement
Article Detail0/zeeodisha/odisha615123

ଯାମିନିଙ୍କ ସଢ଼େଇ କଳାକୃତି, ବେଶ ଆକର୍ଷଣୀୟ

ସେ ଚାକିରି ପଛରେ ନ ଗୋଡ଼ାଇ ନିଜେ ଏମିତି କିଛି କାମ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି 

ଯାମିନିଙ୍କ ସଢ଼େଇ କଳାକୃତି, ବେଶ ଆକର୍ଷଣୀୟ

 

ସାଲେପୁର: ପ୍ରତ୍ୟେକ ଘରେ ପର୍ବପର୍ବାଣୀ ହେଉ କି ବିଭିନ୍ନ ପିଠାପଣା, ଖାଦ୍ୟ ପଦାର୍ଥରେ ନଡ଼ିଆର ବ୍ୟବହାର କରିଥାଉ । ଆଉ ବ୍ୟବହାର କରିଥିବା ନଡ଼ିଆର ସଢ଼େଇକୁ ଆମେ ପଦାରେ ଫିଙ୍ଗି ଦେଇଥାଉ ବା ଅଧିକ ହେଲେ ଜାଳେଣୀ ଭାବେ ବ୍ୟବହାର କରିଥାଉ । ହେଲେ ସେହି ଅଦରକାରୀ ଭଙ୍ଗା ସଢ଼େଇକୁ ବ୍ୟବହାର କରି ନିଜର ବୁଦ୍ଧି ବଳରେ ସେଥିରୁ ବ୍ୟବହାର ଉପଯୋଗୀ ବିଭିନ୍ନ ଘରକରଣା ସାମଗ୍ରୀ ମଧ୍ୟ ତିଆରି ହୋଇପାରେ, ତାହା ଆପଣ ଦେଖିଲେ ଅଟକି ରହିଯିବେ । ସେଭଳି ଏକ କଳାକୃତିର କାରିଗର ଯାହାଙ୍କ ହାତରେ ଭଙ୍ଗା ସଢ଼େଇ କଥା କହୁଛି । ସେ ସଢ଼େଇ କଳାକୃତି ପାଇଁ ନିଜେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଓ ସ୍ୱାବଲମ୍ବୀ ମଧ୍ୟ ହୋଇପାରିଛନ୍ତି।

fallbackକଟକ କିଷନନଗର ଗାଁର ଯାମିନି ମୋହନ ସାହୁ । ବିଏ ପାଶ୍ କରି ଭୁବନେଶ୍ୱରରେ ଏକ ବେସରକାରୀ ସଂସ୍ଥାରେ କିଛିଦିନ ଚାକିରି କରିବା ପରେ ସଂସ୍ଥା ବନ୍ଦ ହୋଇଯାଏ । ଏହାପରେ ସେ ଚାକିରି ପଛରେ ନ ଗୋଡ଼ାଇ ନିଜେ ଏମିତି କିଛି କାମ କରି ନିଜର ପରିଚୟ ସୃଷ୍ଟି କରି ସ୍ୱାବଲମ୍ବୀ ହୋଇପାରିବେ, ସେଥିଲାଗି ସେ ପ୍ରଚେଷ୍ଟା ଜାରି ରଖନ୍ତି । ଆଉ ତାଙ୍କ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଦିନେ ନୂଆ କିଛି କରିବାର ଉପାୟ ଦେଖାଏ । ଅଦରକାରୀ ସଢ଼େଇର ବ୍ୟବହାର କରି ସେଥିରୁ ସେ ଘରକରଣା ଜିନିଷ ତିଆରି କରିବା ଆରମ୍ଭ କରିଦିଅନ୍ତି । ବିଭିନ୍ନ ଦେବାଳୟ ଗାଁ ଗହଳିରୁ ସଢ଼େଇ ସଂଗ୍ରହ କରି ନିଜ ବୁଦ୍ଧିବଳରେ ବିଭିନ୍ନ ରୂପ ଦେବାକୁ ଆରମ୍ଭ କରିଦିଅନ୍ତି । ନିଜସ୍ୱ କାରିଗରି ବିଦ୍ୟାରେ ନିର୍ମାଣ କରନ୍ତି ସଢ଼େଇ ପଲିସ୍ ମେସିନ୍ ଓ ସେଗୁଡିକୁ ଛୋଟ ଛୋଟ ଟୁକୁରା କରି ନିର୍ମାଣ କରିଚାଲନ୍ତି ବିଭିନ୍ନ ଘରସଜା ଉପକରଣ । ଆଶ୍ଚର୍ଯ୍ୟର କଥା, ସେ ଛୋଟରୁ ଅତି ଛୋଟ ସଢ଼େଇ ଟୁକୁରାରୁ ବିଭିନ୍ନ ଇଂରାଜୀ ଅକ୍ଷର ତିଆରି କରି ସେଥିରୁ ମଧ୍ୟ ରଙ୍ଗ ବେରଙ୍ଗର ଚାବି ରିଙ୍ଗ୍ ଓ ପିଲାମାନଙ୍କ ପାଇଁ ଗିଫ୍ଟ ଆଇଟମ୍ ପ୍ରସ୍ତୁତ କରିଥାନ୍ତି । ଏବେ ଏଥିରୁ ହିଁ ଯାମିନି ନିଜ ପରିବାର ପ୍ରତିପୋଷଣ କରିବାର ବାଟ ଖୋଜି ପାଇଛନ୍ତି । ଯାମିନିଙ୍କ ହାତ ତିଆରି ବିଭିନ୍ନ ଘରକରଣା ଉପକରଣ ଗୁଡିକର ଚାହିଦା ବଢିବାରେ ଲାଗିଛି । ସେ ଅଧିକ ରୋଜଗାର ଆଶାରେ ବିଭିନ୍ନ ମେଳା ମହୋତ୍ସବରେ ନିଜର ଷ୍ଟଲ ଖୋଲି ବେପାର କରି ବେଶ୍ ଦୁଇ ପଇସା ଏବେ ରୋଜଗାର କରିପାରୁଛନ୍ତି । କିନ୍ତୁ ତାଙ୍କୁ ପରିଶ୍ରମ ହିସାବରେ ପାରିଶ୍ରମିକ ମିଳୁନାହିଁ । ଯଦି ତାଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯା'ନ୍ତା, ତେବେ ଏହି କଳା ଓଡ଼ିଶାରେ ବିକାଶ ଲାଭ କରିବ ବୋଲି ସେ ଆଶା ରଖିଛନ୍ତି ।

ଯାମିନିଙ୍କ ଏହି କାରିଗରୀ ଏବେ ଏକ ଛୋଟିଆ କୂଟୀର ଶିଳ୍ପର ରୂପ ନେଇଛି । ଘରର କାମଧନ୍ଧା ସାରି ସେ ଏହି କାମରେ ସ୍ୱାମୀଙ୍କୁ ଯାହାଯ୍ୟ କରି ଉଭୟ ସ୍ୱାମୀ ଓ ସ୍ତ୍ରୀ ବହୁ ବଜାର ଚାହିଦା ଆନୁସାରେ ଆକର୍ଷଣୀୟ ଘରକରଣା ସାମଗ୍ରୀ କିଆରି କରିବାରେ ଲାଗି ପଡ଼ିଛନ୍ତି । ଏହାର ଚାହିଦା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଯଦି ସରକାରଙ୍କ ପକ୍ଷରୁ ସେମାନଙ୍କୁ କିଛି ପ୍ରୋତ୍ସାହନ ମିଳେ, ତେବେ ଏହି କଳା ଆହୁରି ବିକଶିତ ହୋଇପାରିବ ବୋଲି ଯାମିନି କହିଛନ୍ତି । ସେପଟେ ଯାମିନିଙ୍କ ଏହି କଳାକୃତିକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।