ସବୁ ଶପଥ ପରେ...
Advertisement

ସବୁ ଶପଥ ପରେ...

ରାଜ୍ୟସଭାରେ ଏବେ ଏନଡିଏର ୧୩୨ ସାଂସଦ ଥିବାବେଳେ ବିଜେପିର କେବଳ ୮୨ ସାଂସଦ ଅଛନ୍ତି । ତେଣୁ ବିଜେପିର ସାଂସଦ ସଂଖ୍ୟା କମ୍ ଥିବାରୁ ବିରୋଧୀ ଲୋକ ସଭା ଅପେକ୍ଷା ରାଜ୍ୟ ସଭାରେ ବିଜେପିକୁ ବେଶୀ ଅଡ଼ୁଆରେ ପକାଉଛନ୍ତି ।

ଫାଇଲ ଫଟୋ

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ୨୦୧୮ ନଭେମ୍ୱର ୨୬ । 'ସମ୍ୱିଧାନ ଦିବସ' ଅବସରରେ ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ ଇକୋନୋମିକ୍ କୋଅପରେସନ୍ (ବିମଷ୍ଟେକ୍) ବିଚାରପତିଙ୍କୁ ନେଇ ଏକ ରାତ୍ର ଭୋଜନ ପାର୍ଟି ଆୟୋଜନ କରାଯାଇଥିଲା । ଏହି ରାତ୍ର ଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ସୁପ୍ରିମକୋର୍ଟ ବିଚାରପତିଙ୍କ ପାର୍ଟିରେ ଯୋଗଦେଇଥିଲେ । ଏହାର ଠିକ୍ ମାସକ ପୂର୍ବରୁ ରଞ୍ଜନ ଗୋଗୋଇ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ରାଷ୍ଟ୍ରପତି ଭବନରେ ଜଷ୍ଟିସ ଗୋଗୋଇଙ୍କ ଶପଥ ଗ୍ରହଣ ଉତ୍ସବରେ ମୋଦି ଯୋଗଦେଇଥିଲେ । ଗଣମାଧ୍ୟମକୁ ଏହି ନୈଶ୍ୟ ଭୋଜିକୁ ଆମନ୍ତ୍ରଣ କରାଯାଇ ନ ଥିଲେ ମଧ୍ୟ ଚାରିଆଡ଼େ ମୋଦି ଓ ଗୋଗୋଇଙ୍କ ଫଟୋ ଘୂରି ବୁଲୁଥିଲା । ଆଉ ସେହି ସମୟରେ ହିଁ ସୁପ୍ରିମକୋର୍ଟରେ ରାଫେଲ ଶୁଣାଣି କରାଯାଇଥିଲା । ତେଣୁ ସେତେବେଳେ ମୋଦି ଓ ଗୋଗୋଇଙ୍କ ସାକ୍ଷାତକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲା । ଏହା ପୂର୍ବରୁ ୪ଜଣ ବିଚାରପତିଙ୍କ ସହ ରାତିଅଧିଆ ପ୍ରେସମିଟ୍ କରି ଜଷ୍ଟିସ ଗୋଗୋଇ ହିରୋ ବନି ସାରିଥିଲେ । ମୋଦି ଓ ଗୋଗୋଇ ସାକ୍ଷାତ ପରେ ଦେଶରେ ଆଉ ଏକ ଚର୍ଚ୍ଚା ହେଲା ଯେ, ରାଫେଲ ପ୍ରସଙ୍ଗରେ ମୋଦି ସରକାରକୁ ସୁପ୍ରିମକୋର୍ଟରୁ କ୍ଲିନଚିଟ୍ ମିଳିବ, ଆଉ ଶେଷରେ ତାହା ହିଁ ହେଲା । ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହେବାର ୪ ସପ୍ତାହ ପରେ ରାଫେଲ ଶୁଣାଣି କରି ସୁପ୍ରିମକୋର୍ଟ ମୋଦି ସରକାରଙ୍କୁ କ୍ଲିନଚିଟ୍ ଦେଇଥିଲେ । ଏହାପରେ ଏନଆରସି ଓ ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ଶୁଣାଣି କରି ଜଷ୍ଟିସ ଗୋଗୋଇ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ରାୟ ଦେଇଥିଲେ । ଫଳରେ ସେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବିଜେପି ରାଜନୀତିର ପାତ୍ର ବନିଗଲେ । ତେଣୁ ରାଜ୍ୟ ସଭା ଯିବା ପଛରେ ହୁଏତ ଏହା ଏକ କାରଣ ବୋଲି ଏବେ ଚର୍ଚ୍ଚା ହେଉଛି । ଯଦିଓ ରାଷ୍ଟ୍ରପତି ଗୋଗୋଇଙ୍କୁ ମନୋନୀତ କରିଛନ୍ତି, ତଥାପି ବି ଏହା ପଛରେ ବିଜେପିର ରାଜନୈତିକ ଗନ୍ଧ ବାରି ହୋଇ ପଡ଼ୁଥିବା ଆଲୋଚନା ହେଉଛି ।

fallback

ରାଜ୍ୟସଭାରେ ଏବେ ଏନଡିଏର ୧୩୨ ସାଂସଦ ଥିବାବେଳେ ବିଜେପିର କେବଳ ୮୨ ସାଂସଦ ଅଛନ୍ତି । ତେଣୁ ବିଜେପିର ସାଂସଦ ସଂଖ୍ୟା କମ୍ ଥିବାରୁ ବିରୋଧୀ ଲୋକ ସଭା ଅପେକ୍ଷା ରାଜ୍ୟ ସଭାରେ ବିଜେପିକୁ ବେଶୀ ଅଡ଼ୁଆରେ ପକାଉଛନ୍ତି । ତେଣୁ ବିଜେପି ଏବେଠାରୁ ନିଜ ପଥ ପରିଷ୍କାର କରୁଥିବା କୁହାଯାଇପାରେ । କିଛି ମାସ ପୂର୍ବରୁ ବିଜେପି ଓଡ଼ିଶାରୁ ବିଜେଡି ସମର୍ଥନରେ ଅଶ୍ୱିନୀ ବୈଷ୍ଣବଙ୍କୁ ସାଂସଦ ଭାବେ ରାଜ୍ୟ ସଭା ପଠାଇଛି । ବିଜେପି ସଂଖ୍ୟା ବଢ଼ାଇବାକୁ ହେଲେ ଆହୁରି ସାଂସଦ ଆବଶ୍ୟକ । ତେଣୁ ସିଧା ନାକ ନ ଧରି ହାତ ବୁଲାଇ ନାକ ଧରିବାକୁ ବିଜେପି ଚେଷ୍ଟା କରୁନି ତ ! ଯେହେତୁ ଗୋଗୋଇ ସାମ୍ୱିଧାନିକ ବିଧି ବ୍ୟବସ୍ଥା ଉପରେ ଭଲ ଚାଷ କରିଛନ୍ତି, ତେଣୁ ସେ ବିଜେପିର ଏକ ଭଲ ଆସେଟ୍ ହୋଇପାରିବେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ନା ବିଜେପିକୁ ବାହାରୁ ସମର୍ଥନ କରିବେ ? କାରଣ ଇତିହାସ ପୃଷ୍ଠାକୁ ଓଲଟାଇଲେ ଅନେକ ସାଂସଦ ଅଛନ୍ତି, ଯେଉଁମାନେ ରାଜ୍ୟସଭା ଯାଇଛନ୍ତି ସତ କିନ୍ତୁ କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାନ୍ତି । ଗୋଗୋଇଙ୍କ କ୍ଷେତ୍ରରେ ୩ଟି ରାସ୍ତା ରହିଛି । ସେ ଚାହିଁଲେ ତାଙ୍କ ବାପାଙ୍କ ବିଚାରଧାରାକୁ ସମ୍ମାନ ଜଣାଇ କଂଗ୍ରେସରେ ସାମିଲ ହୋଇପାରନ୍ତି, ନଚେତ୍ ଗୈରିକ ରଙ୍ଗ ଧାରଣ କରିପାରନ୍ତି । କୌଣସି ଦଳରେ ସାମିଲ ନ ହୋଇ ବି ମନୋନୀତ ସାଂସଦ ଭାବେ ନିଜର କାର୍ଯ୍ୟକାଳ ପୂରଣ କରିପାରନ୍ତି । ୧୯୫୨ ମସିହାରୁ ଆଜି ପର୍ଯ୍ୟନ୍ତ ୧୩୫ ଜଣ ସାଂସଦ ରାଜ୍ୟ ସଭାକୁ ମନୋନୀତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୫ ଜଣ ରାଜନୈତିକ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ସ୍ୱପନ୍ ଦାସଗୁପ୍ତା, ନରେନ୍ଦ୍ର ଯାଦବ, ମେରୀ କମ୍ ଓ କେଟିଏସ୍ ତୁଲସୀଙ୍କ ପରି ସାଂସଦ କୌଣସି ଦଳକୁ ସମର୍ଥନ କରିନାହାନ୍ତି । ସେହିପରି ରୂପା ଗାଙ୍ଗୁଲି, ସୁବ୍ରମଣ୍ୟନ୍ ସ୍ୱାମୀ, ରାକେଶ ସିହ୍ନା, ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହଙ୍କ ଭଳି ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ୧୯୮୬ ମସିହାରେ ରାଜୀବ ଗାନ୍ଧିଙ୍କ ଶାସନ ସମୟରେ ଏକାଥରକେ ୯ ଜଣ ରାଜ୍ୟ ସଭା ସଦସ୍ୟ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ସେହିପରି ଜଷ୍ଟିସ ଗୋଗୋଇଙ୍କ ପୂର୍ବରୁ ଦୁଇ ଜଣ ସୁପ୍ରିମକୋର୍ଟ ବିଚାରପତି ରାଜ୍ୟ ସଭାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଜଷ୍ଟିସ ବାହାରୁଲ ଇସଲାମ ଓ ଜଷ୍ଟିସ ରଙ୍ଗନାଥ ମିଶ୍ର ।

fallback

ଜଷ୍ଟିସ ଗୋଗୋଇଙ୍କ କ୍ଷେତ୍ରରେ କିନ୍ତୁ ଅଲଗା ପରିଲକ୍ଷିତ ହେଉଛି । ୨୦୨୧ରେ ଆସାମ ନିର୍ବାଚନ । ଏଠାରେ ବିଜେପି ହାତରେ ଏବେ ଶାସନ ଡୋର ରହିଛି । ତେଣୁ ଗୋଗୋଇ ବିଜେପିରେ ସାମିଲ ହେଲେ ଦଳ ତାଙ୍କୁ ନିର୍ବାଚନ ସମୟରେ ବିରୋଧୀଙ୍କ ବିରୋଧରେ ଅମୋଘ ଅସ୍ତ୍ର ଭଳି ବ୍ୟବହାର କରିବ । ଆଉ ପ୍ରତିବଦଳରେ ଏବେ ଯେମିତି ପରୋକ୍ଷରେ ରାଜ୍ୟ ସଭା ଲଲିପପ୍ ଦିଆଯାଇଛି, ସେତେବେଳେ ସମାନ ପ୍ରକାରର କିଛି ପୋଷ୍ଟ ଦେଇ ଗୋଗୋଇଙ୍କ କଳା କୋର୍ଟର ବିଚାରଧାରକୁ ଗେରୁଆରେ ବଦଳାଇ ଦେବ । ଏହା ଏଥିପାଇଁ କୁହାଯାଉଛି ଯେ, ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ରାଜ୍ୟ ସଭାକୁ ଆଣିବାକୁ ମନୋନୀତ କରୁ କରୁ ସାରା ଦେଶରେ ଯେଭଳି ତର୍କ ବିତର୍କ ଚାଲିଛି, ତାହା ହିଁ ସବୁ ସୂଚାଇ ଦେଉଛି । ହୁଏତ ଏ ବିତର୍କରେ ବର୍ତ୍ତମାନ କିଏ କେଉଁ ପକ୍ଷରେ ରହିଛି, ତାହା ପଦାକୁ ଦିଶୁନାହିଁ । କାରଣ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ଜଷ୍ଟିସ୍ ଗୋଗୋଇଙ୍କ ପୋଜିସନ ବର୍ତ୍ତମାନ ସ୍ଥିତିରେ ନିରପେକ୍ଷ ରହିଛି । ତେଣୁ ନା କଂଗ୍ରେସ ଜୋର କରି ମୁହଁ ଖୋଲିପାରୁଛି, ନା ବିଜେପି ଜଷ୍ଟିସ୍ ଗୋଗୋଇଙ୍କୁ ଆପଣାର କହିପାରୁଛି । ହେଲେ ଏ ସାଇଲେଣ୍ଟ ୱାରରେ ଜଷ୍ଟିସ୍ ଗୋଗୋଇ ମଙ୍ଗଳବାର ଗୋଟିଏ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛନ୍ତି, ତାହା ହେଲା, ‘ଯାହା କହିବି ଶପଥ ନେବା ପରେ’ । ଯଦି ଜଷ୍ଟିସ୍ ଗୋଗୋଇଙ୍କ ଏ ସାଧାରଣ ବାକ୍ୟଟିକୁ ରାଜନୈତିକ ଚକ୍ଷୁରେ ବିଶ୍ଳେଷଣ କରାଯାଏ ତେବେ ତାଙ୍କର ଉପସ୍ଥିତି ଗେରୁଆ ଦଳରେ ଜଣେ ସ୍ଥାୟୀ ସଦସ୍ୟ ଭାବେ ଏବଂ ଆସାମ ନିର୍ବାଚନରେ ଗୋଟିଏ ଟ୍ରମ୍ପ କାର୍ଡ ଭାବେ ଦେଖିବାକୁ ମିଳୁଛି ।

ଆହୁରି ପଢ଼ନ୍ତୁ; ମଧ୍ୟପ୍ରଦେଶ ରାଜନୀତି: 'ହାତ' ପାଇଁ ବଢୁଛି ଚିନ୍ତା, 'ପଦ୍ମ'ର ବଢୁଛି ଆତ୍ମ ବିଶ୍ୱାସ !