ଜାଣନ୍ତୁ କିଏ ହେବେ ଟିମ୍ ଇଣ୍ଡିଆର ଚୟନକର୍ତ୍ତା
Advertisement
Article Detail0/zeeodisha/odisha604765

ଜାଣନ୍ତୁ କିଏ ହେବେ ଟିମ୍ ଇଣ୍ଡିଆର ଚୟନକର୍ତ୍ତା

ନୂଆ ଅଧ୍ୟକ୍ଷ ଚୟନ ହେବା ପରେ ରବିବାର ବିସିସିଆଇର ପ୍ରଥମ ଏଜିଏମରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଛି । ଯାହା ମଧ୍ୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ଟିମ୍ ଇଣ୍ଡିଆର ଚୟନକର୍ତ୍ତା ନିଯୁକ୍ତି ।

ସୌଜନ୍ୟ: ସୋସିଆଲ ମିଡିଆ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ନୂଆ ଅଧ୍ୟକ୍ଷ ଚୟନ ହେବା ପରେ ରବିବାର ବିସିସିଆଇର ପ୍ରଥମ ଏଜିଏମରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଛି । ଯାହା ମଧ୍ୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ଟିମ୍ ଇଣ୍ଡିଆର ଚୟନକର୍ତ୍ତା ନିଯୁକ୍ତି । ଏଜିଏମରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଥିଲେ କି, ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଓ ଚୟନକର୍ତ୍ତା କମିଟିର ସଦସ୍ୟ ଗଗନ ଖୋଡ଼ାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏଣୁ ସମୟକାଳ ପରେ ପୁଣି ଥରେ ସେମାନଙ୍କୁ ଦାୟିତ୍ୱ ଦେବାର କୌଣସି ତାତ୍ପର୍ଯ୍ୟ ନାହିଁ । ଗାଙ୍ଗୁଲିଙ୍କ ଏହି ବୟାନରୁ ଏକଥା ସ୍ପଷ୍ଟ ହୋଇଛି କି ବିସିସିଆଇ ଆଗକୁ ଚୟନକର୍ତ୍ତା କମିଟିରେ ପରିବର୍ତ୍ତନ ଆଣିବା ପାଇଁ ଯାଉଛି ।

୨୦୧୫ରେ ଏମଏସକେ ପ୍ରସାଦ ଓ ଗଗନ ଖୋଡ଼ା ବିସିସିଆଇ ଚୟନକର୍ତ୍ତା କମିଟିରେ ସମାଲ ହୋଇଥିଲେ । ଏଣୁ ଏହି ବର୍ଷ ସେମାନଙ୍କର କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ଅନ୍ୟ ୩ ଚୟନକର୍ତ୍ତା ଜତିନ୍, ସରନନ୍ଦୀପ ଓ ଦେବାଙ୍ଗ ଗାନ୍ଧି ୨୦୧୬ରେ ଚୟନକର୍ତ୍ତା କମିଟିରେ ସାମିଲ ହୋଇଥିଲେ । ଏଣୁ ଏହି ତିନି ଜଣଙ୍କ ପାଖରେ ଆଉ ବର୍ଷେ ସମୟ ରହିଛି । ତେବେ ଗାଙ୍ଗୁଲିଙ୍କ କଥାରୁ ଗୋଟିଏ କଥା ଜଣାପଡ଼ୁଛି କି ବୋଧହୁଏ ଆଗକୁ ପୂରା ଚୟନକର୍ତ୍ତା କମିଟିରେ ପରିବର୍ତ୍ତନ କରିବାକୁ ବିସିସିଆଇ ଚିନ୍ତା କରୁଛି । ଅର୍ଥାତ୍ ସମସ୍ତ ୫ ଜଣ ଚୟନକର୍ତ୍ତାକୁ ପରିବର୍ତ୍ତନ କରାଯାଇପାରେ।.
ତେବେ କିଏ ହେବେ ମୁଖ୍ୟ ଚୟନକର୍ତ୍ତା ଓ କିଏ ରହିବେ ଚୟନକର୍ତ୍ତା କମିଟିରେ, ସେନେଇ ଏବେ ଠାରୁ କିଛି କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ମୁଖ୍ୟ ଚୟନକର୍ତ୍ତା ରେସରେ ସବୁଠାରୁ ଆଗରେ ରହିଛନ୍ତି ପୂର୍ବତନ ଲେଗସ୍ପିନର୍ ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍ । ସେହିପରି ପୂର୍ବତନ ଚୟନକର୍ତ୍ତା ଦିଲ୍ଲୀପ ଭେଙ୍ଗସରକାରଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ଦିଲ୍ଲୀପ ନିଜର ପୂର୍ବ ଟର୍ମ ପୂରଣ ନକରି ଚୟନକର୍ତ୍ତା ପଦବୀରୁ ହଟିଥିଲେ, ଏଣୁ ତାଙ୍କୁ ପୂନର୍ବାର ମୁଖ୍ୟ ଚୟନକର୍ତ୍ତା ପଦରେ ବସାଯାଇପାରେ । ଏହାଛଡ଼ା ଅଜିତ୍ ଅଗରକର୍ ଓ ଆଶିଷ ନେହରାଙ୍କ ନାଁ ବି ଚର୍ଚ୍ଚା ହେଉଛି । ତେବେ ନିୟମ ଅନୁଯାୟୀ ଚୟନକର୍ତ୍ତା ପଦରେ ବସିବାକୁ ହେଲେ ଅତିକମରେ ୫ ବର୍ଷ ପୂର୍ବରୁ ଜଣଙ୍କୁ କ୍ରିକେଟରୁ ଅବସର ନେବାକୁ ପଡିଥାଏ । ଏଣୁ ଏହି ପରିପ୍ରେକ୍ଷୀରେ ଆଶିଷ ନେହରାଙ୍କୁ ବୋଧ ହୁଏ ଚୟନକର୍ତ୍ତା କରାଯାଇ ନପାରେ । କାରଣ ଆଶିଷ ମାତ୍ର ୨ ବର୍ଷ ତଳେ ହିଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।
ତେବେ ଯାହା ଆଶା କରାଯାଉଛି ଜାନୁଆରୀରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ପୂର୍ବରୁ ହିଁ ଭାରତୀୟ ଚୟନକର୍ତ୍ତାଙ୍କୁ ପରିବର୍ତ୍ତନ କରାଯାଇପାରେ । ଏହା ସହ ଏଥର ସବୁ ଚୟନକର୍ତ୍ତାଙ୍କୁ ପୂର୍ଣ୍ଣ ସମୟସୀମା ଦେବାକୁ ବିସିସିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ।