ରାଜ୍ୟରେ ରାଜ୍ୟପାଳ ସମାନ୍ତରାଳ ସରକାର ପରିଚାଳିତ କରୁଥିବା ନେଇ ଅଭିଯୋଗ କରିଛି ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଗାଡି ସରକାରର ନେତୃତ୍ୱ ନେଉଥିବା ଶିବସେନା |
Trending Photos
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପିକୁ ନେଇ ଗଠିତ ମହାବିକାଶ ଅଗାଡି ସରକାର କ୍ଷମତାସୀନ ହେବା ସହ ଚର୍ଚ୍ଚାରେ ରହି ଆସିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ | ଅନେକ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟପାଳ ଏବଂ ଶାସନ ଗାଦିରେ ବସିଥିବା ଉଦ୍ଧବ ସରକାରଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା |
ମହାରାଷ୍ଟ୍ରରେ ଫାଇନାଲ ଇୟର ପରୀକ୍ଷା ଅନୁଷ୍ଠିତ ନହୋଇ ଶେଷ ଶିକ୍ଷାବର୍ଷ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମୂଲ୍ୟାଙ୍କନ କରିବାକୁ ନେଇ ମହାବିକାଶ ଅଗାଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟପାଳ | ଏହା ସହିତ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର ଚାନସେଲରକଙ୍କୁ ଚିଠି ଲେଖି ନିଜର ବିରୋଧ ଦର୍ଶାଇଛନ୍ତି |
ଏ ମାମଲାରେ ନିଆଁରେ ଘିଅ ଢାଳିଛି ମହାବିକାଶ ଅଗାଡି ସରକାରର ନେତୃତ୍ୱ ନେଉଥିବା ଶିବସେନାର ଦଳୀୟ ମୁଖପତ୍ର 'ସାମନା' | ଏହାର ସମ୍ପାଦକୀୟରେ ଶାସକ ଶିବସେନା ପକ୍ଷରୁ କୁହାଯାଇଛି, "ବିପକ୍ଷଙ୍କ ଠାରୁ ପତ୍ର ମିଳିବା ପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଏକ ଚିଠି ଲେଖିବା ସହ ଘଟଣା ବାବଦରେ ଗଣମାଧ୍ୟମରେ ଦର୍ଶାଇଛନ୍ତି | ନିଜେ ଜିତିବେ କିମ୍ବା ମାରିବେ ସେ ନେଇ ରାଜ୍ୟପାଳ ଚାପରେ ଅଛନ୍ତି | ଥରେ ସେ ବୁଝିନେବା ଦରକାର କାହାକୁ ମାରିବେ କାହାକୁ ଜିତାଇବେ | "
ଏନେଇ ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କୁ ବିଶ୍ୱାସକୁ ନେବାର ଥିଲା | ଏହା ଉପରେ ଶିବସେନା ପକ୍ଷରୁ ମତ ରଖାଯାଇ କୁହାଯାଇଛି ଏନେଇ ରାଜ୍ୟ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ ରାଜ୍ୟପାଳଙ୍କ ସହ ଏ ବାବଦରେ ଚର୍ଚ୍ଚା କରିଥିଲେ | ଏହା ସହିତ ମହାରାଷ୍ଟ୍ରରେ କ୍ଷମତାସୀନ ଶାସକ ଶିବସେନାର ମୁଖପତ୍ରରେ ଆହୁରି କୁହାଯାଇଛି, "ଡିଗ୍ରୀର ଅନ୍ତିମ ପରୀକ୍ଷାକୁ ନେଇ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ଥିବା ମତଭେଦ ସାର୍ବଜନୀନ ହୋଇସାରିଛି | ରାଜଭବନ ସହ ଜଡିତ ଲୋକଙ୍କୁ ନେଇ ଶେଷବର୍ଷ ପରୀକ୍ଷା କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଥାନ୍ତା | ମାତ୍ର ରାଜ୍ୟପାଳ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିବା ସହ ସମାନ୍ତରାଳ ସରକାର ପରିଚାଳନା କରୁଛନ୍ତି | "