ରାଜନୀତି ବ୍ୟତୀତ କ'ଣ ଆଉ ପ୍ରସଙ୍ଗ ନାହିଁ ?
Advertisement
Article Detail0/zeeodisha/odisha607580

ରାଜନୀତି ବ୍ୟତୀତ କ'ଣ ଆଉ ପ୍ରସଙ୍ଗ ନାହିଁ ?

ଦେଶକୁ ଏବେ ଆଉ ଏକ ଗ୍ରହର କୋପ ଦୃଷ୍ଟି ପଡ଼ିଛି । ସେଇଟା ହେଉଛି ଆର୍ଥିକ ମାନ୍ଦାବସ୍ଥା । ଦେଶର ମୋଟ ଘରୋଇ ଉତ୍ପାଦ ଏବେ ୪.୫ ପ୍ରତିଶତ ରହିଛି, ଯାହା ନିହାତି ଭାବେ ଚିନ୍ତାଜନକ ବିଷୟ । ଏହା ଆଗକୁ ଆହୁରି ଖସିବ । ଦେଶରେ ଏବେ ଲୋକଙ୍କ ପାଖରେ ଚାକିରି ନାହିଁ ।

ରାଜନୀତି ବ୍ୟତୀତ କ'ଣ ଆଉ ପ୍ରସଙ୍ଗ ନାହିଁ ?

ନୂଆଦିଲ୍ଲୀ: ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାରିତ ହୋଇଛି । ବହୁ ତର୍କ, ବିତର୍କ ପରେ ଏହି ବିଲକୁ ଆଗତ କରିଛନ୍ତି ମୋଦି ସରକାର ।୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ଏହି ବିଲକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ଏବେ ଏହାକୁ ଲାଗୁ କରି ଆଗାମୀ ନିର୍ବାଚନ ପାଇଁ ଦଳ ଏକ ନୂଆ ଆଜେଣ୍ଡା ପ୍ରସ୍ତୁତ କରିବ, ଏଥିରେ ସନ୍ଦେହ ନାହିଁ । ତେବେ ଏହି ବିଲ୍ ଲାଗୁ ହେଲେ, କାହାର ଲାଭ ହେଉନା କାହିଁକି, ବିଜେପି ପାଇଁ ନିଶ୍ଚିତ ଭାବେ ଏହା ଲାଭଦାୟକ ହେବ । କର୍ଣ୍ଣାଟକ ଉପ ନିର୍ବାଚନରେ ମଧ୍ୟ ବିଜେପି ଆଜି ବିଜୟ ଲାଭ କରିଛି ।ତେଣୁ କହିବାକୁ ଗଲେ ଗେରୁଆ ଦଳ ପାଇଁ ଗୋଟିଏ ଦିନରେ ଦୁଇଟି ବଡ଼ ବିଜୟ ମିଳିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ନାଗରିକତା ସଂଶୋଧନ ବିଲ୍ ପାରିତ ହେଉ ଅବା କର୍ଣ୍ଣାଟକ ଉପ ନିର୍ବାଚନରେ ବିଜେପିର ବିଜୟ ହେଉ । ଏସବୁରେ ସାଧାରଣ ଲୋକଙ୍କ ପେଟ ପୂରିବ କି ? ସାଧାରଣ ଜନତାଙ୍କ ଚୁଲି ଜଳିବ କି ? ପେଟକୁ ଖଣ୍ଡେ ଦାନା ମିଳିବ କି ?

ଭାରତରେ ଏବେ ପିଆଜକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କାରଣ ଏହା ଏବେ ସେଞ୍ଚୁରୀ ନୁହେଁ, ଡବଲ ସେଞ୍ଚୁରୀ ମାରି ସାରିଛି । କିନ୍ତୁ ଏତେ ସବୁ ପରେ ବି କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣରେ ରହିଥିବା କହୁଛନ୍ତି । କିଲୋ ପ୍ରତି ଦୁଇ ଶହ ଟଙ୍କା ଦେଇ ଜଣେ ଖାଉଟି ଯଦି ପିଆଜ କିଣିବ, ତେବେ ଏହା ନିଶ୍ଚିତ ଭାବେ ଅଚ୍ଛେ ଦିନ୍ ବୋଲି କୁହାଯିବ । କାରଣ ମୋଦି ହୈ ତୋ ମୁମକିନ୍ ହୈ ।ସେହିପରି ପିଆଜ ବୃଦ୍ଧି ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଇନ୍ଦ୍ରଙ୍କୁ ଦାୟୀ କରିବା ନିହାତି ହାସ୍ୟାସ୍ପଦ । ମୁଦ୍ରାସ୍ଫୀତି କ'ଣ ନ ଜାଣି ଖାଦ୍ୟ ଓ ଯୋଗାଣ ବିଭାଗର ମଙ୍ଗ ଧରୁଥିବା ଲୋକଙ୍କ ଠାରୁ ବା ଆଉ କ'ଣ ଆଶା କରାଯିବ ? କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମନ୍ତବ୍ୟ ବି ଯେତିକି ହାସ୍ୟାସ୍ପଦ ସେତିକି ଲଜ୍ଜାଜନକ । ଇଏ ତ ଗଲା ପିଆଜ ଉବାଚ ।

fallback

ଦେଶକୁ ଏବେ ଆଉ ଏକ ଗ୍ରହର କୋପ ଦୃଷ୍ଟି ପଡ଼ିଛି । ସେଇଟା ହେଉଛି ଆର୍ଥିକ ମାନ୍ଦାବସ୍ଥା । ଦେଶର ମୋଟ ଘରୋଇ ଉତ୍ପାଦ ଏବେ ୪.୫ ପ୍ରତିଶତ ରହିଛି, ଯାହା ନିହାତି ଭାବେ ଚିନ୍ତାଜନକ ବିଷୟ । ଏହା ଆଗକୁ ଆହୁରି ଖସିବ । ଦେଶରେ ଏବେ ଲୋକଙ୍କ ପାଖରେ ଚାକିରି ନାହିଁ । ବିଭିନ୍ନ କମ୍ପାନି ଗୁଡ଼ିକ ଛଟେଇ କରୁଛନ୍ତି । ଆର୍ଥିକ ମାନ୍ଦାବସ୍ଥାର ଚଡ଼କ ଏତେ ପ୍ରଖର ଯେ ଆମଦାନୀ, ରପ୍ତାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଛି । ଏସବୁ କିନ୍ତୁ ଖବର କାଗଜରେ ବାହାରୁନି କି ଟିଭିରେ ବାଜୁନି । ଅଳ୍ପେ ବହୁତେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ତେଣୁ, ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାର କରୁଛନ୍ତି କ'ଣ ? ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଦଳ ଓ ସରକାର ଉଭୟେ ଦୁଇ ମାସ ଧରି ଯେଉଁ ଡ୍ରାମା କରିଥିଲେ, ତାହା ସମଗ୍ର ଦେଶବାସୀଙ୍କୁ ଜଣା ।ପ୍ରଥମେ ଆର୍ଥିକ ମାନ୍ଦାବସ୍ଥା ଖବର ମହାରାଷ୍ଟ୍ର ନିର୍ବାଚନ ପାଇଁ ଚାପି ହୋଇ ଯାଇଥିଲା । ଏହାପରେ ଝାଡ଼ଖଣ୍ଡ ନିର୍ବାଚନରେ ମୋଦି ଟିମ୍ ପୂରା ବ୍ୟସ୍ତ ରହିଲେ । ଏହାପରେ ସଂସଦର ଶୀତ ଅଧିବେଶନରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗକୁ ଜାଣି ଜାଣି ଉଠା ଯାଉନି , ନହେଲେ ଚାପି ଦେବାକୁ ଉଦ୍ୟମ କରାଯାଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସେହିପରି ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ସରକାର ଡିଣ୍ଡିମ ପିଟୁଥିଲେ ବି ଅନେକ ଗୁଡ଼ିଏ ଭିତିରିଆ କଥା ରହିଯାଇଛି । କୃଷି କ୍ଷେତ୍ରରେ ଉନ୍ନତ ତଥା ଆଧୁନିକ କୃଷି ପ୍ରଣାଳୀ ପାଇଁ ଚାଷୀମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ନିହାତି ଜରୁରୀ । ବିକଶିତ ଦେଶ ଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏଠି ଚାଷୀଙ୍କୁ ଶିକ୍ଷିତ କରିବା ତ ଦୂରର କଥା, ସେମାନଙ୍କୁ ଭୋଟ୍ ବ୍ୟାଙ୍କ୍ ଭାବେ ବ୍ୟବହାର କରାଯାଉଛି । ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ କହିବାନୁସାରେ, ଭାରତୀୟ ଚାଷୀମାନଙ୍କୁ ଜାଣି ଶୁଣି ଶିକ୍ଷିତ କରାଯାଉ ନାହିଁ । କାରଣ ସେମାନଙ୍କ ଜରିୟାରେ ଭୋଟ୍ ମିଳୁଛି । ତେବେ ଚାଷୀଙ୍କୁ ଶିକ୍ଷିତ କରିବା ପରିବର୍ତ୍ତେ ଭୋଟ୍ ପାଇଁ ସେମାନଙ୍କୁ ଶିକ୍ଷା ଦେବାରୁ ବଞ୍ଚିତ କରିବାକୁ ଆମେ କି ମାନସିକତା କହିବା ? ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏଠାକାର ଚାଷୀଙ୍କୁ ଉଚ୍ଚ ଶିକ୍ଷିତ କରି, ଆଧୁନିକ ପ୍ରଣାଳୀରେ ଉତ୍ପାଦନ କରାଇଲେ ଭାରତ କୃଷିରେ ସାରା ବିଶ୍ୱରେ ଏକ ନମ୍ୱର ଦେଶ ହୋଇ ପାରିବ । ସେହିପରି ଆବଶ୍ୟକ ଭିତ୍ତିଭୂମି ଥାଇ ମଧ୍ୟ ଏହାର ଉପଯୁକ୍ତ ବ୍ୟବହାର କରା ନ ଯିବା ମଧ୍ୟ ଦେଶ ପାଇଁ ଚିନ୍ତାର ବିଷୟ ।

ରାଜନୀତି ଛଡ଼ା ଆଜି ଦେଶରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ । ଆମର ମାନସିକତାକୁ ବି ଏମିତି ଢଙ୍ଗରେ ବ୍ୟବହାର କରାଯାଉଛି, ଯେ ରାଜନୀତି ବ୍ୟତୀତ ଆମ ମୁଣ୍ଡକୁ ଆଉ କିଛି ବି ଜୁଟୁ ନାହିଁ ।ଚାଇନା ଭଳି ଅତି ବିକଶିତ ଦେଶ ଭାରତରେ ନିବେଶ କରି ଯଦି ମାଲେମାଲ୍ ହୋଇ ପାରୁଛନ୍ତି, ତେବେ ଆମେ କାହିଁକି କରିପାରିବା ନାହିଁ । ଆମ ପାଖରେ କୁଟୀର ଶିଳ୍ପ, କ୍ଷୁଦ୍ର, ଅଣୁ ଓ ମଧ୍ୟମ ଶିଳ୍ପର ଅନେକ ସୁବିଧା ରହିଛି । ଦୁନିଆର ସବୁଠୁ ବଡ଼ ବଜାର ଖୋଦ୍ ଆମେ ନିଜେ... ସେସବୁର ସୁବିନିଯୋଗ ଓ ସଦୁପଯୋଗ କରି ଆମେ ବିଭିନ୍ନ କ୍ଷେତ୍ରରେ ନିବେଶ କରିପାରନ୍ତେ ।କିନ୍ତୁ, ରାଜନୀତିରୁ ଫୁରସତ୍ ମିଳିଲେ ତ ଆମେ ଏସବୁ କଥା ଚିନ୍ତା କରିବା । ପିଆଜ କିଲୋ ପଛେ ତିନି ଶହରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଉ, ତଥାପି ବି ଆମେ ରାଜନୀତି ଛାଡ଼ିବା ନାହିଁ ।ଦେଶରେ ବେକାରୀ ସମସ୍ୟା ରେକର୍ଡ ସ୍ତରରେ ପହଞ୍ଚି ଗଲେ ବି ଆମ ପାଇଁ ରାଜନୀତି ସବୁଠି ବଡ଼ ପ୍ରସଙ୍ଗ । ପ୍ରତିଦିନ ଦୁଷ୍କର୍ମ ହେଉଥିଲେ ବି ଏହି ପ୍ରସଙ୍ଗରେ ଚିନ୍ତା ନ କରି ଏନକାଉଣ୍ଟର ଭଳି ପନ୍ଥା ନାଁରେ ରାଜନୀତି କରାଯାଉଛି । ସକାଳୁ ରାତି ଯାଏ ହିନ୍ଦୁ, ମୁସଲିମ ପ୍ରସଙ୍ଗ ବ୍ୟତୀତ ଏବେ ଆମ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ । ଏହା ହିଁ ହେଉଛି ଡିଜିଟାଲ୍ ଇଣ୍ଡିଆ, ଏହା ହିଁ ହେଉଛି ପ୍ରକୃତରେ ଅଚ୍ଛେଦିନ୍ ।