ଆଜି ମକର, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
Advertisement
Article Detail0/zeeodisha/odisha827884

ଆଜି ମକର, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା। 

ଆଜି ମକର, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ସଞ୍ଜୟ ମହାପାତ୍ର, ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି (Makar Sankranti) । ସବୁଠି ଉତ୍ସବର ମାହୋଲ। ସେପଟେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତି। ମହାପ୍ରଭୁ ଆଜି ଚିତ୍ତାକର୍ଷକ ମକର ଚୌରାଶୀ (Makar) ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ (Maa Laxmi)। ସାଙ୍ଗରେ ଆଣିଛନ୍ତି ମକର ଚାଉଳ (Makar Chaula)। ମଧ୍ଯାନ୍ନ ଧୂପରେ ଲାଗି ହୋଇଛି ମକର ଚାଉଳ ପ୍ରସାଦ। ଏଥିସହିତ ପବିତ୍ର ଦିବସରେ ମହାପ୍ରଭୁଙ୍କୁ ସର୍ବବୃହତ ଖିଲିପାନ ଲାଗି ହେବାର ପରମ୍ପରା ରହିଛି। ସେପଟେ ଆଜିଠାରୁ ସୂର୍ଯ୍ଯଦେବ ଉତ୍ତରାୟଣ ଯାତ୍ରା କରିଥାନ୍ତି। ଏଣୁ ମହାପ୍ରଭୁଙ୍କର ଏହା ହେଉଛି ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ। ସେପଟେ କୋଭିଡ୍ କଟକଣା ମଧ୍ୟରେ ନେଗେଟିଭ ପ୍ରମାଣ ପତ୍ର ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଅନେକ ଭକ୍ତ ବିନା ପ୍ରମାଣ ପତ୍ର ଯୋଗୁଁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହୋଇଥାଏ ଉତ୍ତରାୟଣ ଗତି। ଏହି ଉତ୍ତରାୟଣ ସମୟରେ ଧୀରେଧୀରେ ଗରମ ଅନୁଭୁତ ହୋଇଥାଏ। ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଙ୍କ୍ରାନ୍ତି ଏକ ପ୍ରମୂଖ ପର୍ବ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପାଳିତ ହେଉଛି ମକରବେଢା। ଏହି ଅବସରରେ ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ କରାଯାଉଛି ନୀତି। 

ରାତି ୪.୧୫ ମିନିଟରେ ଦ୍ୱାରଫିଟା ଓ ୫.୦୫ରେ ମଙ୍ଗଳଆରତୀ କରାଯାଇ ସକାଳ ଧୂପ ବଢିଛି। ସେହିପରି ୧୧ଟାରେ ମକରବେଢା ହେବା ସହ ଅନ୍ୟାନ୍ୟ ନୀତି ସହ ସକାଳ ଧୂପରେ ଲାଗି ହୋଇଛି ମକର ଚାଉଳ ପ୍ରସାଦ। ମକର ଚାଉଳ ଭୋଗ ସହ ମହାପ୍ରଭୂଙ୍କ ମକରବେଶ ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ମହାପ୍ରଭୂଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡଓଡିଆ ମଠ ପକ୍ଷରୁ ରଙ୍ଗବେରଙ୍ଗର ବିଭିନ୍ନ ସୁଗନ୍ଧ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । 

ସେପଟେ ଗତକାଲି ରାତିରୁ ଆଲାମଚଣ୍ଡୀ ପକ୍ଷରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ମକରତାଡ ଯୋଗାଇ ଦିଆଯାଇଛି। ଅବକାଶ ନୀତି ପରେ ମହାପ୍ରଭୂ ମକରବେଶ ବା ମକର ଚୌରାଶି ବେଶରେ ମଇଲମ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସେପଟେ ଅଁଳା ବେଢା ଉପରେ ରାମାନନ୍ଦି ଚିତ୍ତା ଅଙ୍କନ ସହ ମହାପ୍ରଭୁଙ୍କୁ ଲାଗି ହୋଇଛି ସର୍ବବୃହତ ଖିଲିପାନ।

ସେପଟେ ଆଜିର ଏହି ପବିତ୍ର ଦିବସରେ ହଜାର ହଜାର ଭକ୍ତ କୋଭିଡ୍ ନିୟମ ଆଧାରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ଅମୃତତୁଲ୍ଯ ମକର ଚାଉଳ ପ୍ରସାଦ ପାଇବା ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ସମାଗମ। ସେପଟେ ପ୍ରତିଟି ଓଡିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯିବାର ପରମ୍ପରା ରହିଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକର ସଂକ୍ରାନ୍ତି ଦିନ ଠାରୁ ହିଁ ବନ୍ଦ ହୋଇଥାଏ। 

କାରଣ ମା ଲକ୍ଷ୍ନୀ ଠାକୁରାଣୀ ଧନୁ ସଂକ୍ରାନ୍ତି ଠାରୁ ନିଜ ବାପଘରକୁ ଯାଇଥିବାରୁ ମା ବିମଳା ନିଜ ପୁତ୍ରପାଇଁ ସକାଳୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ  । ଆଉ ଏବେ ଲକ୍ଷ୍ନୀ ସାଆନ୍ତାଣୀ  ପ୍ରତ୍ୟାବର୍ତନ କରିଥିବାରୁ ଏବେ ମହାପ୍ରଭୂ ମା' ଲକ୍ଷ୍ନୀଙ୍କ ହାତରନ୍ଧା ଖାଇବେ ବୋଲି ବିଧି ରହିଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଭିତରେ ଓ ବାହାରେ କରାଯାଇଛି ସ୍ୱତନ୍ତ୍ର ବ୍ଯବସ୍ଥା। କୋଭିଡ୍ ନେଗେଟିଭ ପ୍ରମାଣପତ୍ର ନଥିବାରୁ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ମକରଚଉରାଶୀ ବେଶ ଦର୍ଶନ କରିନପାରି  ଅନେକ ଭକ୍ତ ନିରାଶ ହୋଇଛନ୍ତି।

ତେବେ ଆସନ୍ତା ୨୧ରୁ ଭକ୍ତଙ୍କ ଉପରୁ ହଟିବ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଦେଖାଇବା କଟକଣା। ଭକ୍ତମାନେ ବିନା ନେଗେଟିଭ ପ୍ରମାଣପତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ହେଲେ ଏଭଳି ବ୍ଯବସ୍ଥା ଭକ୍ତଙ୍କ ପାଇଁ କେତେ ସ୍ୱାସ୍ଥ୍ୟପ୍ରଦ ଆଉ ସୁରକ୍ଷିତ ହେବ ତାହା ଉପରେ ରହିବ ସମସ୍ତଙ୍କ ନଜର।