ଭାରତର ଦୁର୍ବଳ ପ୍ରଦର୍ଶନ, ପ୍ରଥମ ଦିନରେ ବର୍ଷା ବାଧକ
Advertisement

ଭାରତର ଦୁର୍ବଳ ପ୍ରଦର୍ଶନ, ପ୍ରଥମ ଦିନରେ ବର୍ଷା ବାଧକ

ଭାରତ  ୫ ୱିକେଟ୍ ହରାଇ ୧୨୨ ରନ୍ କରିଛି ।

ଫଟୋ ସୌଜନ୍ୟ: ଟ୍ୱିଟର@BCCI

ଦେବେଶ କୁମାର ନାହକ, ନୂଆଦିଲ୍ଲୀ: ୱେଲିଂଟନ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ବର୍ଷା ଯୋଗୁଁ ମାତ୍ର ୫୫ ଓଭର ଖେଳ ହୋଇଛି ।  ଭାରତ  ୫ ୱିକେଟ୍ ହରାଇ ୧୨୨ ରନ୍ କରିଛି । ଉପ ଅଧିନାୟକ ଅଜିଙ୍କ୍ୟା ରାହାଣେ ୩୮ ଓ ଋଷବ ପନ୍ଥ ୧୦ ରନରେ ଅପରାଜିତ ଅଛନ୍ତି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ୍ । ୱେଲିଂଟନରେ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି ।  ଟି-ଟ୍ୱେଣ୍ଟି ଏବଂ ଦିନିକିଆ ପରେ ଏବେ ଟେଷ୍ଟ ସିରିଜ୍ ଉପରେ ଉଭୟ ଦଳର ନଜର ରହିଛି ।  ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ପୃଥ୍ୱୀ ସ' ଏବଂ ମୟଙ୍କ ଅଗ୍ରୱାଲ ଇନିଂସ ଓପେନ୍ କରିଥିବା ବେଳେ ୧୬ ରନରେ ଆଉଟ୍ ହୋଇଥିଲେ ସ' । ଅଗ୍ରୱାଲ ୩୪, ପୂଜାରା ୧୧, ଅଧିନାୟକ କୋହଲି ୨ ଏବଂ ହନୁମା ବିହାରୀ  ୭ ରନରେ ପ୍ୟାଭିଲିଅନ୍ ଫେରିଥିଲେ । 

ରାହାଣେ ୩୮ ଏବଂ ପନ୍ତ ୧୦ ରନ୍ କରି ଅପରାଜିତ ଅଛନ୍ତି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ କିନ୍ତୁ ରାହାଣେ ଦମ୍ଭର ସହ ଖେଳ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନା କରି ନ ପାରି ଫେଲ୍ ମାରିଛନ୍ତି ଟପ୍ ଅର୍ଡର ଖେଳାଳି ।  ନ୍ୟୁଜିଲାଣ୍ଡ ପକ୍ଷରୁ କାଲେ ଜେମିସନ୍ ସର୍ବାଧିକ ୩ଟି ୱିକେଟ୍ ମିଳିଥିବା ବେଳେ ସାଉଦି ଏବଂ ବୋଲ୍ଟଙ୍କୁ  ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।  ପ୍ରଥମ ଦିନ ଖେଳରେ ବର୍ଷା ବାଧକ ସାଜିଛି ।  ୫୫ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଭାରତ ୫ ୱିକେଟ୍ ହରାଇ କରିଛି ମାତ୍ର ୧୨୨ ରନ୍ ।

ୱେଲିଂଟନରେ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା ଯାହାର ଫାଇଦା ବୋଲରଙ୍କୁ ମିଳିଛି ।  ଖୁବ୍ କମ୍ ରନ୍ ମଧ୍ୟରେ ଭାରତକୁ ସୀମିତ ରଖିବା ପାଇଁ ଉଦ୍ୟମ କରିବ କିୱି ଟିମ୍ । ସେପଟେ, ସମ୍ମାନଜନକ ସ୍କୋର କରିବା ପାଇଁ ପ୍ରୟାସ କରିବ ଟିମ୍ ଇଣ୍ଡିଆ ।  ଭାରତ ଟି-ଟ୍ୱେଣ୍ଟି ସିରିଜ୍ କ୍ଲିନସୁଇପ୍ କରିଥିବା ବେଳେ ଦିନିକିଆ ସିରିଜକୁ କ୍ଲିନସୁଇପ୍ କରିଥିଲା ନ୍ୟୁଜିଲାଣ୍ଡ । ତେଣୁ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବେଶ୍ ରୋମାଞ୍ଚକ ହେବା ଆଶା କରାଯାଉଛି । 

ଆହୁରି ପଢ଼ନ୍ତୁ; ନିର୍ଭୟା ମାମଲା: ଶେଷ ଦେଖା ପାଇଁ ଶେଷ ସୁଯୋଗ...