ଫଳାଫଳକୁ ନେଇ ବିଜେପି ସତରେ କ'ଣ ଦୁଃଖି ?
Advertisement

ଫଳାଫଳକୁ ନେଇ ବିଜେପି ସତରେ କ'ଣ ଦୁଃଖି ?

ସ୍ୱପ୍ନ ଦେଖିଥିଲେ ମୋଦି, ସାକାର କରୁଛନ୍ତି କେଜ୍ରି

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ୨୦୧୫ରେ ଯାହା ହୋଇଥିଲା, ୨୦୨୦ରେ ପାଖାପାଖି ସେୟା ହିଁ ହେଲା । ପୁଣିଥରେ ଦିଲ୍ଲୀ ପୋଛିନେଲା ଆପ୍ । ବିଜେପିକୁ ପୂର୍ବାପେକ୍ଷା କିଛି ଆସନ ଅଧିକ ମିଳିଛି ସତ, ହେଲେ ସ୍ଥିତି ସମାନ କହିଲେ ଚଳେ । ଦିଲ୍ଲୀ ଦଖଲ ପାଇଁ ଦଳ ଆପଣେଇଥିବା ସମସ୍ତ ପ୍ରକାର ରଣନୀତି ଗୋଟିଏ ପ୍ରକାର ଫେଲ ମାରିଛି । କେନ୍ଦ୍ରରେ ମୋଦି ସରକାର ଥିବା ସତ୍ତ୍ୱେ ଏକମାତ୍ର ରାଜ୍ୟ(କେନ୍ଦ୍ର ଶାସିତ) ଭାବେ ଦିଲ୍ଲୀରେ ୨ଥର ପରାଜୟ ବରଣ କରିଛି ଗେରୁଆ ଦଳ । ହେଲେ ଏଠାରେ ପ୍ରଶ୍ନ, ସତରେ କ'ଣ ଏ ପରାଜୟ ବିଜେପି ପାଇଁ ବଡ଼ ଝଟକା ?



୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ମୁକ୍ତ ଭାରତର ନାରା ଦେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା ବିଜେପି । ଲୋକଙ୍କ ଦ୍ୱାରା ଏ ନାରା ବେଶ ଆଦୃତ ମଧ୍ୟ ହୋଇଥିଲା । ସେହି ସମୟରେ କଂଗ୍ରେସ ଏକପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହେଲା । ବିରୋଧୀ ଦଳ ଆସନ ମଧ୍ୟ ଦଳକୁ ମିଳି ନ ଥିଲା । ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟକୁ ଦଖଲକୁ ନେଇଥିଲା ବିଜେପି । ମନେ ହେଉଥିଲା, ସତ ହେବ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ !



ହେଲେ, ୨୦୧୮ ଶେଷ ବେଳକୁ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ପୁଣିଥରେ ମଇଦାନକୁ ଫେରିଥିଲା କଂଗ୍ରେସ । ଭାରତର ହାର୍ଟଲ୍ୟାଣ୍ଡ କୁହାଯାଉଥିବା ୩ ବିଜେପି ଶାସିତ ରାଜ୍ୟରେ ଦଳ ଉଡ଼ାଇଥିଲା ବିଜୟ ବାନା । ସେହିପରି ଯଦିଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପୁଣିଥରେ ବିପର୍ଯ୍ୟୟର ସମ୍ମୁଖୀନ ହେଲା, ତଥାପି ମଧ୍ୟ ରାଜ୍ୟ ଗୁଡ଼ିକରେ ପ୍ରଭାବ ବିସ୍ତାର କରି ବିଜେପିର କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା । ୪ ନମ୍ବରରେ ଥାଇ ମଧ୍ୟ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲା କଂଗ୍ରେସ । ଜେଏମଏମ ସହ ମିଶି ଝାଡ଼ଖଣ୍ଡରେ ମଧ୍ୟ ମେଣ୍ଟ ସରକାର କରିଛି ଦଳ ।



ଏ ତମାମ ଘଟଣା ଦେଖିଲେ ମନେ ହୁଏ, କଂଗ୍ରେସ ମୁକ୍ତ ଭାରତ ଅର୍ଥାତ ଆକାଶ କଇଁଆ ଚିଲିକା ମାଛ । ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା, ତାହା ପୁରା କରିବା କାଠିକର ପାଠ । ହେଲେ ବିଜେପିର ଏହି ସ୍ୱପ୍ନକୁ ଦିଲ୍ଲୀରେ ବାସ୍ତବ ରୂପ ଦେଇଛି ଆପ୍ । ଥରେ ନୁହେଁ, ଲଗାତାର ଦୁଇଥର ହେଲା ଦେଶର ରାଜଧାନୀରେ ଖାତା ଖୋଲିପାରିନି କଂଗ୍ରେସ । ୨୦୧୫ରେ ଶୂନ ଏବଂ ୨୦୨୦ରେ ବି ଶୂନ ।



ଦେଶରେ ବିଜେପିର ମୁଖ୍ୟ ବିରୋଧୀ ଦଳ ହେଲା କଂଗ୍ରେସ । ବିଜେପି ଯଦିଓ କଂଗ୍ରେସ ମୁକ୍ତ ଭାରତର ନାରା ଦେଇଛି, କିନ୍ତୁ ଏହାକୁ ବାସ୍ତବ ରୂପ ଦେଉଛି ଆପ୍ । ଅର୍ଥାତ ବିଜେପି ସ୍ୱପ୍ନ ଦେଖିଥିଲା, ଆପ୍ ସାକାର କରୁଛି । ଯାହା ଦେଶର କୌଣସି ବି ରାଜ୍ୟରେ ମୋଦି-ଶାହ କରିପାରିନଥିଲା, ତାହା ଦୁଇଥର ହେଲା ଦିଲ୍ଲୀରେ କରି ଦେଖାଇଲାଣି କେଜ୍ରିୱାଲ ।



ଗୋଟିଏ ଦୃଷ୍ଟିରୁ ବିଜେପି ଏଥର ପୂର୍ବ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିଛି । ଅନ୍ୟପଟେ ଦିଲ୍ଲୀ ପୁଣିଥରେ ହୋଇଛି କଂଗ୍ରେସ ମୁକ୍ତ । ଗଲା ୫ ବର୍ଷ ହେଲା ଦିଲ୍ଲୀ ବିଧାନସଭାକୁ ଏଣ୍ଟ୍ରି ମାରିନାହାଁନ୍ତି କଂଗ୍ରେସ ନେତାଏ । ଆଗକୁ ୫ ବର୍ଷ ମଧ୍ୟ ପ୍ରବେଶ ନିଷେଧ । ତେଣୁ ଦିଲ୍ଲୀରେ ପରାଜୟ ସତ୍ତ୍ୱେ ବିଜେପି ଖୁସ ହେବା କଥା ! କାହିଁକିନା ଆପ୍ ବା ବିଜେପିର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି !