ଏଇ କିଛିଦିନ ଧରି ଅଷ୍ଟ୍ରେଲିଆ ସମଗ୍ର ବିଶ୍ୱରେ ଶିରୋନାମା ପାଲଟିଛି । ଜଙ୍ଗଲରେ ନିଆଁ ଲାଗିବା, ବର୍ଷା ହେବା ଏବଂ ଏବେ ଧୂଳି ଝଡ଼ । ସମଗ୍ର ଅଷ୍ଟ୍ରେଲିଆକୁ ଏବେ ଧୂଳିଝଡ଼ ଗ୍ରାସିଛି । ତେବେ କେଉଁଠି ନା କେଉଁଠି ଏଥିପାଇଁ ଆମେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରି ପାରିବା ?
Trending Photos
ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ଏବେ ଶନି ଦଶା ପଡ଼ିଛି । ଅଗ୍ନିକୁଣ୍ଡରେ ପ୍ରାୟ ୫୦ କୋଟି ଜୀବଜନ୍ତୁ ଭସ୍ମୀଭୂତ ହୋଇ ଯାଇଛନ୍ତି । ସେଥିପାଇଁ ଅଷ୍ଟ୍ରେଲିଆ ସରକାର ଅଟୋମାନଙ୍କୁ ଗୁଳି କରି ମାରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଓଟମାନେ କୁଆଡ଼େ କଙ୍ଗାରୁ ଦେଶର ସବୁ ପାଣି ଶୋଷି ନେଉଛନ୍ତି । ନିଜ ଦେଶର ହୋଇ ନଥିଲେ ବି ବିଚରା ଓଟମାନଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସରକାର । ବ୍ରିଟିଶ୍ ଇଣ୍ଡିଆ ଓ ଆଫଗାନୀସ୍ଥାନରୁ ଓଟ ଆମଦାନୀ କରିଥିବା ଅଷ୍ଟ୍ରେଲିଆ ପାଇଁ କ'ଣ ଏହା ହିଁ ଶେଷ ରାସ୍ତା ? ଊନବିଂଶ ଶତାବ୍ଦୀରେ ମଧ୍ୟ ଓ ପଶ୍ଚିମ ଅଷ୍ଟ୍ରେଲିଆରେ ପରିବହନ ଓ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ସାମଗ୍ରୀ ବୋହିବା ପାଇଁ ଅଷ୍ଟ୍ରେଲିଆ ଏହି ଓଟମାନଙ୍କୁ ବ୍ୟବହାର କରୁଥିଲା । କାଳକ୍ରମେ ଏହି ଓଟ ସଂଖ୍ୟା ଏତେ ବୃଦ୍ଧି ପାଇଲା ଯେ ଶେଷରେ ତାଙ୍କୁ ହତ୍ୟା କରିବା ପାଇଁ ସରକାର ପଛଘୁଞ୍ଚା ଦେଲେ ନାହିଁ ।
ତେବେ ଏଇ କିଛିଦିନ ଧରି ଅଷ୍ଟ୍ରେଲିଆ ସମଗ୍ର ବିଶ୍ୱରେ ଶିରୋନାମା ପାଲଟିଛି । ଜଙ୍ଗଲରେ ନିଆଁ ଲାଗିବା, ବର୍ଷା ହେବା ଏବଂ ଏବେ ଧୂଳି ଝଡ଼ । ସମଗ୍ର ଅଷ୍ଟ୍ରେଲିଆକୁ ଏବେ ଧୂଳିଝଡ଼ ଗ୍ରାସିଛି । ତେବେ କେଉଁଠି ନା କେଉଁଠି ଏଥିପାଇଁ ଆମେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରି ପାରିବା ? କାରଣ ଆଉ କିଛି ବର୍ଷ ପରେ ସାରା ବିଶ୍ୱର ଅବସ୍ଥା ଅଷ୍ଟ୍ରେଲିଆ ପରି ହିଁ ହେବ, ଏଥିରେ ଦ୍ୱିମତ ନାହିଁ । ଭାରତ କଥାକୁ ବିଚାର କଲେ, ଆମ ଦେଶରେ ବି ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା । ପ୍ରଦୂଷଣ ମାତ୍ରା ଯେଉଁ ଭଳି ଭାବେ ବୃଦ୍ଧି ପାଉଛି, ତାହା ତ ସମସ୍ତେ ଜାଣିଛନ୍ତି । ତେବେ ଜଙ୍ଗଲ ପରିସଂଖ୍ୟନ ଉପରେ ଦୃଷ୍ଟି ଦେଲେ, ୨୦୧୦ ମସିହାରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଭାରତର ଜଙ୍ଗଲ ୬୮ ମିଲିୟନ ହେକ୍ଟର ଥିବା ଦର୍ଶାଯାଇଥିଲା, ଯାହାକି ସମଗ୍ର ଭାରତର ୨୨ ପ୍ରତିଶତ । ଏହାପରେ ୨୦୧୩ ମସିହାରେ ଭାରତର ଜଙ୍ଗଲ ସର୍ଭେ ରିପୋର୍ଟ ଅନୁସାରେ ଏହି ଜଙ୍ଗଲ ପରିମାଣ ୬୯.୮ ମିଲିୟନ ହେକ୍ଟର ରହିଥିଲା । ଉତ୍ତର, ଦକ୍ଷିଣ ଓ ମଧ୍ୟ ଭାରତରେ ଜଙ୍ଗଲର ପରିମାଣ ବୃଦ୍ଧି ପାଇଥିବାବେଳେ ଉତ୍ତର-ପୂର୍ବ ଭାରତରେ ଜଙ୍ଗଲ ପରିମାଣ ବହୁଳ ଭାବେ ହ୍ରାସ ପାଇଥିଲା । ସେହିଭଳି ଓଡ଼ିଶାରେ ମଧ୍ୟ ଦିନକୁ ଦିନ ଜଙ୍ଗଲ ପରିମାଣ ହ୍ରାସ ପାଇବାରେ ଲାଗିଛି ।
ସହରୀ ସଭ୍ୟତା ସଂପ୍ରସାରଣ ହେବା ଫଳରେ ଜଙ୍ଗଲ ପରିମାଣ ହ୍ରାସ ପାଇବା ସହ ଜଙ୍ଗଲୀ ପଶୁ ପକ୍ଷୀ ଜନବସତି ମୁହାଁ ହେଉଛନ୍ତି । ସେଥିପାଇଁ ପ୍ରାୟ ସବୁଦିନ କେଉଁଠି ହାତୀ ମଣିଷକୁ ମାରିଦେବାର ଖବର ପ୍ରକାଶିତ ହେଉଛି ତ ଆଉ କେଉଁ ସହର ଭିତରକୁ ବାଘ ପଶି ଯାଉଛି । ସେହିପରି ଜଙ୍ଗଲ ଭିତରକୁ ପଶି ଶିକାରୀ ଶତାଧିକ ଜୀବଜନ୍ତୁ ଶିକାର କରୁଛନ୍ତି । ଜୀବଜନ୍ତୁ ରହିବା ସହ ଜଙ୍ଗଲ ରହିଲେ ପରିବେଶ ସନ୍ତୁଳନ ହୋଇଥାଏ । ମାତ୍ର, ନା ଏଠି ଜଙ୍ଗଲ ରହୁଛି, ନା ରହୁଛନ୍ତି ଜୀବଜନ୍ତୁ । ବନ ବିଭାଗର ରିପୋର୍ଟ ଅନୁସାରେ, ୨୦୧୧-୧୨ରେ କେବଳ ହାତୀ ଶିକାର ଘଟଣାରେ ୮ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୩୨ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ୨୦୧୨-୧୩ରେ ହାତୀ ଶିକାର ମାମଲା ୧୨ଟି ରୁଜୁ ହୋଇଥିବାବେଳେ ୨୩ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୩-୧୪ରେ ୧୭୩ଟି ମାମଲା ରୁଜୁ ହୋଇଥିବା ବେଳେ ୩୫୫ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୪-୧୫ରେ ମୋଟ ୧୮୭ଟି ମାମଲା ହୋଇଥିବାବେଳେ ୩୯୦ ଜଣ ଗିରଫ ହୋଇଥିଲେ । ଏହାପରେ ବନ୍ୟଜନ୍ତୁ ଶିକାର ରାଜ୍ୟରେ ପ୍ରବଳ ମାତ୍ରାରେ ବଢ଼ି ଯାଇଥିଲା । ୨୦୧୫-୧୬ରେ ୨୩୮ଟି ମାମଲା ରୁଜୁ ହେବା ସହ ୭୦୫ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୬-୧୭ରେ ଶିକାର ସଂଖ୍ୟା ବୃଦ୍ଧି ପାଇ ୨୨୨ ହୋଇଥିଲା ଏବଂ ୫୨୩ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୮-୧୯ରେ ଏହା ଆହୁରି ଅଧିକ ବୃଦ୍ଧି ପାଇଥିଲା । ପ୍ରାୟ ୧୨୩୬ ଜଣଙ୍କୁ ଶିକାର ମାମଲାରେ ଗିରଫ କରାଯାଇଥିଲା । ଏହା ନିଶ୍ଚିତ ଭାବେ ଏକ ଗୁରୁତର ବିଷୟ...
କେବଳ ବନ୍ୟଜନ୍ତୁ ଶିକାର ନୁହେଁ, ଗତ କିଛିବର୍ଷ ଧରି ଓଡ଼ିଶା ବଜ୍ରକାପ୍ତା ଚାଲାଣରେ ମଧ୍ୟ ଶୀର୍ଷରେ ରହିଛି । କେତେ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହି ରାକେଟ୍ କୁ ସମ୍ପୂର୍ଣ୍ଣ ଭାବେ ରୋକିବାରେ ପ୍ରଶାସନ ଫେଲ୍ ମାରିଛି । ଏହି ବଜ୍ରକାପ୍ତା କୁଆଡ଼େ ଚୀନକୁ ପଠାଯାଉଛି । ସେଠାକାର ହାଇ ପ୍ରୋଫାଇଲ ଲୋକଙ୍କ କୁଆଡ଼େ ଏହା ପ୍ରିୟ ବ୍ୟଞ୍ଜନ । ଯେହେତୁ ଏହାକୁ ହାଇ ପ୍ରୋଫାଇଲ ଲୋକମାନେ ଖାଉଛନ୍ତି, ତେଣୁ ଏହାର ମୂଲ୍ୟ ମଧ୍ୟ ଢେର୍ ଅଧିକ । ତେବେ ଏସବୁ ଯଦି ପୋଲିସ ଜାଣିଛି, ତେବେ କାହିଁକି ଏହି ରାକେଟକୁ ଧରୁନି ! ତେଣୁ, ଓଡ଼ିଶାର ଅବସ୍ଥା ମଧ୍ୟ ଦିନକୁ ଦିନ ସାଙ୍ଘାତିକ ସ୍ଥିତି ଦେଇ ଗତି କରୁଛି ।
ସେହିପରି ପ୍ରଦୂଷଣ ମାତ୍ରା ମଧ୍ୟ ଓଡ଼ିଶାରେ ବହୁଳ ମାତ୍ରାରେ ବୃଦ୍ଧି ପାଇଛି । ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ଅନୁଗୁଳ, ତାଳଚେର, କଟକ, ବାଲେଶ୍ଵର ଓ ରାଉରକେଲା ଭଳି ୫ଟି ସହରରେ କୋଇଲା ଚୁଲା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଦୂଷଣ ମାତ୍ରା ବୃଦ୍ଧି ହେତୁ ପ୍ରତିବର୍ଷ ରାଜ୍ୟରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ୨୦୧୮ ମସିହାରେ ଲାନସେଟ୍ ରିପୋର୍ଟ ଅନୁସାରେ, ଓଡ଼ିଶାରେ ବାୟୁ ପ୍ରଦୂଷଣ ଯୋଗୁ ୩୧ ହଜାର ୧୭୮ ଜଣ ଲୋକ ପ୍ରାଣ ହରାଇଥିଲେ । ସେହପରି ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୬୫.୩ ପ୍ରତିଶତ ଲୋକଙ୍କ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ହେଉଛି । ତନ୍ମଧ୍ୟରୁ ୧୭ ହଜାର ୬୩୩ ଜଣ ଲୋକ ଗୃହ ନିର୍ମାଣରୁ ହେଉଥିବା ପ୍ରଦୂଷଣ କାରଣରୁ ପ୍ରାଣ ହରାଇଛନ୍ତି ଏବଂ ୧୧ ହଜାର ୯୮୫ ଜଣ ଲୋକ ବାୟୁ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଛନ୍ତି । ତେବେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହୃତ୍ ଜନିତ ରୋଗ ଏବଂ ଶ୍ୱାସଜନିତ ରୋଗରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଲେ ଓଡ଼ିଶାର ଲୋକଙ୍କ ଆୟୁଷ ୧.୨ ବର୍ଷ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ସେହପରି ସହରାଞ୍ଚଳ ବାୟୁ ପ୍ରଦୂଷଣ ପାଇଁ ମୁଖ୍ୟତଃ ଶିଳ୍ପ ଓ କଳ କାରଖାନା ଦାୟୀ ରହିଥିବା ହେତୁ ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ ଓ ରାଉରକେଲାର ଶିଳ୍ପ ଗୁଡ଼ିକୁ ରେଡ୍, ଓରେଞ୍ଜ ଓ ଗ୍ରୀନ୍ ଭଳି ତିନିଟି କାଟାଗୋରୀରେ ବିଭକ୍ତ କରାଯାଇଛି । ତେଣୁ ଏ ସବୁ ପ୍ରତି ଏବେଠୁ ଧ୍ୟାନ ଦେବା ନିହାତି ଆବଶ୍ୟକ । କେବଳ ଓଡ଼ିଶା ନୁହେଁ, ଭାରତର ଅନେକ ରାଜ୍ୟକୁ ଏବେ ପ୍ରଦୂଷଣ ରାକ୍ଷସ ଗ୍ରାସ କରିଛି । ଏହାରି କବଳରୁ ମୁକ୍ତି ପାଇବା ଭାରି କଷ୍ଟ । ଦେଶର ରାଜଧାନୀ ଦିଲ୍ଲୀରେ ଯେଭଳି ପ୍ରଦୂଷଣ ବଢ଼ିଚାଲିଛି, ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ହେବ । ତେଣୁ, ପ୍ରଦୂଷଣ ବୃଦ୍ଧି, ଜଙ୍ଗଲ ହ୍ରାସ, ଜୀବଜନ୍ତୁ ଶିକାର ଆଦି ଯୋଗୁ ଜଳବାୟୁ ପରିବର୍ତ୍ତନ ହୋଇଥାଏ । ଏସବୁକୁ ଯଦି ଗୁରୁତ୍ୱର ସହ ନିଆ ନ ଯାଏ, ତେବେ ଖୁବ୍ କମ୍ ବର୍ଷ ଭିତରେ ଭାରତକୁ ମଧ୍ୟ ଅଷ୍ଟ୍ରେଲିଆ ଭଳି ବିପଦର ସାମ୍ନା କରିବାକୁ ପଡ଼ିବ ।