ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରୁ ଟେକିନେଲା ପୋଲିସ
Advertisement

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରୁ ଟେକିନେଲା ପୋଲିସ

ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ବେଙ୍ଗାଲୁରୁ ଯାଇଥିଲେ ଦିଗବିଜୟ ସିଂହ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ବେଶ ରୋମାଞ୍ଚକର ମଧ୍ୟପ୍ରଦେଶ 'ମହାଭାରତ'ର ବେଙ୍ଗାଲୁରୁ ଏପିସୋଡ଼ । ବିଦ୍ରୋହୀ ବିଧାୟକଙ୍କୁ ସାକ୍ଷାତ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ବେଙ୍ଗାଲୁରୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଏହି ସମୟରେ ୨୧ ବିଦ୍ରୋହୀ ବିଧାୟକ ଥିବା ହୋଟେଲ ନିକଟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । କଂଗ୍ରେସ ବିଧାୟକଙ୍କୁ ଏଠି ବନ୍ଧକ ରଖାଯାଇଥିବା ଅଭିଯୋଗ କରିଛନ୍ତି ଦିଗବିଜୟ । 

ବୁଧବାର ପୁରା ଘଟଣା କିଛି ଏପରି ହୋଇଛି । ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ବେଙ୍ଗାଲୁରୁ  ଯାଇଥିଲେ ଦିଗବିଜୟ ସିଂହ । ପ୍ରଥମେ କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବକୁମାରଙ୍କୁ ସାକ୍ଷାତ କରିଥିଲେ । ପରେ ବିଦ୍ରୋହୀ ବିଧାୟକ ଥିବା ରାମଦା ହୋଟେଲକୁ ଯାଇଥିଲେ ଦିଗବିଜୟ । ମାତ୍ର ହୋଟେଲ ଭିତରକୁ ପ୍ରବେଶ ପାଇଁ  ପୋଲିସ ତାଙ୍କୁ ଅନୁମତି ଦେଇନଥିଲା । ଶେଷରେ ହୋଟେଲ ବାହାରା ଧାରଣାରେ ବସିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଏହି ସମୟରେ କଂଗ୍ରେସ ସମର୍ଥକଙ୍କ ଭିଡ଼ ମଧ୍ୟ ଜମିଥିଲା । ଅନ୍ୟପଟେ ସ୍ଥିତି ସ୍ୱାଭାବିକ କରିବାକୁ ଯାଇ ଦିଗବିଜୟଙ୍କୁ ଧାରଣା ସ୍ଥଳରୁ ପୋଲିସ ଉଠାଇ ନେଇଛି । 

ପୁରା ଘଟଣାକୁ ନେଇ ଦିଗବିଜୟ କହିଛନ୍ତି, ''ମୁଁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛି । ଆସନ୍ତା ୨୬ରେ ଭୋଟ ହେବାର ଅଛି । ତେଣୁ ମୁଁ ମୋ ଦଳୀୟ ବିଧାୟକଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲି । ମାତ୍ର ମୋତେ ପୋଲିସ ଯିବାକୁ ଦେଉନାହିଁ । ଯେଉଁ ବିଧାୟକମାନେ ଏହି ହୋଟେଲରେ ଅଛନ୍ତି, ସେମାନଙ୍କ ପରିବାରର ସନ୍ଦେଶ ମଧ୍ୟ ମୁଁ ନେଇ ଆସିଥିଲି । ମାତ୍ର ଏଠି ଆମ ଦଳୀୟ ବିଧାୟକଙ୍କୁ ବନ୍ଧକ ରଖାଯାଇଛି । ପୋଲିସ ୨୫ ଘଣ୍ଟା ପହରା ଦେଉଛି ।''

ଦିଗବିଜୟ ସିଂହ ଆହୁରି ମଧ୍ୟ କହିଛନ୍ତି, ଫୋନରେ ବିଧାୟକଙ୍କ ସହ ବାର୍ତ୍ତାଳାପ କରିବାକୁ ଉଦ୍ୟମ   କଲେ ମଧ୍ୟ ପୋଲିସ କରିବାକୁ ଦେଉନାହିଁ । କିଛି ବିଧାୟକ ମୋ ସହ ଫୋନରେ କଥା ହେବାକୁ ଚାହୁଁଥିଲେ, ମାତ୍ର  ପୋଲିସ ସେମାନଙ୍କ ପାଖରୁ ଫୋନ ଛଡ଼ାଇ ନେଇଥିବା ସେ ଅଭିଯୋଗ  କରିଛନ୍ତି । 

ତେବେ ଏ ତମାମ ସ୍ଥିତି ମଧ୍ୟରେ ଆଜି ମଧ୍ୟପ୍ରଦେଶରେ ଫ୍ଲୋର ଟେଷ୍ଟ ନେଇ ବିଜେପି ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି ଦେବ । ଦେଶର  ସର୍ବୋଚ୍ଚ ଅଦାଲତର ଏହି ଶୁଣାଣି ବେଶ୍ ଗୁରୁତ୍ୱବହନ କରୁଛି ।  

 ଆହୁରି ପଢ଼ନ୍ତୁ; ସବୁ ଶପଥ ପରେ...