Trending Photos
ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ଚର୍ଚ୍ଚା ସରଗରମ । ପୋଲିସ କେଉଁ ପରିସ୍ଥିତିରେ ଏନକାଉଣ୍ଟର କରିଛି ? ଜୋସରେ ଜନତା ସିନା ତାରିଫ କରୁଛନ୍ତି, କିନ୍ତୁ ପ୍ରଶ୍ନ ଉଠାଇଛନ୍ତି ମାନବାଧିକାର କର୍ମୀ । ତେବେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ମିଶ୍ରିତ ପ୍ରତିକ୍ରିୟା ଆସୁଛି ।
ଦିଲ୍ଲୀ ସାଂସଦ ମିନାକ୍ଷୀ ଲେଖି କହିଛନ୍ତି, ପୋଲିସ ଯାହା କରିଛି ଠିକ କରିଛି । ପୋଲିସ ପାଖରେ ଅସ୍ତ୍ରଶସ୍ତ୍ର କେବଳ ସଜେଇ ରଖିବା ପାଇଁ ନୁହେଁ । ଆବଶ୍ୟକ ସ୍ଥଳେ ଏହାର ବ୍ୟବହାର ଆବଶ୍ୟକ । ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରୁଥିଲେ, ପୋଲିସ ଏନକାଉଣ୍ଟର କଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ବିଳମ୍ବ ନ୍ୟାୟ ଯୋଗୁଁ ଲୋକେ ଆଜି ଏହି ଏନକାଉଣ୍ଟରକୁ ସ୍ୱାଗତ କରୁଛନ୍ତି । ଦୁଷ୍କର୍ମ ମାମଲାରେ ତୁରନ୍ତ ନ୍ୟାୟ ମିଳୁନାହିଁ । ଅପରାଧିକ ମାମଲାରେ ତ୍ୱରିତ ନ୍ୟାୟ ଅଭାବରୁ ଆମ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଉଛି । ଏହା ଆମ ପାଇଁ ଚିନ୍ତାର ବିଷୟ ।
ସେହିପରି ପୋଲିସର ଏହି ଏନକାଉଣ୍ଟରକୁ ନେଇ ସମାଜବାଦୀ ପାର୍ଟି ସାଂସଦ ଜୟା ବଚନ କହିଛନ୍ତି, ଦେର ଆୟେ ଦୁରୁସ୍ତ ଆୟେ । ପୂର୍ବରୁ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତଙ୍କୁ ଚମକାଇଲା ଭଳି ମତ ରଖିଥିଲେ ଜୟା । କହିଥିଲେ, ଅଭିଯୁକ୍ତଙ୍କୁ ପବ୍ଲିକରେ ଛାଡି ଦିଆଯାଉ । ଜନତା ହିଁ ଦଣ୍ଡ ଦିଅନ୍ତୁ ।
କାହିଁକି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ ?
ପୋଲିସର ସୂଚନା ମୁତାବକ, ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଚେତନାପାଲି ଓଭରବ୍ରିଜ ନିକଟକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା । କାହିଁକିନା ଏହି ଓଭରବ୍ରିଜ ତଳୁ ହିଁ ଦିଶାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ତେବେ ପୋଲିସକୁ ତଦନ୍ତରେ ସହଯୋଗ ନକରି ଖସି ପଳାଇବାକୁ ଉଦ୍ୟମ କରିଥିଲେ ସମସ୍ତ ଅଭିଯୁକ୍ତ । ଆଉ ଏମାନଙ୍କୁ କାବୁ କରିବାରେ ବିଫଳ ହେବାରୁ ଏନକାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହୋଇଥିଲା ।
କୁହାଯାଉଛି, ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରଥମେ ଇସାରା କରିଥିଲା ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭର । ଆଉ ତାହା ଇସାରାରେ ସମସ୍ତେ ଏକା ସାଙ୍ଗରେ ଦୌଡିବାକୁ ଲାଗିଥିଲେ ।
ଆହୁରି ପଢନ୍ତୁ; 'ପୋଲିସ ଏନକାଉଣ୍ଟରକୁ ଯିଏ ବିରୋଧ କରୁଛି, ସିଏ ଦେଶଦ୍ରୋହୀ'