'ନାଥ' ସରକାରଙ୍କ ଆୟୁଷ ଶେଷ !
Advertisement

'ନାଥ' ସରକାରଙ୍କ ଆୟୁଷ ଶେଷ !

କର୍ଣ୍ଣାଟକ ଗଣିତ ମଧ୍ୟପ୍ରଦେଶରେ ଲାଗୁ ହେବ, ନା 'ମହା' ଝଟକା ପରି ଗେରୁଆ ଦଳ ଚକମା ଖାଇଯିବ, ତାହା ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ହେବ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ରାତି ପାହିଲେ କମଲନାଥ ସରକାର ଦେବେ ଫ୍ଲୋର ଟେଷ୍ଟ । ରାଜ୍ୟପାଳ ଏନେଇ ନିର୍ଦ୍ଦେଶ ଦେଇସାରିଛନ୍ତି । ହୋଇପାରେ, ସୋମବାର ମଧ୍ୟପ୍ରଦେଶ ସରକାର ଭାଙ୍ଗିବ । କାହିଁକିନା ବର୍ତ୍ତମାନର ସ୍ଥିତି କହୁଛି, କମଲନାଥ ସରକାରଙ୍କ ପାଖରେ ବହୁମତ ନାହିଁ । ହେଲେ କମଲନାଥଙ୍କ ମାଷ୍ଟରଷ୍ଟ୍ରୋକକୁ ଏବେ ବି ଭରସା କରିଛନ୍ତି ଦଳୀୟ ବିଧାୟକ । ଜୟପୁରରେ ୩/୪ ଦିନ ରହିବା ପରେ କଂଗ୍ରେସର ୯୨ ବିଧାୟକ ଆଜି ଭୋପାଲ ଫେରିଛନ୍ତି । ଆସନ୍ତାକାଲି କିପରି ବହୁମତ ସାବ୍ୟସ୍ତ କରିବେ, ସେନେଇ ଯୋଗାଡ଼ରେ ବ୍ୟସ୍ତ ମୁଖ୍ୟମନ୍ତ୍ରୀ କମଲନାଥ । 

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ୨୨ ଦଳୀୟ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ । ଅବଶ୍ୟ ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି । ହେଲେ  ବେଙ୍ଗାଲୁରୁରେ ଥିବା ଏହି ବିଧାୟକମାନେ ଆସନ୍ତାକାଲି ଯେ ଫ୍ଲୋର ଟେଷ୍ଟ ପାଇଁ ମଧ୍ୟପ୍ରଦେଶ ଫେରିବେ, ସେମିତି କିଛି ମନେ ହେଉନାହିଁ । ସୁରକ୍ଷାକୁ ଢାଳ କରି ବିଦ୍ରୋହୀ ବିଧାୟକ ଆସି ନ ପାରନ୍ତି । ଯଦି ଏପରି ହୁଏ, ତେବେ ଫ୍ଲୋର ଟେଷ୍ଟରେ କମଲନାଥ ସରକାର ଭାଙ୍ଗିବା ପକ୍କା । ସେପଟେ ସିନ୍ଧିଆଙ୍କୁ ହାତେଇ ଗେରୁଆ ଦଳ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ତାହା  ଏକପ୍ରକାର ସଫଳ ହେବାକୁ ଯାଉଛି । 

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ୧୬ ମାର୍ଚ୍ଚ ୨୦୨୦ ଅର୍ଥାତ ଆସନ୍ତାକାଲି ସକାଳ ୧୧ଟା ବେଳେ ବିଧାନସଭା ଆରମ୍ଭ ହେବ । ପ୍ରଥମେ ରାଜ୍ୟପାଳ ଅଭିଭାଷଣ ରଖିବେ । ପରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ମୁଖ୍ୟମନ୍ତ୍ରୀ କମଲନାଥ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କମଲନାଥ ସରକାର ଯେପରି ଆସ୍ଥା ଭୋଟକୁ କୌଣସି ପରିସ୍ଥିତିରେ ମଧ୍ୟ ନ ଘୁଞ୍ଚାଇବେ, ସେନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ସୋମବାର ଦିନ ହିଁ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟପାଳ କହିଛନ୍ତି । ସେହିପରି ଫ୍ଲୋର ଟେଷ୍ଟ ବେଳେ ସମସ୍ତ ପ୍ରକ୍ରିୟା ଭିଡିଓ ରେକର୍ଡିଂ କରାଯିବ ।  

ଏବେ କେବଳ ଅପେକ୍ଷା, ଆସନ୍ତାକାଲି ହେବାକୁ ଥିବା ଫ୍ଲୋର ଟେଷ୍ଟକୁ । କମଲନାଥ ସରକାର ଭାଙ୍ଗିବ ନା ବିଜେପିକୁ ଚକମା ଦେବାରେ ସଫଳ ହେବେ କମଲନାଥ, ସେ ଉପରେ ପୁରା ଦେଶର ନଜର ରହିଛି । କର୍ଣ୍ଣାଟକ ଗଣିତ ମଧ୍ୟପ୍ରଦେଶରେ ଲାଗୁ ହେବ, ନା 'ମହା' ଝଟକା ପରି ଗେରୁଆ ଦଳ ଚକମା ଖାଇଯିବ, ତାହା ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ହେବ । 

ଆହୁରି ପଢ଼ନ୍ତୁ; ‘ହଙ୍ଗର୍ ଅଫ୍ ପାୱାର୍’ ନା ପ୍ରାୟୋଜିତ ବ୍ଲାକମେଲ୍ !