‘ହଙ୍ଗର୍ ଅଫ୍ ପାୱାର୍’ ନା ପ୍ରାୟୋଜିତ ବ୍ଲାକମେଲ୍ !
Advertisement
Article Detail0/zeeodisha/odisha654010

‘ହଙ୍ଗର୍ ଅଫ୍ ପାୱାର୍’ ନା ପ୍ରାୟୋଜିତ ବ୍ଲାକମେଲ୍ !

ଜ୍ୟୋତିରାଦିତ୍ୟଙ୍କୁ ମୋହରା କରି ମଧ୍ୟପ୍ରଦେଶରେ ସରକାର ଭାଙ୍ଗିବା ଓ ଗଢ଼ିବାର ଖେଳ ଦିଲ୍ଲୀ ଦରବାରରୁ ହୋଇନି ତ !

ଫାଇଲ ଫଟୋ

ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଗତ କିଛିଦିନ ଧରି ମଧ୍ୟପ୍ରଦେଶରେ ଚାଲିଛି ପାୱାର-ପଲିଟିକ୍ସର ନାଟକ । ନାଟକୀୟ ଢଙ୍ଗରେ ବିଧାୟକମାନଙ୍କୁ ଲୁଚେଇ ରଖିବା ପରେ ଦିଲ୍ଲୀ ଆସି ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହା ପରଦିନ ଡିଲ୍ ଫାଇନାଲ କରି ବିଜେପିରେ ସାମିଲ ହୋଇଥିଲେ । ଗେରୁଆ ହେବାର ମାତ୍ର ତିନି ଘଣ୍ଟା ମଧ୍ୟରେ ଦଳ ତାଙ୍କୁ ରାଜ୍ୟସଭା ପଠାଇ ଦେଲା । ଇତିମଧ୍ୟରେ ବାବୁ ନାମାଙ୍କନ ମଧ୍ୟ ଭରି ସାରିଲେଣି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏକଦା ରାହୁଲ ଗାନ୍ଧିଙ୍କ ଡାହାଣ ହାତ ବୋଲି କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭାଗ୍ୟ କ’ଣ ବିଜେପି ବଦଳାଇ ଦେବ ? ରାଜ୍ୟସଭା ଯିବାର ଯେଉଁ ଅଙ୍ଗୁର ଖାଉଛନ୍ତି, ତାହା ମିଠା ବୋଲି ଜ୍ୟୋତିରାଦିତ୍ୟ ଦମ୍ଭର ସହକାରେ କହିପାରିବେ ? କାରଣ, ଅତୀତର ପୃଷ୍ଠାକୁ ଦେଖିଲେ ଅନ୍ୟ ଦଳରୁ ଯାଇ ବିଜେପିରେ ମିଶିଥିବା ନେତାଙ୍କ ପାୱାର ଚାପି ହୋଇ ରହିଯାଇଛି ଅବା ଚପାଇ ଦିଆଯାଇଛି । ଏସ୍ଏମ୍ କ୍ରିଷ୍ଣା, ଗିରିଧର ଗମାଙ୍ଗ, ମୁକୁଲ ରାୟ, ବିଜୟ ବହୁଗୁଣାଙ୍କ ଭଳି ଅନେକ ନେତା ବିଜେପିରେ ସାମିଲ ହୋଇ ଏବେ କୋଣଠେସା ହୋଇ ପଡ଼ି ରହିଛନ୍ତି । ତେଣୁ, ଭବିଷ୍ୟତ ଗଢ଼ିବାକୁ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟଙ୍କ ଭାଗ୍ୟରେଖା ବଦଳିଯିବ ନା ଅନ୍ୟ ନେତାଙ୍କ ଭଳି ପରଦା ପଛକୁ ପଳାଇବେ, ତାହା ଲକ୍ଷେ ଟଙ୍କିଆ ପ୍ରଶ୍ନ ।

ମଧ୍ୟପ୍ରଦେଶ ରାଜନୀତିରେ ଏବେ କ୍ଷମତାର ଲଢ଼େଇ ଚାଲିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ଷମତାର ଭୋକରେ ବିଶ୍ୱାସ କରୁଥିବା ଚିନ୍ତାଧାରା ସହ ସାଲିସ କରିଛନ୍ତି। ସେହିପରି ସେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପାଇବା ପାଇଁ କଂଗ୍ରେସ ଦଳ ଓ ଗାନ୍ଧି ପରିବାର ସହ ବିଶ୍ୱାସଘାତକତା କରିଛନ୍ତି । ଏକଥା କ’ଣ ସତ ନୁହେଁ କି ? ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମୁମ୍ୱାଇ ସ୍ଥିତ ସମୁଦ୍ର ମହଲରେ ପର୍ଯ୍ୟାପ୍ତ ସମ୍ପତ୍ତି ରହିଛି । ରାଜ ପରିବାରର ପିଲା ଯେହେତୁ, ଅଧିକ ସମ୍ପତ୍ତି ରହିବା ସ୍ୱାଭାବିକ । କିନ୍ତୁ, ଜ୍ୟୋତିରାଦିତ୍ୟଙ୍କ ଡୁପ୍ଲେକ୍ସକୁ ୟେସ୍ ବ୍ୟାଙ୍କ୍ ପ୍ରତିଷ୍ଠାତା ରାଣା କାପୁର ଭଡ଼ାରେ ନେଇଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଖୋଳତାଡ଼ ପରେ ଏହି କଥା ସାମ୍ନାକୁ ଆସିଥିଲା । ଏହି ଅଞ୍ଚଳରେ ଜାଗା କିଣିବା ସ୍ୱପ୍ନ । କାରଣ, ଏଠାରେ ବର୍ଗଫୁଟ ପ୍ରତି ୧.୧ ଲକ୍ଷରୁ ୧.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ । ଏହି ଅଞ୍ଚଳରେ ଇନଫୋସିସ୍ ସହପ୍ରତିଷ୍ଠାତା ନନ୍ଦନ ନିଲେକେନି, ଏନ୍ଆର୍ ନାରାୟଣ ମୂର୍ତ୍ତି, ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଲୋକ ରୁହନ୍ତି । ତେବେ ରବିବାର ସକାଳୁ ସକାଳୁ ରାଣାଙ୍କ ଘରେ ଇଡି ରେଡ୍ ମାରିଥିଲା ଏବଂ ଏହାର ଦିନକ ପରେ ମଧ୍ୟ ପ୍ରଦେଶ ରାଜନୈତିକ ଡ୍ରାମା ସାମ୍ନାକୁ ଆସିଥିଲା । ତେଣୁ, ଏହା ଏକ ସୁପରିକଳ୍ପିତ ବ୍ଲାକମେଲ୍ ଥିଲା ନା ଏହା ପଛରେ ଆଉ କିଛି କାରଣ ଥିଲା, ତାହା ତ ମିଶ୍ରଣ ପର୍ବ ଭିତରେ ଚାପି ହୋଇଗଲା । ଜ୍ୟୋତିରାଦିତ୍ୟଙ୍କୁ ମୋହରା କରି ମଧ୍ୟପ୍ରଦେଶରେ ସରକାର ଭାଙ୍ଗିବା ଓ ଗଢ଼ିବାର ଖେଳ ଦିଲ୍ଲୀ ଦରବାରରୁ ହୋଇନି ତ !

ଦୀର୍ଘ ୧୮ ବର୍ଷ ଧରି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ପ୍ରତି ନିଜର କର୍ତ୍ତବ୍ୟନିଷ୍ଠା ଓ ସାଙ୍ଗଠନିକ କାର୍ଯ୍ୟର ହିସାବ ଦେଇଛନ୍ତି । କିନ୍ତୁ ସେ ଛାଡ଼ିଥିବା କଂଗ୍ରେସ ଦଳ ତାଙ୍କୁ କ’ଣ କିଛି ଦେଇ ନାହିଁ ? ପ୍ରକୃତ କଥା ହେଲା, ତାଙ୍କୁ ବିଜେପି କେବେହେଲେ ମୁଖ୍ୟମନ୍ତ୍ରୀ କରିବ ନାହିଁ । ରାଜ୍ୟସଭା ପଠାଇଲା ପରେ ହୁଏତ ଗେରୁଆ ଦଳ ତାଙ୍କୁ ଏକ ମନ୍ତ୍ରୀପଦ ଦେଇ ସନ୍ତୁଷ୍ଟ କରିପାରେ, କିନ୍ତୁ ମଧ୍ୟପ୍ରଦେଶ ନାଟକ ଶେଷ ହେବା ପରେ ଅନ୍ୟ ନେତାଙ୍କ ଭଳି ଜ୍ୟୋତିରାଦିତ୍ୟଙ୍କୁ ବି ପଛକୁ ଠେଲିଦେବ, ଏଥିରେ ସନ୍ଦେହ ନାହିଁ । କାରଣ ବିଜେପିର ବିଚାରଧାରା ଓ ମୋଦି-ଶାହଙ୍କ ନେତୃତ୍ୱ ରାଜନୀତି ମହାରାଜ ସିନ୍ଧିଆଙ୍କୁ ଅଣନିଃଶ୍ୱାସୀ କରିଦେବ ।

ଆହୁରି  ପଢ଼ନ୍ତୁ; କୋରୋନା ଶିଖାଉଛି 'ବସୁଧୈବ କୁଟୁମ୍ବକମ୍'