ବୁଡ଼ିବାକୁ ବସିଲାଣି ମୃଦଙ୍ଗ କାରିଗରଙ୍କ ବେଉସା

ଦିନ ଥିଲା ଉକ୍ତସାହିର ଦଶରୁ ଅଧିକ ପରିବାରର ସଦସ୍ୟ ବାଦ୍ୟ ଯନ୍ତ୍ର ମରାମତି କରି ପରିବାର ପ୍ରତିପୋଷଣ କରୁଥିବାରୁ ସେହି ସାହିକୁ ମୃଦଙ୍ଗା ସାହି ନାମରେ ନାମିତ କରିଥିଲା କିନ୍ତୁ ବର୍ତ୍ତମାନ କେବଳ ଭୀମଙ୍କ ପରିବାରକୁ ବାଦ ଦେଲେ ଅନ୍ୟ ସମସ୍ତ ପରିବାର ଏହି କୌଳିକ ବୃତ୍ତିକୁ ହରାଇଛନ୍ତି । 

ବୁଡ଼ିବାକୁ ବସିଲାଣି ମୃଦଙ୍ଗ କାରିଗରଙ୍କ ବେଉସା

ଗଜପତି: ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଯେ କୌଣସି ବାଦ୍ୟ ଯନ୍ତ୍ରର ମରାମତି ଆବଶ୍ୟକ ହେଲେ ଖୋଜା ପଡେ ତାଙ୍କରି, ଆମେ କହୁଛୁ ମୃଦଙ୍ଗକାର ଭୀମଙ୍କ କଥା, ସେ ମୃଦଙ୍ଗ ହେଉ କିମ୍ବା ତବଲା, ସେ ଢୋଲକି ହେଉ ଅବା ଢାମ୍ପ ବାଦ୍ୟ ଯନ୍ତ୍ରର ମରାମତି କାର୍ଯ୍ୟ ପାଇଁ ସମସ୍ତେ ନିର୍ଭର କରନ୍ତି ଭୀମଙ୍କ ଉପରେ, ଆଉ ତାଙ୍କୁ ସାହାଯ୍ୟ କରନ୍ତି ତାଙ୍କ ପରିବାର ସଦସ୍ୟ । ବଂଶାନୁକ୍ରମେ ଏହି କୌଳିକ ବୃତ୍ତିକୁ ବେଉସା ରୂପରେ  ଗ୍ରହଣ କରି ପିଢି ପରେ ପିଢି କାର୍ଯ୍ୟ କରି ଆସୁଛନ୍ତି । ମାଟି ଓ କାଠର ହାଣ୍ଡିରେ ବିଭିନ୍ନ ପ୍ରକାରର ପଶୁର ଚମଡାକୁ କାଟି ନୂତନ ବାଦ୍ୟଯନ୍ତ୍ର ନିର୍ମାଣ କରି ଆସୁଛନ୍ତି । ତାକୁ କଳାକାରମାନଙ୍କୁ ବିକ୍ରି  କରି ଯାହାକିଛି ରୋଜଗାର ହୁଏ ସେତିକିରେ ଚଳି ଆସୁଛନ୍ତି । ଧୀରେ ଧୀରେ ହାଣ୍ଡିର ଅଭାବ ଓ କଟକଣା ଯୋଗୁଁ ଚମଡାର ଅଭାବ ସାଙ୍ଗକୁ ଦର ବୃଦ୍ଧି ଏକ ପ୍ରକାର ସମସ୍ୟା ସୃଷ୍ଟି କରିଥିବା ବେଳେ ଆଧୁନିକ ବାଦ୍ୟ ଯନ୍ତ୍ରର ବ୍ୟବହାର ପୂର୍ବ ଭଳି ପାରମ୍ପରିକ ବାଦ୍ୟ ଯନ୍ତ୍ରର ଚାହିଦା ଏବଂ ଭୀମଙ୍କ କୌଳିକ ବୃତ୍ତିରେ ବାଧା ସୃଷ୍ଟି କରିଛି ।

ମହାରାଜାଙ୍କ ଅମଳରୁ ପାରଳାଖେମୁଣ୍ଡି ସହରରେ ଗଢିଉଠିଥିବା ବସ୍ତିମାନଙ୍କ ମଧ୍ୟରେ ମୃଦଙ୍ଗାସାହି ନାମରେ ନାମିତ ସାହିର ବାସିନ୍ଦାଙ୍କ କୌଳିକ ବୃତ୍ତି ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଦିନ ଥିଲା ଉକ୍ତସାହିର ଦଶରୁ ଅଧିକ ପରିବାରର ସଦସ୍ୟ ବାଦ୍ୟ ଯନ୍ତ୍ର ମରାମତି କରି ପରିବାର ପ୍ରତିପୋଷଣ କରୁଥିବାରୁ ସେହି ସାହିକୁ ମୃଦଙ୍ଗା ସାହି ନାମରେ ନାମିତ କରିଥିଲା କିନ୍ତୁ ବର୍ତ୍ତମାନ କେବଳ ଭୀମଙ୍କ ପରିବାରକୁ ବାଦ ଦେଲେ ଅନ୍ୟ ସମସ୍ତ ପରିବାର ଏହି କୌଳିକ ବୃତ୍ତିକୁ ହରାଇଛନ୍ତି । 

ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗର ଦୃଷ୍ଟି ଆଢୁଆଳରେ ରହି କୌଣସି ସରକାରୀ ସହାୟତା ପାଇ ନଥିବା ବେଳେ ରାଜ୍ୟ ସରକାରଙ୍କ କଳାକାର ଭତ୍ତାପାଇଁ ଆବେଦନ କରି ବାରମ୍ବାର ଗୁହାରି କରି ମଧ୍ୟ ଭତ୍ତାଖଣ୍ଡେ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି ଭୀମ ।