ପ୍ରଶାନ୍ତ କିଶୋରଙ୍କ ହାତରେ ସିଦ୍ଧୁଙ୍କୁ ମନାଇବା ଦାୟିତ୍ୱ !
Trending Photos
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ଜନମତ ହାସଲ କରିଥିବା ଆପର ଟାର୍ଗେଟରେ ଏବେ ପଞ୍ଜାବ । ସେମିତି ମଧ୍ୟ ଦେଖିବାକୁ ଗଲେ, ଦିଲ୍ଲୀ ପରେ ପଞ୍ଜାବ ଏକମାତ୍ର ରାଜ୍ୟ ଯେଉଁଠି ଆପର ସଙ୍ଗଠନ ଭଲ ରହିଛି । ତେଣୁ ପଞ୍ଜାବରେ ମଧ୍ୟ ଏକ ଜଣାଶୁଣା ଚେହେରାକୁ ସାମ୍ନାକୁ ଆଣି କ୍ଷମତା ହାସଲ କରିବା ଲକ୍ଷ୍ୟରେ ରହିଛି ଦଳ । କୁହାଯାଉଛି, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ଏବେ ଆପର ନଜର । ଅନ୍ୟପଟେ ସିଦ୍ଧୁ ମଧ୍ୟ ଝାଡ଼ୁ ଧରିବା ପାଇଁ ମନ ବଳାଇଥିବା ଚର୍ଚ୍ଚା ଜୋର ଧରିଛି ।
ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଅମରିନ୍ଦର ସିଂହ ସରକାରଙ୍କୁ ନେଇ ଖପ୍ପା ଅଛନ୍ତି । ଯେଉଁଥିପାଇଁ ତାଙ୍କୁ ବାରମ୍ବାର ପଞ୍ଜାବ କ୍ୟାବିନେଟକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ ହେଉଥିଲେ ମଧ୍ୟ ସିଦ୍ଧୁଙ୍କୁ ମନାଇବା ସମ୍ଭବ ହେଉନି । ଦିଲ୍ଲୀ ନିର୍ବାଚନରେ ସିଦ୍ଧୁଙ୍କୁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ରଖିଥିଲା । ମାତ୍ର ଦିଲ୍ଲୀରେ ଦଳ ପାଇଁ ଗୋଟିଏ ମଧ୍ୟ ସଭାରେ ପ୍ରଚାର କରି ନ ଥିଲେ ନବଜୋତ । କୁହାଯାଉଛି, ଯଦି ସିଦ୍ଧୁ ପ୍ରଚାର କରିଥାନ୍ତେ, ତାଙ୍କୁ ଆପ୍ ବିରୋଧରେ କହିବାକୁ ପଡ଼ିଥାନ୍ତା । ମାତ୍ର ସେ ଆପରେ ସାମିଲ ହେବା ଚକ୍କରରେ ଥିବାରୁ ପ୍ରଚାର କରିବାକୁ ଉଚିତ ମନେ କରି ନ ଥିଲେ ।
ଗୋଟିଏ ପଟେ ଦିଲ୍ଲୀରେ ଐତିହାସିକ ବିଜୟ ପରେ ପଞ୍ଜାବ ଦଖଲର ସ୍ୱପ୍ନ ଦେଖୁଛି ଆପ୍ । ଅନ୍ୟପଟେ କଂଗ୍ରେସ ଶାସିତ ପଞ୍ଜାବର ଜଣେ ବରିଷ୍ଠ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନେଇ ଖପ୍ପା ଅଛନ୍ତି । ତେଣୁ ଏଭଳି ଏକ ମୌକାକୁ ହାତଛଡ଼ା କରିବା ପାଇଁ କେବେ ମଧ୍ୟ ଚାହିଁବନି ଆମ ଆଦମୀ ପାର୍ଟି । ସୂତ୍ର ଅନୁସାରେ, ଆପ୍ ଏବେ ନବଜୋତଙ୍କୁ ଦଳରେ ସାମିଲ କରିବା ପାଇଁ ଯୋଗାଯୋଗରେ ଅଛି । କାହିଁକିନା ହାତଗଣତି କେତେ ଜଣଙ୍କୁ ଛାଡ଼ିଦେଲେ ପଞ୍ଜାବରେ ଆମ ଆଦମୀ ପାର୍ଟିର ସେମିତି କେହିଁ ବରିଷ୍ଠ ଚେହେରା ନାହାଁନ୍ତି ।
ଅନ୍ୟ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ସିଦ୍ଧୁଙ୍କ ହାତରେ ଝାଡ଼ୁ ଧରାଇବା ପାଇଁ ବିଶିଷ୍ଟ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟସ୍ତି ଭୂମିକା ତୁଲାଉଛନ୍ତି । ସିଦ୍ଧୁ ଯେପରେ ଆପରେ ସାମିଲ ହେବେ, ସେନେଇ ସବୁ ପ୍ରକାର ଉଦ୍ୟମ ସେ କରୁଛନ୍ତି । ଏଥର ଆପ୍ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ପ୍ରଶାନ୍ତ କିଶୋର ସଫଳତାର ସହ କେଜ୍ରିୱାଲଙ୍କ ଗାଦିକୁ ସୁରକ୍ଷିତ କରିପାରିଛନ୍ତି ।
ଆହୁରି ପଢ଼ନ୍ତୁ; ପ୍ରଥମେ ଗୁଜୁରାଟ ଗସ୍ତ କାହିଁକି ? ପୋଲ୍ ଖୋଲିଲା ଶିବସେନା