Trending Photos
କାଠମାଣ୍ଡୁ: ନେପାଳ ସରକାରଙ୍କ ବଡ଼ ନିଷ୍ପତ୍ତି । ଦେଶର ସମସ୍ତ ପ୍ରଦେଶର ରାଜ୍ୟପାଳଙ୍କୁ ଗାଦିଚ୍ୟୁତ କରିବାର ଆଦେଶ ଜାରି କରିଛନ୍ତି । ରବିବାର ନେପାଳର କେପି ଶର୍ମା ଅଲି ସରକାର ସମସ୍ତ ୭ଟି ପ୍ରଦେଶର ରାଜ୍ୟପାଳଙ୍କୁ ବହିଷ୍କୃତ କରିଛନ୍ତି । ଆଜି ସନ୍ଧ୍ୟା ସମୟରେ ହୋଇଥିବା କ୍ୟାବିନେଟର ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ନେପାଳ କ୍ୟାବିନେଟ ସୁପାରିଶ ଉପରେ ରାଷ୍ଟ୍ରପତି କାର୍ଯ୍ୟାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତ ଉଲ୍ଲେଖ କରାଯାଇଛି ଯେ ଦେଶର ସମସ୍ତ ୭ଟି ପ୍ରଦେଶର ରାଜ୍ୟପାଳଙ୍କୁ ବହିଷ୍କୃତ କରାଯାଉଛି । ଏହି ସମସ୍ତ ରାଜ୍ୟପାଳଙ୍କ ନିଯୁକ୍ତି ବିଗତ ସରକାର କରିଥିଲେ । ନୂଆ ସରକାର ଗଠନ ପରେ ଏହି ରାଜ୍ୟପାଳଙ୍କୁ ବହିଷ୍କାର କରିବାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ସରକାର ଗଠନ ହେବାର ୨ ବର୍ଷ ପରେ ହଠାତ ସରକାରଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।
ନେପାଳରେ ବର୍ତ୍ତମାନ କମ୍ୟୁନିଷ୍ଟ ଦଳର ଶାସନ ଚାଲିଛି । କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ଅଛନ୍ତି । କେପି ଓଲି ସରକାରଙ୍କ ପାଖରେ ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ରହିଛି । ବହିଷ୍କୃତ ସମସ୍ତ ରାଜ୍ୟପାଳ ନେପାଳୀ କଂଗ୍ରେସ ସରକାରଙ୍କ ସମୟରେ ନିଯୁକ୍ତ ହୋଇଥଲେ ।
ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ନିକଟ ଅତୀତରେ ନେପାଳରେ ହୋଇଥିବା ନିର୍ବାଚନରେ ବାମପନ୍ଥୀ ମେଣ୍ଟକୁ ବିଜୟ ମିଳିଥିଲା । ଯାହାପରେ ସିପିଏନ-ୟୁଏମଏଲର ଅଧ୍ୟକ୍ଷ କେପି ଶର୍ମା ଓଲି ଦ୍ୱିତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପୂର୍ବରୁ ଓଲି ୨୦୧୫ ଅକ୍ଟୋବର ୧୧ରୁ ୨୦୧୬ ଅଗଷ୍ଟ ୩ ଯାଏ ନେପାଳର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ ।