କେନ୍ଦୁଝରର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ଗୁଣ୍ଡିଚାଘାଘି ବିଷୟରେ ଜାଣିଛନ୍ତି କି ?

ଶୀତ ଋତୁ ସହ ଆସିଛି ପର୍ଯ୍ୟଟନର ଋତୁ । ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଲୋକେ ଅନେକ ସ୍ଥାନ ଭ୍ରମଣ କରନ୍ତି । କାହିଁକି ନା ଶୀତଋତୁରେ ହିଁ ଜମେ ପିକନିକ । ତେବେ ଆସନ୍ତୁ ଜାଣିବା କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଣ୍ଡିଚାଘାଘି ବିଷୟରେ ।

କେନ୍ଦୁଝରର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ଗୁଣ୍ଡିଚାଘାଘି ବିଷୟରେ ଜାଣିଛନ୍ତି କି ?
ସୌଜନ୍ୟ: ସୋସିଆଲ ମିଡିଆ

ସମୀର ପ୍ରଧାନ, ଘଟଗାଁ: କେନ୍ଦୁଝର ଜିଲ୍ଲା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଘଟଗାଁ ବଣଚକୁଳିଆ ନିକଟରେ ଥିବା ଗୁଣ୍ଡିଚାଘାଘି ଜଳ ପ୍ରପାତ ଅନ୍ୟତମ । ମା' ତାରିଣୀ ମନ୍ଦିର ଠାରୁ ମାତ୍ର ୧୨ କିଲୋମିଟ ଦୁରରେ ଏହି ଜଳ ପ୍ରପାତ ଅବସ୍ଥିତ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଳ ପ୍ରପାତରେ ସମୟାନୁ କ୍ରମେ ପର୍ଯ୍ୟଟକ ସଂଖ୍ୟା ବଢିବା ସହ ଏହା ନିକଟ ଅତୀତରେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଥାନ ଅଳଙ୍କୃତ କରି ସାରିଛି । ଏହି ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହିତ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଗ୍ରାମ ପଞ୍ଚାୟତ ଓ ପ୍ରପାତ ନିକଟରେ ରହୁଥିବା ଆଦିବାସୀ ମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି

ଗୁଣ୍ଡୁଚି ମୂଷାର ପିଠି ସଦୃଶ ପଥର ଶଯ୍ୟାରୁ ୩ ଧାରରେ ଶୁଭ୍ର ରଙ୍ଗର ଜଳ ଖସୁଥିବା କାରଣରୁ ଏହି ଜଳ ପ୍ରପାତକୁ ଗୁଣ୍ଡିଚାଘାଘି ନାମରେ ନାମିତ କରାଯାଇଛି  ।  ଘଟଗାଁ ମା ତାରିଣୀ ମନ୍ଦିର ଠାରୁ ମାତ୍ର ୧୨ କିଲୋମିଟର ଦୂର ବଣଚକୁଳିଆ ଗ୍ରାମ ନିକଟରେ ଥିବା ଗୁଣ୍ଡିଚାଘାଘି ଜଳ ପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବଣ ପାହାଡ ଦେଇ ଅଙ୍କା ବଙ୍କା ପଥର ଶଯ୍ୟାରେ ବହି ଆସୁଥିବା ମୂଷଳ ନଦୀ ୫୦ ଫୁଟ ତଳକୁ ଖସି ସୃଷ୍ଟି କରିଛି ପ୍ରକୃତିର ମନୋରମ ଦୃଶ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳ ପ୍ରପାତକୁ ଯେ କେହିବି ଦେଖିବା ମାତ୍ରେ କ୍ଷଣିକ ପାଇଁ ସ୍ତବ୍ଧ ହୋଇଯିବ । ସବୁଜ ବନାନୀ ମଧ୍ୟରେ ଜଳ ପ୍ରପାତ ନିକଟରେ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣ ଭୋଜିର ମଜା ନେବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୨୦୦୪ ମସିହାରେ ଏଠାକୁ ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ପକ୍କା ରାସ୍ଥାର ନିର୍ମାଣ କରାଯାଇଥିଲା । ଏହା ପରେ ମୁକୁନ୍ଦପୁର ପାଟଣା ପଞ୍ଚାୟତ ପକ୍ଷରୁ ପ୍ରପାତ ନିକଟକୁ ପାହଚ, ସୁରକ୍ଷା ବାଡ, ବଣ ଭୋଜି ପାଇଁ ପିଣ୍ଡି, ପାନୀୟ ଜଳ ଯୋଗାଣ ପାଇଁ ୩ଟି ନଳକୂପ ପର୍ଯ୍ୟଟକଙ୍କୁ ସୁବିଧା ପାଇଁ ନିର୍ମାଣ କରାଯାଇଛି । ଏଥି ସହିତ ଏଠାରେ ନୂତନ କରି ନିର୍ମାଣ ହୋଇଛି ବେଲି ବ୍ରିଜ । ଏହା ଉପରୁ ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବାର ମଜା ନିଆରା । ବ୍ରେଲି ବ୍ରିଜ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଜଳ ପ୍ରପାତକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।

ବର୍ଷ ତମାମ ମା' ତାରିଣୀଙ୍କ ଦର୍ଶନ ସହ ବଣ ଭୋଜି ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହଥାଏ  ।  ଲୋକଙ୍କ ଭିଡ଼ କାରଣରୁ ସ୍ଥାନୀୟ ଆଦିବାସୀ ବିଭିନ୍ନ ପ୍ରକାର ଦୋକାନ ବସାଇ ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି  । ମୁକୁନ୍ଦପୁର ପାଟଣା ପଞ୍ଚାୟତ ଦ୍ୱାରା ଏଠାରେ ଗାଡି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ପାର୍କିଂ ମାଧ୍ୟମରେ କିଛି ବେକାରୀ ଯୁବକ ରୋଜଗାରକ୍ଷମ ହୋଇ ପାରିଛନ୍ତି । ପାର୍କିଂ ଫିକୁ ଜଳ ପ୍ରପାତ ପରିବେଶକୁ ପରିଷ୍କାର ଓ ଉନ୍ନୟନ କାମରେ ବିନିଯୋଗ ହୋଇଥାଏ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରୁହେ । ଗୁଣ୍ଡିଚାଘାଘି ଜଳ ପ୍ରପାତ ନିକଟରେ ଏକ ଗେଷ୍ଟ ହାଉସ ନିର୍ମାଣ କାମ ଶେଷ ହୋଇଛି । ଜଳ ପ୍ରପାତ ନିକଟକୁ ପାହାଚ ତିଆରି ହୋଇଥିବା ବେଳେ ଲୋକ ମାନେ ଫୋଟୋ ଉଠାନ୍ତି । ହେଲେ ଏହି  ସ୍ଥାନ ଗୁଡିକରେ କୌଣସି ସୁରକ୍ଷା ବାଡ଼ ନାହିଁ । ଏଥିସହ ଆଜି ପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥାନକୁ ବିଦ୍ୟୁତ ସଂଯୋଗ ହୋଇ ନାହିଁ  ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁଣ୍ଡିଚାଘାଘି ଜଳ ପ୍ରପାତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି । ହେଲେ ଏବେବି ପ୍ରପାତ ନିକଟରେ ସୁରକ୍ଷା ବାଡ ଓ ବିଦ୍ୟୁତ ସଂଯୋଗ ପରି ଅନେକ ସମସ୍ୟା ବାକି ରହିଛି । ପର୍ଯ୍ୟଟନ ବିଭାଗ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜଳାପ୍ରପାତ ଆହୁରି ଆକର୍ଷଣୀୟ ହୋଇପାରିବ ବୋଲି  ପର୍ଯ୍ୟଟକ ମାନେ ମତ ପ୍ରକାଶ କରିଛନ୍ତି ।