ଦଳରୁ ବିଦା ହେଲେ, ଶୁଭେଚ୍ଛା ଜଣାଇଲେ...
Advertisement

ଦଳରୁ ବିଦା ହେଲେ, ଶୁଭେଚ୍ଛା ଜଣାଇଲେ...

ଦିନେ ଯାହା ପାଇଁ ନିର୍ବାଚନୀ ଷ୍ଟ୍ରାଟେଜି ବନାଇଥିଲେ, ଆଜି ସେ ଦଳରୁ ତଡ଼ା ଖାଇଲେ

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦଳରୁ ବିଦା ହେଲେ ଜେଡିୟୁ ଉପସଭାପତି ତଥା ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଓ ପୱନ କୁମାର । ଗଲା କିଛି ଦିନ ହେଲା ଦଳ ବିରୋଧରେ ବିଶୋଦଗାର କରି ଚର୍ଚ୍ଚାରେ ଥିଲେ ଉଭୟ ନେତା । ସିଏଏକୁ ନେଇ କଡ଼ା ବିରୋଧ କରୁଥିଲେ ପ୍ରଶାନ୍ତ କିଶୋର । ଶେଷରେ ତାଙ୍କୁ ଜେଡିୟୁ ଦଳରୁ ବାହାର କରିଦେଇଛି । ଏପରିକି ତାଙ୍କୁ ବିଦା କରିବାର କାରଣ ମଧ୍ୟ ଦଳ କହିଛି । ଆଉ ଏହାର ଜବାବ ଦେଇଛନ୍ତି ପ୍ରଶାନ୍ତ । 

ଦଳ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି, ନିଜ ପଦବୀର ଅପବ୍ୟବହାର କରୁଥିଲେ ପ୍ରଶାନ୍ତ କିଶୋର । ତାଙ୍କୁ ଦଳ ଛାଡ଼ିବା ପାଇଁ ପୂର୍ବରୁ କୁହାଯାଇଥିଲା । ମାତ୍ର ସେ ତାହା ନକରି ଦଳର ଅଧ୍ୟକ୍ଷଙ୍କ ନାଁରେ ଆପତ୍ତିଜନକ ଟିପ୍ପଣି କରୁଥିଲେ । ତେଣୁ ତାଙ୍କୁ ବିଦା କରାଯାଇଛି । ସେହିପରି ଜେଡିୟୁ ମୁଖ୍ୟ ନୀତୀଶ ଲେଖିଥିବା ଏକ ଚିଠିକୁ ପୱନ ସାର୍ବଜନୀନ କରି ଦଳ ପ୍ରତି ଅସମ୍ମାନ କରିଥିବା କୁହାଯାଇଛି । 

ତେବେ ଜେଡିୟୁରୁ ବିଦା ହେବା ପରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ କିଶୋର । ନିଜ ଟ୍ୱିଟରେ ସେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଆପଣ ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବା ନେଇ ମୋର ଶୁଭେଚ୍ଛା ବୋଲି କହିଛନ୍ତି ପ୍ରଶାନ୍ତ । ଅର୍ଥାତ ପରୋକ୍ଷରେ ନୀତୀଶଙ୍କ ଆସନ ଉପରେ ବିପଦ ମାଡ଼ି ଆସୁଥିବା କହିବାକୁ ଚେଷ୍ଠା କରିଛନ୍ତି ପ୍ରଶାନ୍ତ କିଶୋର । 

କହିରଖୁଛୁ, ପ୍ରଶାନ୍ତ କିଶୋର ନିର୍ବାଚନୀ ଷ୍ଟ୍ରାଟେଜିଷ୍ଟ ଭାବରେ ବେଶ୍ ଜଣାଶୁଣା । ୨୦୧୫ରେ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ବିଜୟ ପଛରେ ମଧ୍ୟ ପ୍ରଶାନ୍ତଙ୍କ ଷ୍ଟ୍ରେଟେଜି କାମ ଦେଇଥିଲା । ତେଣୁ ତାଙ୍କୁ ନୀତୀଶ କୁମାରଙ୍କ ବିଜୟ ପଛର ପ୍ରଚ୍ଛଦପଟ ନାୟକ ବୋଲି କୁହାଯାଏ । ଏବେ ଦିଲ୍ଲୀରେ ଆପ୍ ପାଇଁ ଷ୍ଟ୍ରାଟେଜିଷ୍ଟ ବନିଛନ୍ତି ପ୍ରଶାନ୍ତ କିଶୋର । 

ଆହୁରି ପଢ଼ନ୍ତୁ; କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ନାହିଁ ଟ୍ରମ୍ପ !