ପରାଜୟ ହେଲେ ଦାୟୀ କିଏ, ବିରୋଧୀଙ୍କ ଭିତରେ କାଦୁଅ ଫିଙ୍ଗା
Advertisement

ପରାଜୟ ହେଲେ ଦାୟୀ କିଏ, ବିରୋଧୀଙ୍କ ଭିତରେ କାଦୁଅ ଫିଙ୍ଗା

ବୁଥ ବାହୁଡା ଫଳ ବିରୋଧୀଙ୍କ ନିଦ ହଜେଇ ଦେଇଛି । ପରାଜୟ ଅବଶ୍ୟମ୍ଭାମୀ, ବୋଧେ ଏଭଳି କିଛି ଜାଣି ସାରିଛନ୍ତି ।

ଫାଇଲ ଫଟୋ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ବାହାରିବ । ହେଲେ ତା ପୂର୍ବରୁ ବିରୋଧୀ ଶିବିରରେ ଆତଙ୍କ । ଛାତିରେ ହୃଦସ୍ପନ୍ଦନ ବଢୁଛି । ବୁଥ ବାହୁଡା ଫଳ ବିରୋଧୀଙ୍କ ନିଦ ହଜେଇ ଦେଇଛି । ପରାଜୟ ଅବଶ୍ୟମ୍ଭାମୀ, ବୋଧେ ଏଭଳି କିଛି ଜାଣି ସାରିଛନ୍ତି । ମହାରାଷ୍ଟ୍ରରେ ଏବେ ଉଭୟ କଂଗ୍ରେସ ଓ ଏନସିପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି । 

ଚଳିତ ବିଧାନସଭା ନିର୍ବାଚନରେ ଗୋଟିଏ ପଟେ କଂଗ୍ରେସ ଓ ଏନସିପି ଏବଂ ଅନ୍ୟପଟେ ବିଜେପି-ଶିବସେନା ମେଣ୍ଟ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା । ହେଲେ ଏକଜିଟ ପୋଲ ଫଳାଫଳ ବିଜେପି-ଶିବସେନାକୁ ବହୁମତ ଦେଉଛି । ଆଉ ଏହା ପରେ କଂଗ୍ରେସ ଓ ଏନସିପି ନେତାଙ୍କ ହୃଦସ୍ପନ୍ଦନ ବଢୁଛି । ପରସ୍ପର ଭିତରେ କାଦୁଅ ଭିଙ୍ଗିବା ଆରମ୍ଭ କରିଛନ୍ତି ଉଭୟ ଦଳର ନେତା । ଏବେଠୁ ଆରମ୍ଭ ହୋଇଗଲାଣି ମେଣ୍ଟରେ ଫାଟ । ପରାଜୟର ଦୋଷ କିଏ ମୁଣ୍ଡାଇବ ତାକୁ ନେଇ ବିରୋଧୀ ଶିବିରରେ ଲାଗି ରହିଛି ଉତ୍ତେଜନା । 

ଏନସିପି ନେତା ମାଜିଦ ମେମମଙ୍କ ବୟାନରୁ ହିଁ ଏହା ସ୍ପଷ୍ଟ ହେଉଛି । ଯଦି ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମେଣ୍ଟର ପରାଜୟ ହୁଏ, ତେବେ ଏଥିପାଇଁ ଆମେ ନୁହେଁ କଂଗ୍ରେସ ଦାୟୀ ବୋଲି କହିଛନ୍ତି ମାଜିଦ । ଯଦି ଏକଜିଟ ପୋଲ ଫଳାଫଳରୁ ଏମିତି, ତେବେ ଆସନ୍ତାକାଲି ପ୍ରକୃତ ଫଳଫଳ ଆସିବା ପରେ ମେଣ୍ଟର ସ୍ଥିତି କଣ ହେବ, ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

ସେପଟେ ହରିୟାଣାରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବ ବୋଲି କଂଗ୍ରେସ ନେତା ଶୈଳଜା ପ୍ରତିକ୍ରିୟା ରଖିଛନ୍ତି । ଦୁଇ ରାଜ୍ୟରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଯାଉଛି । ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକଜିଟ ପୋଲରୁ ଜଣାପଡ଼ିଛି । ହରିୟାଣାରେ କଂଗ୍ରେସ ବିଜୟୀ ହେବ ବୋଲି ଶୈଳଜାଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ । ୨୦୧୪ ତୁଳନାରେ ବିଜେପି ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି । 

ଏକଜିଟ ପୋଲ ଅନୁସାରେ ଉଭୟ ରାଜ୍ୟରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବ । ତେବେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ କଂଗ୍ରେସ-ଏନସିପି ତୁଳନାରେ ଭଲ ପ୍ରଦର୍ଶନ କରିବା ସହ ୨୦୩ ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି । ୨୪ରେ ଫଳାଫଳ ପ୍ରକାଶ ପରେ ଏ ଚିତ୍ର ସ୍ପଷ୍ଟ ହେବ ।