କାଶ୍ମୀର ପ୍ରସଙ୍ଗରେ ନିଜ ପୂର୍ବ ବୟାନକୁ ଦୋହରାଇଲା ଋଷ ।
Trending Photos
ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ଅଯଥାରେ ହାଉଳି ହେଉଛି ପାକିସ୍ତାନ । ଚୀନର ସାହାରା ନେଇ ମିଛକୁ ସତ ଭାବରେ ଦେଖାଇବାକୁ ବାରମ୍ବାର ଉଦ୍ୟମ କରୁଛି । ହେଲେ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ଭଲ ଭାବରେ ବୁଝିଛନ୍ତି କାଶ୍ମୀରର ସତ କ'ଣ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ହେଉ କିମ୍ବା ରାଜ୍ୟର ସାମ୍ବିଧାନିକ ପୁନଃଗଠନ, ଏ ତମାମ ପଦକ୍ଷେପ ଯେ ଭାରତର ଆଭ୍ୟନ୍ତରୀଣ ମାମଲା ଏକଥାକୁ ପ୍ରମୁଖ ଦେଶ ରୋକଠୋକ କହୁଛନ୍ତି ।
କାଶ୍ମୀର ପ୍ରସଙ୍ଗରେ ନିଜ ପୂର୍ବ ବୟାନକୁ ଦୋହରାଇଲା ଋଷ । ଧାରା ୩୭୦ର ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ମାମଲା । ଜାତିସଂଘର କାର୍ଯ୍ୟସୂଚୀରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଉ, ଏକଥା ଋଷ କେବେ ମଧ୍ୟ ଚାହେଁ ନାହିଁ । କାଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷିକ ବୋଲି ଋଷ ସବୁବେଳେ ବିଶ୍ୱାସ କରିଆସିଛି । ଭାରତରେ ଋଷ ରାଷ୍ଟ୍ରଦୂତ ନିକୋଲେ କୁଦାଶେବ ଶୁକ୍ରବାର କାଶ୍ମୀର ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କିଛି ବୟାନ ରଖିଛନ୍ତି । ଯେତେବେଳେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କାଶ୍ମୀର ପ୍ରସଙ୍ଗ ଚର୍ଚ୍ଚା ହେବା କାଟ୍ ହୋଇଯାଉଛି, ସେତେବେଳେ ଋଷର ଏହି ରୋକଠୋକ୍ ଜବାବ ବେଶ ଗୁରୁତ୍ୱବହନ କରୁଛି ।
ଋଷ ରାଷ୍ଟ୍ରଦୂତ ଏହା ସ୍ପଷ୍ଟ କରିଛନ୍ତି, ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ଆଦୌ ଉଚିତ ନୁହେଁ । ଯେତେବେଳେ କିଛି ଅନ୍ତର୍ଜାତୀୟ ଗଣାମାଧ୍ୟମ କାଶ୍ମୀରର ବର୍ତ୍ତମାନ ସ୍ଥିତି ନେଇ ପ୍ରଶ୍ନ ଉଠାଉଛନ୍ତି, ସେତେବେଳେ ସେମାନଙ୍କୁ ମଧ୍ୟ ପରୋକ୍ଷରେ କଡ଼ା ଜବାବ ଦେଇଛି ଋଷ । କାଶ୍ମୀରରେ ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ଋଷ ଯିବାକୁ ଇଚ୍ଛୁକ କି ପ୍ରଶ୍ନର ଉତ୍ତରରୁ ହିଁ ଏକଥା ବାରି ହୋଇପଡ଼ୁଛି ।
ଋଷ ରାଷ୍ଟ୍ରଦୂତ ନିକୋଲେ କୁଦାଶେବ କହିଥିଲେ, ମୋ ପାଖରେ କାଶ୍ମୀର ଯାତ୍ରା କରିବାର କୌଣସି କାରଣ ନାହିଁ । ଯେଉଁମାନେ ଚିନ୍ତା ଏବଂ ସନ୍ଦେହ ପ୍ରକଟ କରୁଛନ୍ତି, ସେମାନେ ଯାଆନ୍ତୁ । ହେଲେ ଆମେ ଅନ୍ୟଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବୁ ନାହିଁ । ସେହିପରି ଭାରତର ବିଦେଶ ନୀତିକୁ ମଧ୍ୟ ପ୍ରଶଂସା କରିଥିଲେ କୁଦାଶେବ ।
ଆହୁରି ପଢ଼ନ୍ତୁ; ଏକା ସାଙ୍ଗରେ ଫାଶୀ ଦେବା କ'ଣ ନିହାତି ଦରକାର ?