ହେମନ୍ତଙ୍କ ଶପଥ ଉତ୍ସବରେ ବିରୋଧୀଙ୍କ ମହାମେଳି
Advertisement

ହେମନ୍ତଙ୍କ ଶପଥ ଉତ୍ସବରେ ବିରୋଧୀଙ୍କ ମହାମେଳି

ବିରୋଧୀ ଶିବିରର ନୂଆ ଅତିଥି ଶିବସେନା

ବର୍ଷ ଶେଷରେ ମହାମେଳି କରିବେ ବିରୋଧୀ

ନୂଆଦିଲ୍ଲୀ: ବର୍ଷ ଶେଷରେ ବିରୋଧୀଙ୍କ ମହାମେଳି । ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ହସି ଉଠିବ ବିରୋଧୀ ଶିବିର । ଏକାଠି ହେବେ ବିଜେପି ବିରୋଧୀ ଅନେକ ଛୋଟ ବଡ ଦଳ । ମୋଦି ମ୍ୟାଜିକକୁ ରୋକିବା ଦିଗରେ ବିଶ୍ୱାସଟିଏ ସୃଷ୍ଟି କରିବେ ଏମାନେ । ସମସ୍ତଙ୍କୁ ସାଥିରେ ନେଇ କିପରି ଆଗକୁ ଚଲାଯାଏ, ତାହା ଦେଖାଇବାକୁ ଚେଷ୍ଟା କରିବ ଭାରତୀୟ ଜାତୀୟ କଂଗ୍ରେସ । ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ଯାହା ହେବାର ଥିଲା,  ତାହା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । 

fallback

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱାଧିନ ମେଣ୍ଟକୁ ବହୁମତ ମିଳିଛି । ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ଜେଏମଏମ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଉ ଏହି ଅବସରରେ ହେବ ବିରୋଧୀଙ୍କ ମହାମେଳି ।  କଂଗ୍ରେସର ବହୁ ତୁଙ୍ଗ ନେତା, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ ଆଞ୍ଚଳିକ ଦଳର ମୁଖ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏହି ଉତ୍ସବରେ ସାମିଲ ହେବେ ବୋଲି ଜଣାପଡିଛି । ସେହିପରି ଶିବସେନା ମଧ୍ୟ ଏହି ଉତ୍ସବରେ ସାମିଲ ହେଉଥିବା ଜଣାପଡିଛି । 

ହେମନ୍ତଙ୍କ ଶପଥ ଉତ୍ସବରେ କିଏ କିଏ ଆସିବେ ? 

ଜେଏମଏମ ପ୍ରବକ୍ତା ସୁପ୍ରିୟା ଭଟ୍ଟାଚାର୍ଯ୍ୟ ବିଜ୍ଞପ୍ତି ଜାରି କରି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ବିଷୟରେ ସୂଚନା ଦେଇଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଏନସିପି ଅଧ୍ୟକ୍ଷ ଶରଦ ପାୱାର, ବିଏସପି ଅଧ୍ୟକ୍ଷା ମୟାବତୀ, ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ପ୍ରମୁଖ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ଜଣାପଡିଛି । ସେହିପରି ଅସ୍ଥାୟୀ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ରଘୁବର ଦାସ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ସମ୍ମତି ପ୍ରକାଶ କରିଥିବା କୁହାଯାଉଛି । 

ଶେଷଥର ପାଇଁ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ମହାମେଳି କରିଥିଲେ ବିରୋଧୀ

ଗତ ୨୩ ମଇ ୨୦୧୮ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜେଡିଏସ ନେତା ଏଚଡି କୁମାରସ୍ୱାମୀ । ବିଜେପି ବିଧାନସଭାରେ ବୃହତ ଦଳ ହୋଇଥିଲେ ସୁଦ୍ଧା ବହୁମତ ସାବ୍ୟସ୍ତ କରିପାରି ନ ଥିଲା । ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେଇଥିଲେ ବିଏସ ୟେଦୁରପ୍ପା । କଂଗ୍ରେସ ଓ ଜେଡିଏସ ମେଣ୍ଟ କରି କର୍ଣ୍ଣାଟକରେ ସରକାର ଗଢିଥିଲେ । ମୁଖ୍ୟମନ୍ତ୍ରୀ ହୋଇଥିଲେ କୁମାରସ୍ୱାମୀ । ଏତିକି ବେଳେ ସାଧାରଣ ନିର୍ବାଚନକୁ ବର୍ଷେରୁ ବି କମ ସମୟ ଥିଲା । ଆଉ ଏହି ଶପଥ ଗ୍ରହଣ ଉତ୍ସବରେ ମହାମେଳି କରିଥିଲେ ବିରୋଧୀ । ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ସୋନିଆ, ରାହୁଲ, ମମତା, ମାୟାବତୀ, ଅଖିଳେଶ ଓ ଚନ୍ଦ୍ରବାବୁଙ୍କ ଭଳି ଡଜନେରୁ ଅଧିକ ତୁଙ୍ଗ ରାଜନେତା । ବାର୍ତ୍ତା ଦେଇଥିଲେ, ଏବେ ଏକାଠି ହେବାର ସମୟ ।

fallback

ତେବେ ସାଧାରଣ ନିର୍ବାଚନରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା । ନେତୃତ୍ୱ ଅଭାବରୁ ଫାଇଦା ନେଇଥିଲା ଗେରୁଆ ଦଳ । ସେହିପରି କୁମାରସ୍ୱାମୀ ସରକାର ମଧ୍ୟ ବେଶି ଦିନ ତିଷ୍ଠି ପାରି ନ ଥିଲା । କଂଗ୍ରେସ ଓ ଜେଡିଏସର ୧୭ ବିଦ୍ରୋହୀ ବିଧାୟକ ଇସ୍ତଫା ଦେବାରୁ ୨୮ ଜୁଲାଇ ୨୦୧୯ରେ ଭାଙ୍ଗିଥିଲା କୁମାରସ୍ୱାମୀ ସରକାର ।  

ଏବେ ଭୁଲ ବୁଝିଲେଣି ବିରୋଧୀ !

ନିଜ ନିଜ ଭିତରେ ବାଡିଆପିଟା ହେଲେ ଯେ ବିଜେପିକୁ ମାତ୍ ଦେବା ସମ୍ଭବ ନୁହେଁ, ଏବେ ଏକଥା ହୃଦୟଙ୍ଗମ କଲେଣି ବିରୋଧୀ । ଏକାଠି ହେବା ଦ୍ୱାରା କିପରି ମହାରାଷ୍ଟ୍ରରେ ବିଜେପିକୁ ସରକାର ଗଠନରୁ ରୋକା ଯାଇପାରିଲା, ତାକୁ ଏବେ ସମସ୍ତେ ହୃଦୟଙ୍ଗମ କରୁଥିବା ଚର୍ଚ୍ଚା ହେଉଛି । ସେହିପରି ଝାଡ଼ଖଣ୍ଡରେ ବିଜେପି ଏକାକୀ ଲଢି ନାମ ନେଇଥିବା ବେଳେ ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ କରି ବହୁମତ ପାଇଛନ୍ତି । ଝାଡ଼ଖଣ୍ଡରେ ପ୍ରଥମ ଥର ପାଇଁ ରଘୁବର ସରକାର ପୁରା ଟର୍ମ ପୁରା କରିଥିବା ବେଳେ ହେମନ୍ତ ମଧ୍ୟ ଏହି ରାସ୍ତାରେ ଯିବାକୁ ନିଶ୍ଚୟ ଚାହିଁବେ । ଆଉ କଂଗ୍ରେସ ଆଞ୍ଚଳିକ ଦଳକୁ ଯେ ଏତେ ଗୁରୁତ୍ୱ ଦେଇପାରେ, ଏପରି କିଛି ବାର୍ତ୍ତା ଦେଇ ବିରୋଧୀଙ୍କୁ ଏକାଠି କରିବା ଚକ୍କରରେ ରହିଛି । ତେବେ ବିରୋଧୀଙ୍କ ଏହି ମହାମେଳି ଆଗକୁ କେଉଁ ମୋଡ ନେବ, ତାହା ସମୟ କହିବ । 

ଆହୁରି ପଢ଼ନ୍ତୁ; ଶିବସେନା ନାଁ ଶୁଣିଲେ ରକ୍ତ ଚାଉଳ ଚୋବାଉଛି ବିଜେପି !