ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବାକୁ ଏହି ଦୁଇ ସର୍ତ୍ତ ରଖିଥିଲେ ଶରଦ ପାୱାର
Advertisement
Article Detail0/zeeodisha/odisha603304

ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବାକୁ ଏହି ଦୁଇ ସର୍ତ୍ତ ରଖିଥିଲେ ଶରଦ ପାୱାର

ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନଥିଲେ ଶରଦ !

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମେଣ୍ଟ ସରକାର ଗଢିଛି । ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ହେଲେ ମହା ନାଟକରେ ଘଟିଥିବା ଏମିତି କିଛି ଦୃଶ୍ୟ ଉପରୁ ଏବେ ବି ପରଦା ହଟିନି । ଆଉ ଏହାରି ଭିତରେ ରହିଥିଲା ମୋଦି-ପାୱାର ଭେଟଘାଟ । ପ୍ରକୃତରେ ଉଭୟ ନେତାଙ୍କ ଭିତରେ ଏହି ସମୟରେ କ'ଣ ଆଲୋଚନା ହୋଇଥିଲା, ସେନେଇ କିଛି ତଥ୍ୟ ଏବେ ସାମ୍ନାକୁ ଆସୁଛି । ସୂତ୍ର ଅନୁସାରେ ବିଜେପିକୁ ସମର୍ଥନ ଦେବା ପାଇଁ ମୋଦିଙ୍କ ପାଖରେ ଦୁଇଟି ସର୍ତ୍ତ ରଖିଥିଲେ ଶରଦ ପାୱାର । 

ଗତ ୨୦ ତାରିଖରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖା କରିଥିଲେ ଏନସିପି ମୁଖ୍ୟ ଶରଦ ପାୱାର । ଯଦିଓ ଶରଦ ଚାଷୀ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଥିବା କୁହାଯାଇଥିଲା, ତେବେ ଏହାକୁ ଅନ୍ୟ ନଜରରେ ଦେଖିଥିଲେ ରାଜନୈତିକ ବିଶ୍ଳେଷକ । ଯେଉଁ ସମୟରେ ସରକାର ଗଠନ ନେଇ ମହାରାଷ୍ଟ୍ରରେ ସସପେନ୍ସ ଜାରି ରହିଥିଲା, ଠିକ ସେହି ସମୟରେ ହୋଇଥିଲା ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ । ୪୫ରୁ ୫୦ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ଏବଂ ଏନସିପି ମୁଖ୍ୟ । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ କରିବାକୁ ଚାହୁଁଥିଲେ ଏନସିପି ମୁଖ୍ୟ । ମାତ୍ର ଏଥିପାଇଁ ଦୁଇଟି ସର୍ତ୍ତ ରଖିଥିଲେ । ଯେଉଁ ସର୍ତ୍ତକୁ ଗ୍ରହଣ କରିବା ପ୍ରଧାନମନ୍ତ୍ରୀଙ୍କ ପାଇଁ କାଠିକାର ପାଠ ଥିଲା । କାହିଁକିନା ଶରଦଙ୍କ ସର୍ତ୍ତ ବିଜେପି ଗ୍ରହଣ କଲେ, ତାହାର ଇଭେକ୍ଟ ବିହାରରେ ମଧ୍ୟ ଦେଖିବାକୁ ମିଳିଥାନ୍ତା । 

ମୋଦିଙ୍କ ଆଗରେ କ'ଣ ସର୍ତ୍ତ ରଖିଥିଲେ ଶରଦ ପାୱାର ?

(୧) ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଯେମିତି ପୁତ୍ରମୋହ ଘାରିଥିଲା, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ କନ୍ୟାମୋହ ଘାରିଥିଲା । ଝିଅ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କୁ କୃଷି ମନ୍ତ୍ରୀ କରିବାକୁ ଚାହୁଁଥିଲେ ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପ୍ରଥମ ସର୍ତ୍ତ ଭାବରେ କୃଷି ବିଭାଗ ମୋଦିଙ୍କୁ ମାଗିଥିଲେ । 

(୨) ଶରଦ ପାୱାରଙ୍କ ଦ୍ୱିତୀୟ ସର୍ତ୍ତ ଥିଲା ବେଶ୍ ରୋଚକୀୟ । ଏହା ସତ ଯେ, ମୁଖ୍ୟମନ୍ତ୍ରୀ ପଦ ଦାବି କରିନଥିଲେ । ହେଲେ ଯେଉଁ ସର୍ତ୍ତ ରଖିଥିଲେ, ମୋଦିଙ୍କୁ ଅଡୁଆରେ ପକାଇଥିଲା । ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନଥିଲେ ଶରଦ ପାୱାର । ତାଙ୍କ ବ୍ୟତୀତ ବିଜେପିର ଅନ୍ୟ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ସେ କହିଥିଲେ ।  

କାହିଁକି ନାରାଜ ହେଲା ବିଜେପି ?

ଯଦି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏନସିପିକୁ କୃଷି ବିଭାଗ ଦିଆଯାଏ, ତେବେ ଏନଡିଏର ଅନ୍ୟ ସହଯୋଗୀ ଦଳଗୁଡିକ ପାଖକୁ ଏକ ଭିନ୍ନ ବାର୍ତ୍ତା ଯାଇଥାନ୍ତା । ଏପରିକି ନୀତିଶ କୁମାରଙ୍କ ଜେଡିୟୁ ରେଳ ବିଭାଗ ମଧ୍ୟ ଦାବି କରିବାର ସମ୍ଭାବନାକୁ ଏଡାଇ ହେଉନଥିଲା । ସେହିପରି ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାଦ ଦେବାକୁ କେବେ ବି ଚାହିଁବେନି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ । ୫ ବର୍ଷର ଶାସନ ବେଶ ସୁରୁଖୁରରେ ସମ୍ପାଦନ କରିଥିଲେ ଭଡନାଭିସ । ନିର୍ବାଚନ ପ୍ରଚାର ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମଧ୍ୟ ଦଳ ଦର୍ଶାଇଥିଲା । ସେମିତିରେ ବି କେନ୍ଦ୍ରୀୟ ନେତାଙ୍କ ସହ ଫଡନାଭିସଙ୍କ ସମ୍ପର୍କ ବେଶ ଘନିଷ୍ଠ । ତେଣୁ ଶରଦଙ୍କ ଏହି ଦୁଇ ସର୍ତ୍ତ ପରେ ମୋଦି ଧର୍ମ ସଙ୍କଟରେ ପଡିଯାଇଥିବା କୁହାଯାଉଛି । ଏପରିକି ଗ୍ରହଣ କରିବାକୁ ନାରାଜ ମଧ୍ୟ ହୋଇଥିଲେ ।

ଆହୁରି ପଢନ୍ତୁ; ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...