'ସାମନା'ରେ ପ୍ରଶଂସା, ଟ୍ୱିଟରରେ ଆକ୍ଷେପ
Advertisement
Article Detail0/zeeodisha/odisha603195

'ସାମନା'ରେ ପ୍ରଶଂସା, ଟ୍ୱିଟରରେ ଆକ୍ଷେପ

ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳର ମୁଖପାତ୍ର ସଂଜୟ ରାଉତ ଟ୍ୱିଟରରେ କହିଛନ୍ତି ଯେ, ରାଜନୀତିର ପଶାପାଲି ଖେଳରେ ଶିବସୈନିକ ବିଜୟୀ ହୋଇଛନ୍ତି । ଉଦ୍ଧବଙ୍କ ସହିତ ଗତକାଲି ଶପଥ ନେଇଥିବା ୬ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । 

'ସାମନା'ରେ ପ୍ରଶଂସା, ଟ୍ୱିଟରରେ ଆକ୍ଷେପ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକରେ । ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶିବସେନା ଅଧ୍ୟକ୍ଷ । ସେପଟେ ଆଇନ ଲଢ଼େଇରେ ମଧ୍ୟ ଶିବସୈନିକଙ୍କ ବିଜୟ ହୋଇଛି । ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟ ସରକାର ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହା ବିକାଶ ଅଘାଡି ମେଣ୍ଟକୁ ଅସାମ୍ବିଧାନିକ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଅଖିଳ ଭାରତ ହିନ୍ଦୁ ମହାସଭା ନେତା ପ୍ରମୋଦ ପଣ୍ଡିତ । ବିଜେପି ସହ ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ିଥିବା ଶିବସେନା ନିର୍ବାଚନ ଫଳାଫଳ ପ୍ରକାଶ ପରେ ଅନ୍ୟ ଦଳ ସହ ମିଶି ସରକାର ଗଠନ କରିଛି ବୋଲି ଅଭିଯୋଗ କରାଯାଇଥିଲା ।

ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳର ମୁଖପାତ୍ର ସଂଜୟ ରାଉତ ଟ୍ୱିଟରରେ କହିଛନ୍ତି ଯେ, ରାଜନୀତିର ପଶାପାଲି ଖେଳରେ ଶିବସୈନିକ ବିଜୟୀ ହୋଇଛନ୍ତି । ଉଦ୍ଧବଙ୍କ ସହିତ ଗତକାଲି ଶପଥ ନେଇଥିବା ୬ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶପଥ ନେବା ପରେ ରାତି ୮ଟାରେ ମହା ବିକାଶ ଅଘାଡି ମେଣ୍ଟର ପ୍ରଥମ କ୍ୟାବିନେଟ ବୈଠକରେ ରାଜ୍ୟର କୃଷକ, ଶ୍ରମିକ, ଗରିବ ଛାତ୍ରଛାତ୍ରଙ୍କୁ ବିନା ସୁଧରେ ଋଣ, ବେକାରଙ୍କୁ ଫେଲୋସିପ ପ୍ରଦାନ, ୧୦ ଟଙ୍କାରେ ଭୋଜନ ଆଦି ଯୋଜନା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଗୁରୁବାର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହା ବିକାଶ ଅଘାଡି ପକ୍ଷରୁ CMP ବା କମନ ମିନିମମ ପ୍ରୋଗ୍ରାମ ଘୋଷଣା କରାଯାଇଥିଲା । ଧର୍ମ ନିରପେକ୍ଷତାକୁ ନେଇ କୌଣସି ସାଲିସ କରାଯିବ ନାହିଁ ବୋଲି ୩ ଦଳ ସହମତି ପ୍ରକାଶ କରିଥିଲେ । କିନ୍ତୁ ଗୁରୁବାର ଶପଥ ଗ୍ରହଣ ପରେ ମେଣ୍ଟ ସରକାର ପକ୍ଷରୁ ହୋଇଥିବା ପ୍ରଥମ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ କେବଳ ପାଲଟା ପ୍ରଶ୍ନରେ ଉତ୍ତର ଦେଇଥିଲେ ଉଦ୍ଧବ । ପରେ ଭାରତୀୟ ସମ୍ବିଧାନରେ ଉଲ୍ଲେଖଥିବା ସବୁ କଥା ଧର୍ମ ନିରପେକ୍ଷ ବୋଲି  ମତ ରଖିଥିଲେ ଉଦ୍ଧବ ଠାକରେ । ସେପଟେ ଧର୍ମନିରପେକ୍ଷ ଶବ୍ଦର ଅର୍ଥ ସବୁ ଧର୍ମର ଲୋକଙ୍କୁ ସମାନ ଅଧିକାର ମିଳିବା ବୋଲି ଏନସିପି ନେତା ନୱାବ ମଲିକ କହିଛନ୍ତି ।

ରାଜ୍ୟରେ ସରକାର ଗଠନ ପରେ ନରମ ହୋଇଛି ଶିବସେନାର ସ୍ୱର । ଟ୍ୱିଟରରେ ବିଜେପି ବିରୋଧରେ ଦଳୀୟ ମୁଖପାତ୍ର ଜୋରଦାର ବର୍ଷୁ ଥିବାବେଳେ ଶିବସେନା ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି । ସାମନାର ସଂପାଦକୀୟରେ ନରେନ୍ଦ୍ର ମୋଦିଙ୍କୁ ଉଦ୍ଧବ ଠାକରେ ବଡ଼ ଭାଇ ବୋଲି କହିଛନ୍ତି  । ୩୦ ବର୍ଷର ସମ୍ପର୍କ ତୁଟି ଯାଇଥିଲେ ବି ମିଳିତ ଭାବରେ କାର୍ଯ୍ୟ କରିବୁ ବୋଲି ଉଦ୍ଧବ ଉଲ୍ଲେଖ କରିଛନ୍ତି । ଶିବସେନାର ନୂଆ ରଣନୀତିକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି ।  

ମହାରାଷ୍ଟ୍ର ପରେ ଦେଶର ଅନ୍ୟ ରାଜ୍ୟରେ ବିଜେପି ବିରୋଧୀ ମାର୍ଚ୍ଚ କରିବାକୁ ଶିବସେନା ମୁଖପାତ୍ର ସଂଜୟ ରାଉତ ପରୋକ୍ଷରେ ସୂଚନା  ଦେଇଛନ୍ତି । ଗୋଆରେ ମଧ୍ୟ ବିରୋଧୀ ମେଣ୍ଟ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶିବସେନା । ଗୋଆର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ ପୂର୍ବତନ ବିଧାୟକଙ୍କ ସହ ମେଣ୍ଟ ଗଠନ ନେଇ ଆଲୋଚନା ଜାରି ରହିଛି ବୋଲି ସଂଜୟ ରାଉତ କହିଛନ୍ତି ।