ସିଏଏକୁ ନେଇ ଶିବରାଜଙ୍କ ବଡ ବୟାନ, ମୋଦିଙ୍କୁ କହିଲେ ଦ୍ୱିତୀୟ ଭଗବାନ
Advertisement

ସିଏଏକୁ ନେଇ ଶିବରାଜଙ୍କ ବଡ ବୟାନ, ମୋଦିଙ୍କୁ କହିଲେ ଦ୍ୱିତୀୟ ଭଗବାନ

ସିଏଏକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ଶିବରାଜ

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସିଏଏକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହେଉଥିବା ବେଳେ ଏବେ ଏହି ଆଇନ ସପକ୍ଷରେ ଲୋକଙ୍କୁ ବୁଝାଉଛି ବିଜେପି । ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଦେଶର କୌଣସି ନାଗରିକଙ୍କ ପାଇଁ ସିଏଏ ସମସ୍ୟା ସୃଷ୍ଟି କରିବ ନାହିଁ, ଏଭଳି କିଛି ବାର୍ତ୍ତା ଦେବାକୁ ଦଳ ପକ୍ଷରୁ ଉଦ୍ୟମ ହେଉଛି । ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । 

ଜୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିବରାଜ କହିଛନ୍ତି, ''ସିଏଏ ଦେଶର କୌଣସି ନାଗରିକଙ୍କ ପାଇଁ ପ୍ରତିବନ୍ଧକ ନୁହେଁ । ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତକୁ ଚାଲି ଆସିଥିବା ଲୋକଙ୍କୁ ନାଗରିକତା ପ୍ରଦାନ ପାଇଁ ଏହି ଆଇନ ଉଦ୍ଦିଷ୍ଟ । ଆଉ ଏଭଳି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ସଦୃଶ୍ୟ । ଗୋଟିଏ ସମୟରେ ଏମାନେ ନର୍କ ଭଳି ଜୀବନ ଜୀଉଁଥିଲେ । ଭଗବାନ ଜୀବନ ଦେଇଥିଲେ, ମା' ବାପା ଜନ୍ମ ଦେଇଥିଲେ । ହେଲେ ମୋଦି ଏଭଳି ଲୋକମାନଙ୍କୁ ଜୀବଦାନ ଦେଇଛନ୍ତି ।''

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ବଡ ବୟାନ ଦେଇଥିଲେ

ନାଗରିକତା ଆଇନକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ । ନାଗପୁରରେ ନାଗରିକତା ଆଇନ ସମର୍ଥନରେ ହୋଇଥିବା ରାଲିରେ ସାମିଲ ହୋଇ ହିନ୍ଦୁତ୍ୱ ପ୍ରସଙ୍ଗରେ ମତ ରଖିଥିଲେ  ଗଡକରୀ । ବିଶ୍ୱରେ ମୁସଲିମଙ୍କ ପାଇଁ ଶହେରୁ ଅଧିକ ଦେଶ ରହିଥିବା ବେଳେ ଭାରତ ବ୍ୟତୀତ ଅନ୍ୟ କେଉଁଠି ହିନ୍ଦୁଙ୍କ ପାଇଁ ସ୍ଥାନ ନାହିଁ ବୋଲି ସେ କହିଥିଲେ । ଏହାସହିତ ନାଗରିକତା ଆଇନକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଥିବା ସେ ଅଭିଯୋଗ କରିଥିଲେ । ନୂଆ ଆଇନରେ ଦେଶବାସୀଙ୍କର କୌଣସି କ୍ଷତି ହେଉ ନ ଥିବା ବେଳେ କିଛି ନେତା ଏହାକୁ ନେଇ ମିଥ୍ୟା ଗୁଜବ ପ୍ରଚାର କରି ଅଶାନ୍ତି ସୃଷ୍ଟି କରୁଥିବା କହିଥିଲେ ଗଡକରୀ । 

ରବିବାର ବାଙ୍ଗାଲୁରୁରେ ମଧ୍ୟ ନାଗରିକତା ଆଇନ ସମର୍ଥନରେ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ମହାରାଷ୍ଟ୍ରର ନାଗପୁରରେ ନାଗରିକତା ଆଇନ ସମର୍ଥନରେ ଲୋକାଧିକାର ମଞ୍ଚରେ ତ୍ରିରଙ୍ଗା ମାର୍ଚ୍ଚ । ଲୋକଙ୍କୁ ଆଇନ ସମ୍ବନ୍ଧରେ ସଚେତନ କରିବା ପାଇଁ ନାଗପୁରର ଯଶୋୱନ୍ତ ଷ୍ଟାଡିଅମରେ ଆୟୋଜିତ ରାଲିରେ ସାମିଲ ହୋଇଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନାଗରିକତା ଆଇନ ଏବେ ଦେଶ ପାଇଁ ଜରୁରୀ ଥିଲା ବୋଲି ସେ କହିଥିଲେ । ଏହି ଆଇନ ଦେଶର ମୁସଲମାନଙ୍କ ବିରୋଧୀ ହୋଇ ନ ଥିଲେ ବି ସରକାର ବିରୋଧୀ ହିଂସାତ୍ମକ ରାଲି ହୋଇଥିବା ଦେଶ ପାଇଁ ଦୁର୍ଭାଗ୍ୟ ବୋଲି ଗଡକରୀ କହିଥିଲେ । 

ଆହୁରି ପଢନ୍ତୁ; ସୋରେନ ହେବେ ସିଏମ ! ମେଣ୍ଟ ସହଯୋଗୀ ଦେଲେ ସୂଚନା