Trending Photos
ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ବୋର୍ଡର ବାର୍ଷିକ ସାଧାରଣ ବୈଠକ । ବୋର୍ଡ ପଦାଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଏଥିରେ ନିଷ୍ପତ୍ତି ହେବା ସହ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ତେଣୁ ୯ ମାସ ପାଇଁ ବିସିସିଆଇ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଁ ଦାଦାଙ୍କ କାର୍ଯ୍ୟକାଳ ବଢ଼ିବା ଆଶା କରାଯାଉଛି । ବୋର୍ଡ ଏଜିଏମରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ବାଧ୍ୟତାମୂଳକ ପ୍ରଶାସନରେ କୋହଳ କରିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ସୁପ୍ରିମ୍ କୋର୍ଟଙ୍କ ଅନୁମତିର ଆବଶ୍ୟକ ମଧ୍ୟ ରହିଛି।
ବୋର୍ଡ ବୈଠକରେ ସମସ୍ତ ସଂଶୋଧିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ କେବଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ୱୀକୃତିକୁ ଏବେ ଅପେକ୍ଷା । ଖୁବଶୀଘ୍ର ସଂଶୋଧିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇବ ବୋଲି ସୂଚନା ମିଳିଛି। ଯଦି କୋର୍ଟଙ୍କ ସ୍ୱୀକୃତି ମିଳେ, ତାହେଲେ ୨୦୨୪ ଯାଏ ବିସିସିଆଇ ଅଧ୍ୟକ୍ଷ ରହିବେ ପ୍ରିନ୍ସ ଅଫ୍ କୋଲକାତା ମିଷ୍ଟର ଗାଙ୍ଗୁଲି । ବର୍ତ୍ତମାନ ନିୟମ ଅନୁସାରେ ଯଦି କୌଣସି ପଦାଧିକାରୀ ବିସିସିଆଇ କିମ୍ବା ରାଜ୍ୟ ସଂଘରେ ୩ ବର୍ଷ ନିଜର କାର୍ଯ୍ୟକାଳ ପୂରଣ କରନ୍ତି, ତା ହେଲେ ପବରତ୍ତୀ ୩ ବର୍ଷ ସେ କୌଣସି ପଦପଦବୀରେ ରହିପାରିବେ ନାହିଁ । ଗାଙ୍ଗୁଲି ଗତ ଅକ୍ଟୋବର ୨୩ ତାରିଖରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୨୦୨୦ ଜୁଲାଇରେ ଏହି ପଦବୀ ଛାଡ଼ିବାର ଅଛି ।
କିନ୍ତୁ ସଂଶୋଧିତ ପ୍ରସ୍ତାବ ଲାଗୁ ହେଲେ ସେ ଏହି ପଦବୀରେ ପୂରା ପାଞ୍ଚ ବର୍ଷ ରହିପାରିବେ। ଏଥିସହ ବୈଠକରେ କ୍ରିକେଟ୍ ଆଡଭାଇଜରି କମିଟିର ନିଯୁକ୍ତିକୁ ଟାଳିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ନୂଆ ସମ୍ବିଧାନରେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ନିୟମ କାରଣରୁ ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ଏବଂ ଗାଙ୍ଗୁଲି ସିଏସି ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ କପିଲ୍ ଦେବ, ଶାନ୍ତା ରଙ୍ଗାସ୍ୱାମୀ ଏବଂ ଅଂଶୁମାନ ଗାଏକ୍ୱାଡଙ୍କୁ ନେଇ ଗଠିତ ସିଏସି, ପୁରୁଷ ଟିମର ମୁଖ୍ୟ କୋଚ୍ ନିଯୁକ୍ତି କରିଥିଲେ। ମୁଖ୍ୟ କୋଚ୍ ଭାବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଚୟନ କମିଟିର ନିଯୁକ୍ତି ମଧ୍ୟ ସିଏସି ଉପରେ ନିର୍ଭରଶୀଳ । ଏବେ ସମସ୍ତ ପ୍ରସ୍ତାବ ପଠାଇବା ପରେ କୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ।
ଅଧିକ ପଢନ୍ତୁ; ମୋ କୂଳରେ ଘର କରନି, ମୁଁ ସମୁଦ୍ର ଫେରି ଆସିବି ନିଶ୍ଚିୟ: ଫଡନାଭିସ