ଟେଷ୍ଟ ଫେରୁଛି, ପାକିସ୍ତାନ ଗଦଗଦ୍ !
Advertisement

ଟେଷ୍ଟ ଫେରୁଛି, ପାକିସ୍ତାନ ଗଦଗଦ୍ !

ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନକୁ ଫେରୁଛି ଟେଷ୍ଟ କ୍ରିକେଟ୍ । ଡିସେମ୍ବର ୧୧ ତାରିଖରୁ ରାଉଲପିଣ୍ଡିରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯିବ । ୨୦୦୯ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ଗସ୍ତରେ ଯାଇଥିବା ତତ୍କାଳୀନ ଶ୍ରୀଲଙ୍କା ଟିମ୍ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍ ବନ୍ଦ ଥିଲା

ସୌଜନ୍ୟ: ସୋସିଆଲ ମିଡିଆ

ରାୱଲପିଣ୍ଡି:  ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନକୁ ଫେରୁଛି ଟେଷ୍ଟ କ୍ରିକେଟ୍ । ଡିସେମ୍ବର ୧୧ ତାରିଖରୁ ରାଉଲପିଣ୍ଡିରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯିବ । ୨୦୦୯ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ଗସ୍ତରେ ଯାଇଥିବା ତତ୍କାଳୀନ ଶ୍ରୀଲଙ୍କା ଟିମ୍ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍ ବନ୍ଦ ଥିଲା । ଯାହା ଏବେ ଏବେ ପାକିସ୍ତାନରେ ପୁଣି ଆରମ୍ଭ ହେଉଛି । ପୂର୍ବରୁ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ଖେଳା ସରିଥିବାବେଳେ ପ୍ରଥମଥର ପାଇଁ ୧୦ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ କ୍ରିକେଟ୍ ଖେଳାଯିବ । ଯାହାକୁ ନେଇ ପାକିସ୍ତାନର ଲୋକଙ୍କଠାରୁ ଆରମ୍ଭ କରି ବୋର୍ଡର କର୍ମକର୍ତ୍ତା ଓ ଖେଳାଳି ଉତ୍ସାହିତ ଅଛନ୍ତି ।

fallback

ପ୍ରଥମ ମ୍ୟାଚ୍ ୧୧ ଡିସେମ୍ବରରୁ ରାୱଲପିଣ୍ଡିରେ ଖେଳାଯିବ ଓ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ୧୯ ଡିସେମ୍ବରରୁ କରାଚୀ ନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ । ଆଜି ଶ୍ରୀଲଙ୍କା ଟିମ୍ ପାକିସ୍ତାନରେ ପହଞ୍ଚିଛି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଟ୍ୱିଟରରେ ଏନେଇ କିଛି ଫଟୋଗ୍ରାଫ୍ ଅପଲୋଡ୍ କରିଛି । ଯେଉଁଠି ଦିମୁଥ୍ କରୁଣାରତ୍ନେଙ୍କୁ ବିମାନବନ୍ଦନରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି । ଏପରି ଟେଷ୍ଟ ସିରିଜ୍ ପାକିସ୍ତାନରେ ଖେଳାଗଲେ ପାକ୍ କ୍ରିକେଟର ଦୁର୍ଦଶା ଦୂର ହେବ ଓ ଆଗାମୀ ଦିନରେ ପାକିସ୍ତାନ ଟିମ୍ ମଧ୍ୟ ଅନ୍ୟ ଟିମଙ୍କୁ ଦେଶକୁ ଡାକିବାକୁ ସକ୍ଷମ ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ କହୁଛନ୍ତି । ସେପଟେ କିନ୍ତୁ ପାକିସ୍ତାନ ଟିମର ପ୍ରଦର୍ଶନକୁ ନେଇ ଲୋକେ ଏବେ ବି ସନ୍ତୁଷ୍ଟ ନୁହନ୍ତି । ସର୍ଫରାଜ୍ ଅହମ୍ମଦଙ୍କୁ କ୍ୟାପଟେନସିପରୁ ହଟାଇବା ପରେ ବି ଟେଷ୍ଟରେ ଅଜହର୍ ଅଲ୍ଲୀ, ଦିନିକିଆ ଓ ଟି-୨୦ରେ ବାବର ଆଜମଙ୍କ ନେତୃତ୍ୱ ସେମିତି କିଛି ଖାସ୍ କରି ନାହିଁ । ନିକଟରେ ଶ୍ରୀଲଙ୍କା ଟିମ୍ ଟି-୨୦ ସିରିଜ୍ ଖେଳିବାକୁ ପାକିସ୍ତାନ ଯାଇଥିଲା ଓ ଘରୋଇ ମାଟିରେ ପାକିସ୍ତାନକୁ ଚିତ୍ କରି କ୍ଲିନ୍ ସୁଇପ୍ କରିଥିଲା । ସେପଟେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ପାକିସ୍ତାନ ସେଠି ମଧ୍ୟ ଚିତ୍ ହୋଇପଡ଼ିଥିଲା । ବ୍ରିସବେନ୍ ଓ ଆଡିଲେଡରେ ଖେଳାଯାଇଥିବା ଦୁଇଟି ଯାକ ଟେଷ୍ଟରେ ପାକିସ୍ତାନ, ଇନିଂସ ପରାଜୟ ଲାଭ କରିଥିଲା । ଯାହାକୁ ନେଇ କ୍ରିକେଟ୍ ସମୀକ୍ଷକମାନେ ପାକିସ୍ତାନ କ୍ରିକେଟର ଭବିଷ୍ୟତକୁ ନେଇ ସନ୍ଦିହାନ୍ ହୋଇପଡ଼ିଥିଲେ ।ଏଣୁ ଏବେ ଘରୋଇ ମାଟିରେ ପାକିସ୍ତାନ ଠାରୁ କିଛି ଭଲ ପ୍ରଦର୍ଶନର ଆଶା କରାଯାଉଛି ।

fallback

ପାକିସ୍ତାନ ଟିମର ମୁଖ୍ୟ ଚୟନକର୍ତ୍ତା, ମୁଖ୍ୟ କୋଚ୍ ଓ ବ୍ୟାଟିଂ କୋଚ୍ ଭଳି ଏକଥରକେ ତିନିଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବେ ପୂର୍ବତନ ଅଧିନାୟକ ମିସବା-ଉଲ୍-ହକଙ୍କ ପାଖରେ ରହିଛି । ଯାହାକୁ ନେଇ ଅନେକ ସମାଲୋଚନା ବି କରାଯାଉଛି । ଟିମ୍ ଚୟନରେ ତ୍ରୁଟି ଓ ପ୍ରିୟାପ୍ରୀତିତୋଷଣକୁ ନେଇ ମିସବା ଏବେ ହଟହଟା ହେଉଛନ୍ତି । ଖାସ୍ କରି ଘରୋଇ ଟି-୨୦ ସିରିଜରେ ଶ୍ରୀଲଙ୍କା ଠାରୁ ପରାଜୟ ଓ ଅଷ୍ଟ୍ରେଲିଆ ଶୋଚନୀୟ ପ୍ରଦର୍ଶନ ମିସବା ଆଣ୍ଡ୍ କୋ'ଙ୍କୁ ପ୍ରଶ୍ନର କାଠଗଡ଼ାର ଠିଆ କରାଇଛି । ଚଳିତ ଘରୋଇ ସିଜିନରେ ପିସିବି ଏହାର ଫର୍ମାଟରେ ପରିବର୍ତ୍ତନ ଆଣି ଡିପାର୍ଟମେଣ୍ଟ କ୍ରିକେଟକୁ ବନ୍ଦ କରିଦେଇଛି । ସେପଟେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଲଗାତାର ସିଜିନ୍ ପରେ ସିଜିନ୍ ଭଲ ପ୍ରଦର୍ଶନ କରୁଥିବା ଫୱାଦ୍ ଆଲମ୍, ଖୁରମ୍ ମନଜୁର୍ ଓ ତାବିଶ୍ ଖାନଙ୍କ ଭଳି ଖେଳାଳିଙ୍କୁ କାହିଁକି ଜାତୀୟ ଦଳରେ ସୁଯୋଗ ମିଳୁନି ତାକୁ ନେଇ ମଧ୍ୟ ନାନା ପ୍ରଶ୍ନ କରାଯାଇଛି । ଏନେଇ ସମାଲୋଚନାର ଶିକାର ହୋଇଥିଲେ ଦଳର ପୂର୍ବତନ ଚୟନକର୍ତ୍ତା ଇଞ୍ଜାମାମ୍ ଉଲ୍-ହକ୍ । ଆଉ ଏବେ ବି ଦଳର ମୁଖ୍ୟ ଚୟନକର୍ତ୍ତା ମିସବା ଉଲ୍-ହକ୍ ସମାନ ପ୍ରଶ୍ନକୁ ସାମ୍ନା କରୁଛନ୍ତି । ତେବେ ନିକଟରେ ଶ୍ରୀଲଙ୍କା ସିରିଜ୍ ପାଇଁ ଘୋଷଣା କରାଯାଇଥିବା ୧୬ ଜଣିଆ ଦଳରେ ଦୀର୍ଘ ୧୦ ବର୍ଷ ପରେ ଫୱାଦ୍ ଆଲାମଙ୍କୁ ସାମିଲ କରାଯାଇଛି । ଯାହାକି ଏକ ଭଲ ନିଷ୍ପତ୍ତି । ଏବେ ଦେଖିବାର କଥା ଟେଷ୍ଟ କ୍ରିକେଟ୍ ପାକିସ୍ତାନକୁ ଫେରିବା ପରେ ପାକିସ୍ତାନ କ୍ରିକେଟର ଦୁର୍ଦ୍ଦଶା କମୁଛି ନା ପୂର୍ବରୁ ବେଶ୍ ଶକ୍ତିଶାଳୀ ରହି ଆସୁଥିବା ପାକିସ୍ତାନ ଟିମର ଆହୁରି ସତ୍ୟାନାଶ ହେଉଛି ।