ଜାମିଆ ଓ ଅଲିଗଡ଼ ବିଶ୍ୱବିଦ୍ୟାଳୟର ହୋଇଥିବା ହିଂସାର ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି
Advertisement
Article Detail0/zeeodisha/odisha611305

ଜାମିଆ ଓ ଅଲିଗଡ଼ ବିଶ୍ୱବିଦ୍ୟାଳୟର ହୋଇଥିବା ହିଂସାର ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି

ଦିନ ପ୍ରାୟ ସାଢେ ୧୨ଟାରୁ ଜାମିଆ ଓ ଅଲିଗଡ଼ ବିଶ୍ୱବିଦ୍ୟାଳୟର ହୋଇଥିବା ହିଂସାର ଶୁଣାଣି ଆରମ୍ଭ କରିଛନ୍ତି

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ନାଗରିକତା ବିଲକୁ ନେଇ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଓ ଅଲିଗଡ଼ ବିଶ୍ୱବିଦ୍ୟାଳୟରେ ଦେଖା ଦେଇଥିବା ହିଂସାକାଣ୍ଡ ସମ୍ପର୍କରେ ଦାଖଲ ହୋଇଥିବା ଏକ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି । ଦିନ ପ୍ରାୟ ସାଢେ ୧୨ଟାରୁ ଏହାର ଶୁଣାଣି ଆରମ୍ଭ କରିଛନ୍ତି । ତେବେ ଏହି ଶୁଣାଣି ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର(ଇଣ୍ଟେଲିଜେନ୍ସ) ପ୍ରବୀର ରଞ୍ଜନ ଏବଂ ଯୁଗ୍ମ ସଚିବ ଦେବେଶ ଶ୍ରୀବାସ୍ତବ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ସୁଦ୍ଧା ସୁପ୍ରିମକୋର୍ଟରେ ପହଞ୍ଚି ଯାଇଥିଲେ । 

ସେପଟେ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଜାମିଆ ମିଲିଆ ଏବଂ ଅଲିଗଡ଼ ବିଶ୍ୱବିଦ୍ୟାଳୟର ଯାଚିକା ଦାୟର କରିଥିବା ଛାତ୍ରଗୋଷ୍ଠୀ ସୁପ୍ରିମକୋର୍ଟରେ ୩ଟି ପ୍ରମୁଖ ଦାବି ମଧ୍ୟ ରଖିଥିଲେ ।  ସେମାନେ କହିଥିଲେ କି, ଅଲିଗଡ଼ ଏବଂ ଜାମିଆ ବିଶ୍ୱବିଦ୍ୟାଳୟର କୌଣସି ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ । ଏହା ସହିତ ଏହି ଦୁଇ ବିଶ୍ୱବିଦ୍ୟାଳୟରେ ସଂଗଠିତ ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ସୁପ୍ରିମକୋର୍ଟ ଏକ କମିଟି ଗଠନ କରନ୍ତୁ । 

ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟ ପ୍ରଶାସନର ବିନା ଅନୁମତିରେ ପୋଲିସ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରିପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉକ୍ତ ଛାତ୍ରଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ରଖିଥିଲେ । ନାଗରିକତା ବିଲକୁ ବିରୋଧ କରି ବିଗତ କିଛି ଦିନ ଧରି ଦେଶର ବିଭିନ୍ନ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି । ଗତ ରବିବାର ଦିଲ୍ଲୀରେ ଆନ୍ଦୋଳନକାରୀ ଦୁଇଟି ବସକୁ ପୋଡ଼ି ଦେଇଥିବା ବେଳେ ପଶ୍ଚିମବଙ୍ଗରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ଘଟିଥିବା ଏଭଳି ଘଟଣାକୁ ବିରୋଧ କରି ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଯାଞ୍ଚ ପାଇଁ ଦାବି କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସୁପ୍ରିମକୋର୍ଟ ତାହାକୁ ଖାରଜ କରିଦେବା ସହିତ ସେ ପ୍ରଥମେ ହାଇକୋର୍ଟକୁ ଯାଆନ୍ତୁ ବୋଲି କହିଥିଲେ । 

ଅଶ୍ୱିନୀ ତାଙ୍କ ଯାଚିକା ପତ୍ରରେ ଲେଖିଥିଲେ କି, ଏହି ହିଂସାର ଯାଞ୍ଚ ଏନଆଇଏ କିମ୍ବା ସିବିଆଇ ଏହାର ତଦନ୍ତ କରୁ । ଏଥିପାଇଁ ସୁପ୍ରିମକୋର୍ଟ ଉକ୍ତ ଦୁଇ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ନିର୍ଦେଶ ଦିଅନ୍ତୁ । ମାତ୍ର ଏହି ଯାଚିକାକୁ ଖାରଜ କରିବା ସହିତ ସୁପ୍ରିମକୋର୍ଟ କହିଥିଲେ କି, ଏହା କୌଣସି ଟ୍ରାଏଲ କୋର୍ଟ ନୁହେଁ । ଦେଶର ଯେ କୌଣସି ହିଂସାର ବିଚାର କରିବା ପାଇଁ ସୁପ୍ରିମକୋର୍ଟ ଗଠନ ହୋଇନାହିଁ । ପ୍ରଥମେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିବ । ହାଇକୋର୍ଟରୁ ପ୍ରସ୍ତାବ ଆସିଲେ ଆମେ ତାହାର ଶୁଣାଣି କରିବୁ ବୋଲି ସିଜେଆଇ କହିଥିଲେ । ଏହା ପୂର୍ବରୁ ଉଭୟ ଜାମିଆମିଲିଆ ଏବଂ ଅଲିଗଡ଼ ବିଶ୍ବବିଦ୍ୟାଳୟରେ ଘଟିଥିବା ହିଂସା କାଣ୍ଡ ସମ୍ପର୍କରେ ସୁପ୍ରିମକୋର୍ଟ କହିଥିଲେ କି, ଏହି ଘଟଣାରେ କିଏ ଦୋଷୀ କିଏ ନିର୍ଦ୍ଦୋଷ ତାହା ଆମେ କହୁ ନାହୁଁ । ଆମେ କେବଳ ଏତିକି ଚାହୁଁଛୁ ଯେ, ଦେଶରେ ଶାନ୍ତି ବଜାୟ ରହୁ । ଏଭଳି ହିଂସାକାଣ୍ଡ ଯେପରି ନ ଘଟୁ ବୋଲି ମୁଖ୍ୟ ବିଚାରପତି କହିଥିଲେ ।