କେମିତି ଥିଲା ପୁରା ଘଟଣା, କାହିଁକି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ ?
Advertisement

କେମିତି ଥିଲା ପୁରା ଘଟଣା, କାହିଁକି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ ?

ହାଇଦ୍ରାବାଦ ଏନକାଉଣ୍ଟରର ସତ ବଖାଣିଲେ ସାଇବରାବାଦ ପୋଲିସ କମିଶନର । ପୋଲିସ ଉପରକୁ ପଥର ମାରିଥିଲେ, ପିସ୍ତଲ ଛଡାଇ ଗୁଳି ବି କରିଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଗୁଳିରେ ଘାଇଲା ୨ ପୋଲିସ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କାହିଁକି ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରିଥିଲା ପୋଲିସ ? କେଉଁ ପରିସ୍ଥିତିରେ ଗୁଳି କରିଥିଲା ? ଏନକାଉଣ୍ଟର କରିବା କ'ଣ ଏକମାତ୍ର ବିକଳ୍ପ ଥିଲା ? ଯେତେବେଳେ ବର୍ତ୍ତମାନ ଏଭଳି କିଛି ପ୍ରଶ୍ନ ଉଠୁଛି, ସେତେବେଳେ ପୁରା ଘଟଣା ସମ୍ପର୍କରେ ଅବଗତ କରିଛନ୍ତି  ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର ।

ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରକୁ ନେଇଥିଲା ପୋଲିସ । ପୀଡିତାଙ୍କ ମୋବାଇଲ ଅଭିଯୁକ୍ତମାନେ ଘଟଣାସ୍ଥଳ ପାଖାପାଖି ଲୁଚେଇ ରଖିଥିଲେ । ଏହି ମୋବାଇଲକୁ ଖୋଜି ବାହାର ମଧ୍ୟ କରିବାର ଥିଲା । ହେଲେ ଅନ୍ଧାରର ସାହାରା ନେଇ ଖସି ଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଯାହା ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ଆଜି ରିକ୍ରିଏସନ ପାଇଁ ୪ ଅଭିଯୁକ୍ତଙ୍କୁ ୧୦ ପୋଲିସ କର୍ମଚାରୀ ଘଟଣାସ୍ଥଳକୁ ନେଇଥିଲେ । ହେଲେ ଏମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ଆରିଫ ଓ ଚିନ୍ତାକୁଟା ପୋଲିସ ଉପରକୁ ପଥର ମାଡ କରିଥିଲେ । ଏପରିକି ପୋଲିସ ନିକଟରୁ ପିସ୍ତଲ ଛଡାଇ ଗୁଳି କରିଥିଲେ । ଏଥରେ ଦୁଇ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ମଧ୍ୟ ଗୁଳି ବାଜିଛି । 

ତେବେ ଆତ୍ମସମର୍ପଣ କରିବା ପାଇଁ ଅଭିଯୁକ୍ତଙ୍କୁ ବାରମ୍ବାର ଚେତାବନୀ ଦେଇଥିଲା ପୋଲିସ । ହେଲେ ଅନ୍ଧାରର ସାହାରା ନେଇ ଖସି ଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଶେଷରେ ପୋଲିସ ଏନକାଉଣ୍ଟର କରିବା ପାଇଁ ବାଧ୍ୟ ହୋଇଥିଲା । ଯେଉଁଥିରେ ସମସ୍ତ ୪ ଅଭିୁଯୁକ୍ତଙ୍କ ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟର ଭୋର ୫ଟା ୪୫ରୁ ୬ଟା ୧୫ ମଧ୍ୟରେ ହୋଇଥିଲା । ଆତ୍ମରକ୍ଷା ପାଇଁ ହିଁ ଏହି ଏନକାଉଣ୍ଟର ବୋଲି କହିଛନ୍ତି ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର । 

ସେହିପରି NHRC ନୋଟିସ ଉପରେ ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର କହିଛନ୍ତି, ଆମେ NHRCଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର  ଦେବୁ । କେବଳ ଆତ୍ମରକ୍ଷା ପାଇଁ ହିଁ ଆମେ ଏନକାଉଣ୍ଟର କରିଛୁ । 

ଆହୁରି ପଢନ୍ତୁ; ଜନତାଙ୍କ ଠାରୁ ସିନା ସାବାସୀ, ଆଇନ ଚକ୍କରରେ ଫସିଯିବନି ତ ପୋଲିସ ?