ଆମ୍ବ ତୋଳିବା ହେଲା କାଳ, ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ
Advertisement

ଆମ୍ବ ତୋଳିବା ହେଲା କାଳ, ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ପରମିନ ଖାତୁନ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ସେହିପରି ସାନ ଭଉଣୀ ନୟନା ଖାତୁନ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ।

ଫଟୋ ସୌଜନ୍ୟ: ଜୀ ମିଡିଆ

ଦେବେନ୍ଦ୍ର କୁମାର ନାୟକ, ସୋର: ଆମ୍ବ ତୋଳିବା ହେଲା କାଳ । ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ । ବାଲେଶ୍ୱର ବାହାନଗା ବ୍ଲକ୍ ସାହାସପୁରା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇଜଣେ ହେଲେ ଗାଁର ମୋକିମ ସାହାଙ୍କ ଝିଅ ପରମିନ ଖାତୁନ(୧୧) ଏବଂ ତାଙ୍କ ଭାଇ ତସଲିମ୍ ସାହାଙ୍କ ଝିଅ ନୟନା ଖାତୁନ(୬) । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ପୋଖରୀ କୂଳରେ ଆମ୍ବ ଗଛ । ଆମ୍ବ ତୋଲିବା ପାଇଁ ଯାଇଥିଲେ ଦୁଇ ଭଉଣୀ । ତେବେ ଗଛ ଉପରୁ ଖସି ପଡ଼ିଥିଲେ ସାନ ଭଉଣୀ ନୟନା ଖାତୁନ  । ଆଉ ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭଉଣୀ ପରମିନ ଖାତୁନ ମଧ୍ୟ ଜୀବନ ହାରିଛନ୍ତି । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଶେଷରେ ପୋଖରୀରେ ଉଭୟଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । 

ଯାହା ଜଣାପଡ଼ିଛି, ଆଜି(ଶୁକ୍ରବାର) ପୂର୍ବାହ୍ନରେ ଏହି ଘଟଣା ଘଟିଛି । ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ପରମିନ ଖାତୁନ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ସେହିପରି ସାନ ଭଉଣୀ ନୟନା ଖାତୁନ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ । ଉଭୟଙ୍କ ମୃତ୍ୟୁରେ କେବଳ ଦୁଇ ପରିବାର ନୁହେଁ, ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ଅକାରଣରେ ଚାଲିଯାଇଛି ଦୁଇ ଜୀବନ । କାନ୍ଦୁଛନ୍ତି ପରିବାର ସଦସ୍ୟ, କାନ୍ଦୁଛି ସାହାସପୁରା ଗାଁ ।