ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
Trending Photos
ନୂଆଦିଲ୍ଲୀ: କ୍ଷମତା ଲୋଭରେ ବଦଳି ଗଲେ କି ଉଦ୍ଧବ ? ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ବିଚାରଧାରାରୁ ଦୂରେଇ ଯାଉନାହାଁନ୍ତି ତ ? ମହା ବିକାଶ ଆଘାଡି ସରକାରରେ ହିନ୍ଦୁତ୍ୱ ବିଚାରଧାରାର ସ୍ଥାନ କେଉଁଠି ? ବିଜେପି ଠାରୁ ଦୂରେଇବା ସହ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିଛି ଶିବସେନା । ଆଉ ଏହାରି ଭିତରେ ସାଧାରଣ ଲୋକଙ୍କ ଭିତରେ ଉଠିଛି ଏଭଳି କିଛି ପ୍ରଶ୍ନ । ସ୍ଥିତି ଏପରି ହୋଇଛି ଯେ ଦଳକୁ ବାରମ୍ବାର ସ୍ପଷ୍ଟୀକରଣ ରଖିବାକୁ ପଡୁଛି ।
ସିଏବିକୁ ଯଦିଓ ଦଳ ଲୋକସଭାରେ ସମର୍ଥନ କରିଥିଲା, ତେବେ ରାଜ୍ୟସଭାରେ ବାହାନା କରି ଗୃହତ୍ୟାଗ କରିଥିଲେ ଶିବସେନା ସାଂସଦ । ଯେଉଁ ଶିବସେନା ଦିନେ ବିଜେପିକୁ ଏଭଳି କିଛି ବିଲ୍ ଆଣିବାକୁ ପ୍ରବର୍ତ୍ତାଉଥିଲା, ଏବେ ସେ ଶିବସେନା ବଦଳି ଯାଇଛି । ସାବରକରଙ୍କୁ ଭାରତ ରତ୍ନ ଦେବା ପାଇଁ ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ଶିବସେନା ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଶିବସେନାକୁ ଅଡୁଆରେ ପକାଇଥିଲା । ଯାହାହେଲେ ବି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିଛନ୍ତି ଉଦ୍ଧବ । ଏଣୁ ମାରିଲେ ବ୍ରହ୍ମହତ୍ୟା, ତେଣୁ ମାରିଲେ ଗୋହତ୍ୟା ଭଳି ସ୍ଥିତିରେ ଶିବସେନା ମୁଖ୍ୟ ।
ମହା ବିକାଶ ଅଘାଡି ମେଣ୍ଟ ପରଠୁ ବିଭିନ୍ନ ସମୟରେ ଶିବସେନା ବଦଳି ଯାଇଥିବା ଚର୍ଚ୍ଚା ହୋଇଆସିଛି । ଆଉ ଏହି ଚର୍ଚ୍ଚା ଉପରେ ରୋକ୍ ଲଗାଇବା ପାଇଁ ଦଳ ପକ୍ଷରୁ ବାରମ୍ବାର ଏନେଇ ସ୍ପଷ୍ଟୀକରଣ ରଖିବାକୁ ପଡିଛି । ଆଉ ଏହାରି ଭିତରେ ସୋମବାର ରାତିରେ ପୁଣି ଏହା ଉପରେ ସାମ୍ନାକୁ ଆସିଛି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବୟାନ । ନାଗପୁରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି, ଶିବସେନା ହିନ୍ଦୁତ୍ୱବାଦୀ ହୋଇ ହିଁ ରହିବ । ବଦଳିବାର ପ୍ରଶ୍ନ ଉଠୁନି ।
ସେହିପରି ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କହିଛନ୍ତି, ଏହାର କାର୍ଯ୍ୟକାରୀ ନେଇ ସରକାରଙ୍କ ପାଖରେ କୌଣସି ଆଇଡିଆ ନାହିଁ । ତେବେ ଆମେ ସବୁବେଳେ ହିନ୍ଦୁତ୍ୱବାଦୀ ରହିବୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ, ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ହିନ୍ଦୁତ୍ୱ ମୁଦ୍ଦା କେବେବି ଉଠାଇବ ନାହିଁ ଶିବସେନା ।
ଆହୁରି ପଢନ୍ତୁ; ମହାରାଷ୍ଟ୍ରରୁ ଧରାପଡିଲେ ୧୨ ବାଂଲାଦେଶୀ ନାଗରିକ