CAA protest: ହିଂସା ଭିଆଇଥିବା ଦୋକାନୀଙ୍କ ଦୋକାନ ଜବତ
Advertisement
Article Detail0/zeeodisha/odisha613697

CAA protest: ହିଂସା ଭିଆଇଥିବା ଦୋକାନୀଙ୍କ ଦୋକାନ ଜବତ

ଆନ୍ଦୋଳନକାରୀଙ୍କ ପରିଚୟ ଦିଅ, ପୁରସ୍କାର ନିଅ...

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସିଏଏ ବିକ୍ଷୋଭ ନାଁରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଏବଂ ସର୍ବ ସାଧାରଣ ସମ୍ପତ୍ତି ନଷ୍ଟର ଫଳ ଭୋଗିବେ ବିକ୍ଷୋଭକାରୀ । ଆରମ୍ଭ ହୋଇଛି କାର୍ଯ୍ୟନୁଷ୍ଠାନ । ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ପୋଲିସ । ୟୁପି ମୁଜାଫରନଗରରେ ୫୦ ଦୋକାନ ଜବତ କରିଛି ପ୍ରଶାସନ । ଏହି ଦୋକାନୀମାନେ ବିକ୍ଷୋଭ ବେଳେ ହିଂସା ଭିଆଇଥିବା ପୋଲିସ ଜାଣିବାକୁ ପାଇଛି । 

ସେହିପରି ରାଜ୍ୟର ଅନେକ ସ୍ଥାନରେ ସର୍ବ ସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ ବିକ୍ଷୋଭକାରୀ । ଗାଡି ମୋଟର ପୋଡା ଜଳା ସହ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଥିଲେ । ଏବେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ସେହିପରି ସିଏଏ ହିଂସାରେ କ୍ଷତି ହୋଇଥିବା ସମ୍ପତ୍ତିର ଆକଳନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ଉତ୍ତର ପ୍ରଦେଶ ସରକାର । 

ଲକ୍ଷ୍ନୌରେ ବିକ୍ଷୋଭ ବେଳେ ହିଂସାରେ ଥିବା ୨୫୦ ଆନ୍ଦୋଳନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛି ୟୁପି ପୋଲିସ । ଏମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ(NSA) ଲାଗିପାରେ । ସେହିପରି ୧୩ ସନ୍ଦିଗ୍ଧ ସୋଶିଆଲ ଆକାଉଣ୍ଟ ବିଷୟରେ ଛାନଭିନ ଆରମ୍ଭ ହୋଇଛି । ପ୍ରକୃତରେ ଏ ଆକାଉଣ୍ଟ କାହାର, ସେନେଇ ତଦନ୍ତ ଜାରି ରହିଛି । ଆଇଟି ସେଲ ଏ ଦିଗରେ ତଦନ୍ତ ଚଳାଇଛନ୍ତି । 

ଅନ୍ୟପଟେ ଗୋରଖପୁରରେ ହିଂସା ଘଟାଇଥିବା ଲୋକଙ୍କ ଫଟୋ ଜାରି କରିଛି ପୋଲିସ । ଆନ୍ଦୋଳନକାରୀଙ୍କ ପରିଚୟ ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସୁରକ୍ଷାକୁ ଆଖି ଆଗରେ ରଖି ସୋମବାର ଯାଏ ୨୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି । 

ଆହୁରି ପଢନ୍ତୁ; CAA protest: ମାଙ୍ଗାଲୁରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା