ପାଣିଚିଆ କ୍ରିକେଟ୍ ଓ ଭାରତୀୟ ଦ୍ରୁତ ବୋଲର୍
Advertisement
Article Detail0/zeeodisha/odisha601224

ପାଣିଚିଆ କ୍ରିକେଟ୍ ଓ ଭାରତୀୟ ଦ୍ରୁତ ବୋଲର୍

ବାଂଲାଦେଶ ବିପକ୍ଷ ବହୁ ପ୍ରତିକ୍ଷିତ ଦିବାରାତ୍ର ପିଙ୍କ୍ ବଲ୍ ଟେଷ୍ଟ ଏକତରଫା ହୋଇ ସରିଗଲା । ବାଂଲାଦେଶର ପାଣିଚିଆ ପ୍ରଦର୍ଶନ ଓ ଭାରତୀୟ ଦ୍ରୁତ ବୋଲରଙ୍କ ଦବଦବା ସଫା ସଫା ନଜରକୁ ଆସିଲା । ତେବେ ଏହି ମ୍ୟାଚ୍ ପରେ ଭାରତୀୟ ବୋଲରଙ୍କ ଭୁରି ଭୁରି ପ୍ରଶଂସା ତ ହେଉଛି, କିନ୍ତୁ ତା ସହ ଆହୁରି କିଛି ବଡ଼ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି ।

ସୌଜନ୍ୟ: ସୋସିଆଲ ମିଡିଆ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: କୋଲକାତାରେ ମାତ୍ର ୩ ଦିନ ମଧ୍ୟରେ ଶେଷ ହୋଇଗଲା ଭାରତୀୟ କ୍ରିକେଟ୍ ଇତିହାସର ସର୍ବପ୍ରଥମ ଦିବାରାତ୍ର ଟେଷ୍ଟ । ଏହି ଟେଷ୍ଟ ମ୍ୟାଚ ପାଇଁ ପୂର୍ବରୁ ଅନେକ ଚର୍ଚ୍ଚା ଆଲୋଚନା ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଦେଶର ଚା' ଖଟି ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ପୋର୍ଟ୍ସ ଏରେନାରେ ମଧ୍ୟ ଇଡେନ୍ ଗାର୍ଡେନ୍ସ ଟେଷ୍ଟ ବିଷୟରେ ଶୁଣିବାକୁ ମିଳୁଥିଲା । କିନ୍ତୁ ବାଂଲାଦେଶର ପ୍ରଦର୍ଶନ ମ୍ୟାଚକୁ ପାଣିଚିଆ କରିଦେଲା । ଯାହାକୁ ନେଇ ଏବେ ଦେଶବିଦେଶର ଅନେକ କ୍ରିକେଟ୍ ପଣ୍ଡିତ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି । ସେପଟେ ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ଟିମ୍ କେବଳ ପ୍ରଥମ ଟି-୨୦ ଛାଡ଼ିଦେଲେ, ଆଉ ଗୋଟିଏ କୌଣସି ମ୍ୟାଚ୍ ବି ଜିତି ପାରିଲା ନାହିଁ । କ୍ରିକେଟରେ ହାର୍ ଜିତ୍ ରହିଛି, ଏକଥା ସତ । କିନ୍ତୁ ଯେଉଁ ଶୈଳୀର କ୍ରିକେଟ୍ ବାଂଲା ଖେଳାଳି ଖେଳିଲେ, ତାକୁ ନେଇ ଏବେ ତର୍ଜମା କରାଯିବା ଉଚିତ୍ । ତାମିମ୍ ଇକବାଲ୍ ଓ ସାକିବ୍ ଉଲ୍ ହସନଙ୍କ ବିନା ବାଂଲାଦେଶ ଏକଦମ୍ ଏକ ଦୁର୍ବଳ ଦଳ ଲାଗୁଛି । ଯିଏ ପ୍ରଥମ ଇନିଂସରେ ୨ ଶହ ତ ଦୂରର କଥା ୧୫୦ ରନ୍ କରିବାକୁ ବି ସଂଘର୍ଷ କରୁଛି । ଆଉ ଭାରତ ଭଳି ଦଳ ବିରୋଧରେ ଯଦି କୌଣସି ଦଳ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୧୦୦ ରନ୍ କରୁଛି, ତେବେ ଜାଣିନେବା ଉଚିତ୍ କି, ମ୍ୟାଚ୍ ସେହି ମୁହୂର୍ତ୍ତରୁ ହିଁ ଶେଷ ହୋଇଗଲା । ବାଂଲାଦେଶର ଏହି ପ୍ରଦର୍ଶନ ପରେ ଅନେକଗୁଡ଼ିଏ କଥାକୁ ନେଇ ଆଲୋଚନା ହେଉଛି । ଅନେକ କ୍ରିକେଟ୍ ପଣ୍ଡିତ ଏକଥା ବି କହିଲେଣି କି, ଟେଷ୍ଟ କ୍ରିକେଟରେ ପ୍ରଦର୍ଶନ ଭିତ୍ତିରେ ଦୁଇଟି ଟିୟର୍ କରାଯିବା ଉଚିତ୍ । ଅର୍ଥାତ୍ ଦଳଗୁଡ଼ିକୁ  ଦୁଇ ଭାଗରେ ବିଭକ୍ତ କରାଯିବା ଉଚିତ୍ । ସର୍ବଶ୍ରେଷ୍ଠ ଖେଳୁଥିବା ୪ ଦଳକୁ ପ୍ରଥମ ଟିୟର୍ ବା ପ୍ରଥମ ଗ୍ରୁପ୍ ଓ ବାକି ଦଳଗୁଡ଼ିକୁ ଦ୍ୱିତୀୟ ଟିୟରରେ ରଖାଯିବା ଉଚିତ୍ । ଯାହା ଫଳରେ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ରୋମାଞ୍ଚକର ହୋଇପାରିବ । ଏବେ ଏବେ ଭାରତରୁ ଖେଳିଯାଇଥିବା ଦକ୍ଷିଣ ଆଫ୍ରିକା କଥା ଦେଖନ୍ତୁ କି ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ ସଂଘର୍ଷ କରୁଥିବା ଅଜହର୍ ଅଲ୍ଲୀଙ୍କ ପାକିସ୍ତାନ ଦଳ କଥା କୁହନ୍ତୁ । ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ତ ଯେମିତି ଟେଷ୍ଟ
କ୍ରିକେଟ୍ ଉପରେ ଆଦୌ ଧ୍ୟାନ ଦେଉ ନଥିବା ଭଳି ଲାଗୁଛି । ଏଣୁ ଏସବୁ ଦଳଙ୍କୁ ଦ୍ୱିତୀୟ ଟିୟରରେ ରଖି ସେମାନଙ୍କ ମଧ୍ୟରେ ମ୍ୟାଚ୍ କରାଇବାକୁ ଅନେକ ଏବେ ମତ ଦେବା ଆରମ୍ଭ କଲେଣି । ଏହାସହ ପ୍ରଥମ ଟିୟରରେ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ରଖି, ସେମାନଙ୍କ ମଧ୍ୟରେ ମ୍ୟାଚ୍ କରାଗଲେ, ଏହି ମ୍ୟାଚଗୁଡ଼ିକ ରୋମାଞ୍ଚକର ହେବ ଓ ଦର୍ଶକଙ୍କୁ ଆକୃଷ୍ଟ କରାଇବାରେ ସଫଳ ହେବ । ସେପଟେ କିନ୍ତୁ ଗତକାଲି ମ୍ୟାଚ୍ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର କପ୍ତାନ ବିରାଟ କୋହଲି ଏକଥାକୁ ଠିକ୍ ବୋଲି କହି ନାହାନ୍ତି । ଭାରତୀୟ ଦଳ ଏବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଅପ୍ରତିଦ୍ୱନ୍ଦ୍ୱୀ ଲାଗୁଥିଲେ ମଧ୍ୟ ବିରାଟ କହିଛନ୍ତି, କୌଣସି ବି ଦଳର ପ୍ରଦର୍ଶନକୁ ଅନ୍ୟ କାହା ସହ ତୁଳନା କରାଯିବା ଠିକ୍ ନୁହେଁ । ଯଦି ବିଶ୍ୱ ଚାମ୍ପିଅନସିପରେ ଗୋଟିଏ ଦଳ ପାଇଁ ଗୋଟିଏ ଘରୋଇ ଓ ଅନ୍ୟଟି ବିଦେଶୀ ସିରିଜ୍ ହୁଅନ୍ତା, ତେବେ ଦଳ ପ୍ରଦର୍ଶନ ପ୍ରକୃତ ମାପକାଠି ତିଆରି ହୋଇପାରନ୍ତା ବୋଲି ବିରାଟ କହିଛନ୍ତି । କାରଣ ଭାରତ ଅଧିକ ସଫଳତା, ଅପେକ୍ଷାକୃତ ଦୁର୍ବଳ ଦଳଙ୍କ ବିପକ୍ଷରେ ଘରୋଇ ମାଟିରେ ପାଇଛି । ଅନ୍ୟ ଅନ୍ୟ ଦଳଗୁଡ଼ିକ ବିଦେଶ ମାଟିରେ ସଂଘର୍ଷ କରୁଛନ୍ତି ।. ଏଣୁ ଏକଥା କହିବା ବି ଭାରତ ଅନ୍ୟମାନଙ୍କ ଠାରୁ ଢେର୍ ଆଗରେ, ଠିକ୍ ହେବ ନାହିଁ ବୋଲି ବିରାଟ କହିଛନ୍ତି ।

fallback
ସେପଟେ କିନ୍ତୁ ଏହି ସିରିଜରେ ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରଦର୍ଶନକୁ ନେଇ ଏବେ ବିଶ୍ୱଯାକ ଭୁରି ଭୁରି ପ୍ରଶଂସା । ପାକିସ୍ତାନରେ ମଧ୍ୟ ଭାରତୀୟ ବୋଲରଙ୍କୁ ପ୍ରଶଂସାରେ ପୋତୁଛନ୍ତି ପୂର୍ବତନ କ୍ରିକେଟର୍ ଓ କ୍ରୀଡ଼ା ବିଶ୍ଳେଷକ ।. ଦ୍ରାବିଡ୍, ଗାଙ୍ଗୁଲି, ଧୋନି, କୋହଲି ଓ ସର୍ବୋପତି ଭାରତୀୟ ଘରୋଇ ଫର୍ମାଟ ଯୋଗୁଁ ଏବେ ଭାରତ ପାଖକୁ ବିଶ୍ୱସ୍ତରୀୟ ଦ୍ରୁତ ବୋଲର୍ ଆସୁଛନ୍ତି ବୋଲି ଅନେକ କ୍ରିକେଟ୍ ପଣ୍ଡିତ କହିଛନ୍ତି । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି । ଏହି ମ୍ୟାଚରେ ବାଂଲାଦେଶ ହରାଇଥିବା ସମସ୍ତ ୧୯ଟି  ଯାକ ୱିକେଟ୍ ଭାରତୀୟ ଦ୍ରୁତ ବୋଲର୍ ନେଇଛନ୍ତି ଓ ସ୍ପିନରଙ୍କୁ କୌଣସି  ୱିକେଟ୍ ମିଳିନାହିଁ । ଏମିତି ପୂର୍ବରୁ ଭାରତୀୟ ଟେଷ୍ଟ କ୍ରିକେଟରେ କେବେ ହେଲେ ଦେଖିବାକୁ ମିଳି ନଥିଲା । ସ୍ପିନରଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହି ଆସୁଥିବା ଭାରତର ଦ୍ରୁତ ବୋଲର ଏବେ ସେମାନଙ୍କ ସୁଇଂ ଓ ବାଉନ୍ସର ମାଧ୍ୟମରେ ବିଦେଶ ବ୍ୟାଟ୍ସମ୍ୟାନଙ୍କୁ ନାକେଦମ୍ କରୁଛନ୍ତି, ତାହା ଖୁବ୍ ବିରଳ । ପୂର୍ବରୁ ୨୦୧୭ ମସିହାରେ ଏହି ଇଡେନ୍ ଗାର୍ଡେନ୍ସରେ ହିଁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୧୭ଟି ୱିକେଟ୍ ନେଇଥିଲେ ଭାରତୀୟ ଦ୍ରୁତ ବୋଲର । ଯାହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଏବେ କିନ୍ତୁ ଭାରତୀୟ ବୋଲର୍ ଏକଦମ୍ ମୂଳପୋଛ କରିଦେଇଛନ୍ତି । ଯାହା ଭବିଷ୍ୟତ ପାଇଁ ଏକ ଖୁସି ଖବର