ପୁଲୱାମା ପରେ କୁଲଗାମରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ଗୁଳିମାଡ଼ରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
Trending Photos
ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ପୁଲୱାମା ପରେ କୁଲଗାମରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ଗୁଳିମାଡ଼ରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେହି ମଧ୍ୟ ସ୍ଥାନୀୟ ଲୋକ ନାହାଁନ୍ତି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ହୋଇଥିବା ବେଳେ କାଶ୍ମୀରରେ ପଥର କାମ କରୁଥିଲେ । ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
କାଶ୍ମୀରରେ ହୋଇଥିବା ନୃଶଂସ ହତ୍ୟା ନେଇ ମୁଁ ଦୁଃଖପ୍ରକାଶ କରୁଛି ବୋଲି କହିଛନ୍ତି ମମତା । ଏହାସହ ଏଭଳି ସମୟରେ ମୃତକଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ କାଶ୍ମୀର ସ୍ଥିତି ପରଖିବା ପାଇଁ ୟୁରୋପିଆନ ୟୁନିୟନରର ପ୍ରତିନିଧି ଦଳ କାଶ୍ମୀର ଗସ୍ତରେ ଅଛନ୍ତି, ସେତେବେଳେ ବଡ ଧରଣର ହମଲା କରିଛନ୍ତି ଆତଙ୍କବାଦୀ ।
ମଙ୍ଗଳବାର ପୁଲୱାମା ଜିଲ୍ଲାର ଦ୍ରବଗାମରେ ଏକ ପରୀକ୍ଷା କେନ୍ଦ୍ର ନିକଟରେ ମଧ୍ୟ ସେନା ଗାଡ଼ି ଉପରେ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । କିଛି ସମୟ ଧରି ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ଆତଙ୍କବାଦୀ ଫେରାର ହୋଇଯାଇଥିଲେ । ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ କରାଯାଇଛି ।ସେପଟେ ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।
ସୋମବାର ବିଜବେହରାରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ୩ ଜଣ ଆତଙ୍କବାଦୀ ହତ୍ୟା କରିଥିଲେ । ଗତ ଦୁଇ ସପ୍ତାହ ମଧ୍ୟରେ ଜମ୍ମୁ କାଶ୍ମୀରରେ ୯ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସେପଟେ ସାମ୍ନାକୁ ଆସିଛି ଜମ୍ମୁ କାଶ୍ମୀର ସୋପରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସିସିଟିଭି ଭିଡିଓ । ଗ୍ରେନେଡ ମାଡ଼ରେ ୨୦ ଜଣ ଆହତ ହୋଇଥିଲେ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ଆତଙ୍କବାଦୀମାନେ ସେନା, ପୋଲିସ ସହ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି ।
କାଶ୍ମୀରରେ ଆତଙ୍କବାଦୀ ଗୋଟିଏ ପରେ ଗୋଟିଏ ଆକ୍ରମଣ ଜାରି ରଖିଥିବାବେଳେ ଅନ୍ତରାଷ୍ଟ୍ରୀୟ ଚାପରୁ ବର୍ତ୍ତିବାକୁ ପାକିସ୍ତାନ ନୂଆ ଷଡ଼ଯନ୍ତ୍ର ରଚିଛି । ସୂଚନା ଅନୁସାରେ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବାର ନାମ ପରିବର୍ତ୍ତନ କରି ଟାର୍ଗେଟ ଲିଷ୍ଟ ଜାରି କରିଛି । ଲସ୍କର ଏ ତୋଏବା ଆତଙ୍କବାଦୀ ସଂଗଠନର ନାମ ପରିବର୍ତ୍ତନ କରି ଅଲ ଇଣ୍ଡିଆ ଲସ୍କର ଏ ତୋଏବା ରଖାଯାଇଛି । ପ୍ରଥମଥର ପାଇଁ ଆତଙ୍କବାଦୀଙ୍କ ଟାର୍ଗେଟରେ କ୍ରିକେଟର ବିରାଟ୍ କୋହଲି ରହିଛନ୍ତି । ଆସନ୍ତା ସପ୍ତାହରେ ଦିଲ୍ଲୀରେ କୋହଲିଙ୍କ ମ୍ୟାଚ୍ ରହିଛି । ଆତଙ୍କବାଦୀଙ୍କ ଟାର୍ଗେଟରେ ଅନେକ ବିଶିଷ୍ଟ ନେତା ରହିଥିବା ଜଣାପଡ଼ିଛି । ହିଟ୍ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ,ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ନାମ ରହିଛି ।