ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍
Advertisement
Article Detail0/zeeodisha/odisha1171848

ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍

୨୦୧୪ ଲୋକସଭା ନିର୍ବାଚନ ପର ଠାରୁ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ରାଜନୀତିରେ ସକ୍ରିୟ ହେବା ପର ଠାରୁ ବିଜେପି ଗୁଜୁରାଟ ରାଜନୀତିକୁ ପୂର୍ବ ଭଳି ନିୟନ୍ତ୍ରଣ କରିପାରୁନାହିଁ।

ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍

Gujarat Assembly Election 2022: ବିଜେପି ପ୍ରୟୋଗଶାଳା ଭାବେ ପରିଚିତ ଗୁଜୁରାଟ ରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହଙ୍କ ଗୃହ ରାଜ୍ୟ ଭାବେ ପରିଚିତ ଗୁଜୁରାଟ ହେଉଛି ବିଜେପି ଲାଗି ପାରମ୍ପରିକ ମଜବୁତ ଗଡ଼। ଗତ ୧୯୯୫ ମସିହାରୁ ଏଠାରେ ସରକାର ଗଠନ କରିଆସୁଛି ବିଜେପି। ମାତ୍ର ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେଉଥିବା ଏହି ବିଧାନସଭା ନିର୍ବାଚନକୁ ନେଇ କୌଣସି ପ୍ରକାର ବିପଦ ଉଠାଇବାକୁ ଚାହୁଁନାହିଁ ବିଜେପି। ଏହାକୁ ନଜରରେ ରଖି ଦଳ ଏହାର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି।   

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ (Gujarat Assembly Election 2022) ବିଜେପି (BJP) ତୃଣମୂଳସ୍ତରରେ ଏପରି ରଣନୀତି ପ୍ରସ୍ତୁତ କରୁଛି ଯେପରି ଗତ ୨୦୧୭ ନିର୍ବାଚନରେ (Gujarat Assembly Election 2017) ଦଳକୁ କଂଗ୍ରେସ ଚ୍ୟାଲେଞ୍ଜ ଦେଇଥିଲା। ଗତ ଥର ଅପେକ୍ଷା ଏଥରର ନିର୍ବାଚନରେ ଦଳ ଏହାର ପ୍ରଦର୍ଶନରେ ସୁଧାର ଆଣିପାରିବ। ଗତ ୧୯୯୫ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାତାର ଭାବେ ୨୭ ବର୍ଷ ଧରି ଗୁଜୁରାଟ ଦଖଲ କରିବାରେ ସକ୍ଷମ ହୋଇଛି ବିଜେପି। ଗତ ୨୦୦୧ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ବିଜେପି ରାଜ୍ୟ ରାଜନୀତିରେ ଆହୁରି ମଜବୁତ ହୋଇଯାଇଥିଲା।

ମାତ୍ର ୨୦୧୪ ଲୋକସଭା ନିର୍ବାଚନ ପର ଠାରୁ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ରାଜନୀତିରେ ସକ୍ରିୟ ହେବା ପର ଠାରୁ ବିଜେପି ଗୁଜୁରାଟ ରାଜନୀତିକୁ ପୂର୍ବ ଭଳି ନିୟନ୍ତ୍ରଣ କରିପାରୁନାହିଁ। ଯାହାର ଉଦାହରଣ ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏହ ନିର୍ବାଚନରେ ଦଳ ରାଜ୍ୟର ମୋଟ ୧୮୨ ଆସନ ମଧ୍ୟରୁ ୯୯ ସିଟ୍ ଦଖଲ କରି ୪୯% ଭୋଟ ହାସଲ କରିଥିଲା। ମାତ୍ର ୧୯୯୫ ମସିହାରୁ ଆରମ୍ଭ କରି ୨୦୧୨ ନିର୍ବାଚନ ପର୍ଯ୍ୟନ୍ତ ଦଳ ୧୧୫-୧୨୭ ସିଟ୍ ଦଖଲ କରି ପ୍ରଚଣ୍ଡ ବହୁମତ ସହାୟତାରେ ସରକାର ଗଠନ କରିଥିଲା।              

ଗତ ୨୦୧୭ ନିର୍ବାଚନରେ ପାରମ୍ପରିକ ଗଡ଼ରେ ମିଳିଥିବା ଝଟକା ପରେ ବିଜେପି ଏହାର ପୁରୁଣା ପ୍ରଦର୍ଶନକୁ ୨୦୨୨ ବିଧାନସଭା ନିର୍ବାଚନରେ ଦୋହରାଇବାକୁ ଚାହୁଁଛି। ଏହାକୁ ନଜରରେ ରଖି ପ୍ରଧାମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଗୁଜୁରାଟ ଗସ୍ତ କରିବା ସହ ଦଳୀୟ ନେତାଙ୍କ ସହଯୋଗରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଦଳୀୟ ସାଙ୍ଗଠନିକ ଦୃଷ୍ଟିକୋଣରୁ

ଅନ୍ୟପଟେ ପାରମ୍ପରିକ ଗଡ଼ରେ ବିଜେପି କୁ ଚେକମେଟ୍ ଦେବା ଲାଗି କଂଗ୍ରେସ (Congress) ଏବଂ ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ (AAP) ଭଳି ଦଳ ପ୍ରସ୍ତୁତ ହୋଇଉଠିଲେଣି। ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ପାଇଥିବା ସଫଳତାକୁ ନେଇ ଉତ୍ସାହିତ ହୋଇଉଠିଛି ଆପ୍। ଏନେଇ ଦଳ ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ୩ ସିଟ୍ ପାଇଥିବା ଭାରତୀୟ ଟ୍ରାଇବାଲ ପାର୍ଟି (Bharatiya Tribal Party) ସହ ମେଣ୍ଟ କରି ବିଜେପି ଲାଗି ଏକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବାକୁ ପ୍ରୟାସ କରୁଛି। ଅନ୍ୟପଟେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଆସନ ସଂଖ୍ୟାକୁ ୧୦୦ ତଳକୁ ପହଞ୍ଚାଇବାରେ ସଫଳ ହୋଇଥିବା କଂଗ୍ରେସ ଦୀର୍ଘ ୨୭ ବର୍ଷର ବନବାସ ପରେ ରାଜ୍ୟରେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ପ୍ରୟାସ କରୁଛି।         

ଅନ୍ୟପଟେ କଂଗ୍ରେସ-ଆପ୍ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ ଦେବା ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟ ଆରମ୍ଭ କରିଛି ବିଜେପି। ସାଙ୍ଗଠନିକ ସ୍ତରରେ ଏକଜୁଟ ହୋଇ କାର୍ଯ୍ୟ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ଲାଗି ଦଳୀୟ ନେତା କର୍ମୀ, ସମର୍ଥକଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦିଆଯାଇଛି। କିପରି ରାଜ୍ୟର ସମସ୍ତ ୧୮୨  ଆସନରେ ପହଞ୍ଚା ଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ। ଏହା ସହିତ ଜାତିଗତ ସମୀକରଣ ଉପରେ ସତର୍କ ନଜର ରଖିଛି ବିଜେପି। ଏହାକୁ ଦୃଷ୍ଟିରେ ରଖି ପଟିଦାର, ଦଳିତ, ଆଦିବାସୀ ବର୍ଗର ମତଦାତାଙ୍କ ସମର୍ଥନ ହାସଲ କରିବାକୁ ପ୍ରୟାସ କରୁଛି ଦଳ।

Also Read: BJP: Assembly Election 2022 ସଫଳତା ପରେ କ'ଣ ରହିଛି ଆଗାମୀ ଯୋଜନା