BJP President Election: ସରୁଛି ନଡ୍ଡାଙ୍କ କାର୍ଯ୍ୟକାଳ, ଆଗାମୀ ଅଧ୍ୟକ୍ଷ ପାଇଁ ଦଳରେ ଚାଲିଛି ମନ୍ଥନ
Advertisement
Article Detail0/zeeodisha/odisha1326044

BJP President Election: ସରୁଛି ନଡ୍ଡାଙ୍କ କାର୍ଯ୍ୟକାଳ, ଆଗାମୀ ଅଧ୍ୟକ୍ଷ ପାଇଁ ଦଳରେ ଚାଲିଛି ମନ୍ଥନ

BJP Next President: ଭାରତୀୟ ଜନତା ପାର୍ଟି (BJP)ର ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡ୍ଡାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷ ହେବ।

ପ୍ରତୀକାତ୍ମକ

BJP Next President: ଭାରତୀୟ ଜନତା ପାର୍ଟି (BJP)ର ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡ୍ଡାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷ ହେବ। ୨୦ ଜାନୁଆରୀ ୨୦୨୦ରେ ନାଡ୍ଡା ଦଳର ପୂର୍ଣ୍ଣକାଳୀନ ଜାତୀୟ ସଭାପତି (National President) ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରେ ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୃହମନ୍ତ୍ରୀ ହେବା ପରେ ଜୁଲାଇ ୨୦୧୯ରେ ଜେପି ନଡ୍ଡାଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଥିଲା। ଏହାର କିଛି ମାସ ପରେ ତାଙ୍କୁ ତିନି ବର୍ଷୀୟ କାର୍ଯ୍ୟକାଳ ପାଇଁ ସର୍ବସମ୍ମତି କ୍ରମେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇଥିଲା। 

ଏଭଳି ପରିସ୍ଥିତିରେ ବିଜେପିରେ ନୂତନ ଅଧ୍ୟକ୍ଷଙ୍କ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି, କାରଣ ବିଜେପି ସମ୍ବିଧାନ (BJP Constitution) ଅନୁଯାୟୀ, ଦଳର ନୂତନ ଜାତୀୟ ସଭାପତି ଚୟନ କରିବାର ବିସ୍ତୃତ ପ୍ରକ୍ରିୟା ରହିଛି। ବିଜେପିର ସମ୍ବିଧାନ ଅନୁଯାୟୀ, ଅନ୍ତତଃ ପକ୍ଷେ ୫୦ ପ୍ରତିଶତ ରାଜ୍ୟରେ ସଂଗଠନର ନିର୍ବାଚିତ ହେବା ପରେ ହିଁ ଜାତୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ହୋଇଥାଏ।

ଜାତୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାକୁ ବିଜେପି ସମ୍ବିଧାନର ଧାରା ୧୯ରେ ବର୍ଣ୍ଣନା କରାଯାଇଛି। ଧାରା ଅନୁଯାୟୀ, ଦଳର ଜାତୀୟ ସଭାପତି ଚୟନ ପାଇଁ ଏକ ନିର୍ବାଚକ ମଣ୍ଡଳ ଦ୍ବାରା କରିବାର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଦଳର ଜାତୀୟ ପରିଷଦ ଏବଂ ରାଜ୍ୟ ପରିଷଦର ସଦସ୍ୟ ମାନେ ସାମିଲ ଥାନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଣେ ବ୍ୟକ୍ତି ହୋଇପାରିବେ ଯିଏ ଅତି କମରେ ଚାରି ଥର ଦଳର ସକ୍ରିୟ ସଦସ୍ୟ ରହିଥିବେ ଏବଂ ସର୍ବନିମ୍ନ ୧୫ ବର୍ଷ ପାଇଁ ଦଳର ସଦସ୍ୟ ହୋଇଥିବେ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟତା ଥିବା ଜଣେ ନେତାଙ୍କ ନାମ ନିର୍ବାଚକ ମଣ୍ଡଳର ଯେକୌଣସି ୨୦ ସଦସ୍ୟ ପ୍ରସ୍ତାବିତ କରିପାରିବେ। କିନ୍ତୁ ଏହି ମିଳିତ ପ୍ରସ୍ତାବ ମଧ୍ୟ ଅତି କମରେ ୫ଟି ରାଜ୍ୟରୁ ଆସିଥିବା ଦରକାର ଯେଉଁଠାରେ ଜାତୀୟ ପରିଷଦ ନିର୍ବାଚନ ସମାପ୍ତ ହୋଇଯାଇଥିବ।

ଦଳର ସମ୍ବିଧାନର ଧାରା ୨୧ରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହା ଅନୁଯାୟୀ, ଯେକୌଣସି ବ୍ୟକ୍ତି କେବଳ ତିନି-ତିନି ବର୍ଷର ଦୁଇ ଥର ପାଇଁ ବିଜେପିର ଅଧ୍ୟକ୍ଷ ରହିପାରିବେ। ନୀତିନ ଗଡକରୀଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେପିରେ ଅଧ୍ୟକ୍ଷ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରାଯାଇଥିଲା, କିନ୍ତୁ ବିବାଦ ହେତୁ ଗଡକରୀ ୨୦୧୩ରେ ପୁନର୍ବାର ଦଳର ସଭାପତି ହୋଇପାରିଲେ ନାହିଁ।

ବିଜେପି ସମ୍ବିଧାନ ଅନୁଯାୟୀ, ଦଳର ଜାତୀୟ ସଭାପତି ଚୟନ ପ୍ରକ୍ରିୟା ଅନେକ ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ତେଣୁ ଏହି ସମୟରେ ନାଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇ ପାରେ ବୋଲି ବିଶ୍ୱାସ କରାଯାଉଛି। ଏହା ପଛରେ ଏକ ମୁଖ୍ୟ କାରଣ ମଧ୍ୟ ଦର୍ଶାଯାଉଛି।

ବାସ୍ତବରେ, ଚଳିତ ବର୍ଷ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ରାଜ୍ୟ ଗୁଜୁରାଟ ବ୍ୟତୀତ ଜେପି ନାଡ୍ଡାଙ୍କ ଘର ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି। 

ଆସନ୍ତା ବର୍ଷ ଅର୍ଥାତ୍ ୨୦୧୩ ମସିହାରେ ମଧ୍ୟପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ତ୍ରିପୁରା, ମେଘାଳୟ, ମିଜୋରାମ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହିତ ୨୦୨୪ରେ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଅର୍ଥାତ୍ ଦଳକୁ ଆଗାମୀ ଦେଢ ବର୍ଷ ପାଇଁ କ୍ରମାଗତ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ ଓ ବର୍ତ୍ତମାନର ବ୍ୟବସ୍ଥାରେ ସରକାର ଏବଂ ସଂଗଠନ ମଧ୍ୟରେ ଏକ ଦୃଢ ସମନ୍ୱୟ ଓ ତାଳମେଳ ବଜାୟ ରଖିବା ନିହାତି ଆବଶ୍ୟକ। ତେଣୁ ଦଳର ସୂତ୍ର କୁହାଯାଇଛି ଯେ, ଦଳର ବର୍ତ୍ତମାନର ବ୍ୟବସ୍ଥାରେ କୌଣସି ବଡ଼ ପରିବର୍ତ୍ତନ ନକରି ୨୦୨୩ର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ କିମ୍ବା ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନାଡ୍ଡାଙ୍କୁ ଦାୟିତ୍ବରେ ରଖିବାର ଅଧିକ ସମ୍ଭାବନା ରହିଛି।