)
Odisha Politics: ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଆଜି ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ବିଜେଡିର ବାଲେଶ୍ୱର ଲୋକସଭା ଆସନର ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ଏଥିସହ ଅରୁଣ ସ୍ତମ୍ଭ ସ୍ପର୍ଶ କରି ପ୍ରଣାମ କରିଥିଲେ । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଶୁଭ ମନାସି ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ଲେଖାଶ୍ରୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଚଳିତ ଥର ମଧ୍ୟ ବିଜୁ ଜନତା ଦଳ ସରକାର ଗଠନ କରିବ ।
ସୂଚନାଯୋଗ୍ୟ, ଏପ୍ରିଲ ୭ ତାରିଖ ଦିନ ସକାଳ ବିଜେପି ଛାଡି ଅପରାହ୍ଣରେ ବିଜେଡିରେ ସାମିଲ ହୋଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ତାଙ୍କୁ ବିଜେଡିକୁ ସ୍ୱାଗତ କରାଯାଇଥିଲା । ବିଜେଡିରେ ମିଶିବା ପରେ ଲେଖାଶ୍ରୀ ପ୍ରତିକ୍ରିୟା ରଖି କହିଥିଲେ ଯେ, ମୁଁ ଖୋଲା ହୃଦୟରେ ବିଜେଡିରେ ମିଶିଛି। ମତେ ଦଳରେ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ମୁଁ ଏହି ବିକାଶ ଧାରାରେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିବଜି । ଏଥିସହ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଥିଲେ ଲେଖା । ଏଥିସହ ବିଜେପିରେ ନିଜର ଇଚ୍ଛା ପୂରଣ ହେଲା ନାହିଁ ଏବଂ ବିଜେପି ପର୍ଯ୍ୟାପ୍ତ ସୁଯୋଗ ଦେଲା ନାହିଁ ବୋଲି କହି ଲେଖା ବିଜେପି ଉପରେ ବର୍ଷିଥିଲେ ।
ତେବେ ବାଲେଶ୍ବର ଲୋକସଭା ଆସନରେ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ବିଜେପିରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ୨୦୧୯ ମସିହା ନିର୍ବାଚନ ସମୟରେ ପ୍ରତାପ ଷଡଙ୍ଗୀ ବାଲେଶ୍ୱର ଲୋକସଭା ଆସନରେ ବିଜୟଲାଭ କରିଥିଲେ । ତେବେ ଚଳିତ ବର୍ଷ ବିଜେଡିରୁ ପ୍ରଥମଥର ନିର୍ବାଚନ ଲଢୁଥିବା ଲେଖାଶ୍ରୀଙ୍କ ପାଇଁ କଣ ଫଳାଫଳ ଆସିବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।