'କରୌଲି ହିଂସା: କଂଗ୍ରେସ ପାର୍ଷଦଙ୍କ ଘରୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ଭଳି ଅସ୍ତ୍ର ଜବତ'
Advertisement
Article Detail0/zeeodisha/odisha1145766

'କରୌଲି ହିଂସା: କଂଗ୍ରେସ ପାର୍ଷଦଙ୍କ ଘରୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ଭଳି ଅସ୍ତ୍ର ଜବତ'

ଏହାପୂର୍ବରୁ ଏକ ରିପୋର୍ଟରେ ଖୁଲାସା ହୋଇଥିଲା ଯେ ଯେଉଁ ଅଞ୍ଚଳରେ ହିନ୍ଦୁମାନଙ୍କ ଉପରେ ପଥରମାଡ଼ କରାଯାଇଛି, ସେଠାକାର ମସଜିଦ ଏବଂ ଘରର ଛାତ ଉପରେ ପୂର୍ବରୁ ହିଁ ଇଟା ଏବଂ ପଥର ଏକାଠି କରି ରଖାଯାଇଥିଲା। 

 

'କରୌଲି ହିଂସା: କଂଗ୍ରେସ ପାର୍ଷଦଙ୍କ ଘରୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ଭଳି ଅସ୍ତ୍ର ଜବତ'

ରାଜସ୍ଥାନର କରୌଲିରେ ହିନ୍ଦୁଙ୍କ ଶୋଭାଯାତ୍ରା ମୁସଲିମବହୁଳ ଅଞ୍ଚଳ ଦେଇ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ଷଡ଼ଯନ୍ତ୍ରକାରୀ କଂଗ୍ରେସ ପାର୍ଷଦ ମତଲୁବ ଅହମ୍ମଦ ବୋଲି କୁହାଯାଉଛି। ଇତିମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଯେଉଁଭଳି ଅସ୍ତ୍ରରେ ହିନ୍ଦୁଙ୍କ ଶୋଭାଯାତ୍ରାକୁ ଟାର୍ଗେଟ୍ କରାଯାଇଥିଲା, ସେହିଭଳି ଅସ୍ତ୍ର କଂଗ୍ରେସ ନେତା ମତଲୁବ ଅହମ୍ମଦଙ୍କ ଘରୁ ମିଳିଛି। ଏ ସମ୍ପର୍କରେ ପଚରାଉଚରା କରାଯିବାରୁ କରୌଲୀ ଏସପି ଶୈଳେନ୍ଦ୍ର ସିଂହ ଇନ୍ଦୌଲିଆ କହିଛନ୍ତି, 'ମତଲୁବ ଅହମ୍ମଦ FIR ରେ ଅଭିଯୁକ୍ତ ଅଛନ୍ତି। ମାତ୍ର ଅସ୍ତ୍ରଶସ୍ତ୍ର ଆଦି ମାମଲାରେ ଏବେ ଆମର ତଦନ୍ତ ଚାଲିଛି। ତଦନ୍ତ ପରେ ହିଁ କିଛି ନିଷ୍କର୍ଷ ବାହାରିବ।'

ତେବେ ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଏବେ ଚରମ ସୀମାରେ। କରୌଲି ହିଂସାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜ ପକ୍ଷରୁ ତିନି ତିନି ଜଣ ସଦସ୍ୟ ବିଶିଷ୍ଟ ଯାଞ୍ଚ କମିଟି ଗଠନ କରିଛନ୍ତି। ମାତ୍ର ବିଡ଼ମ୍ବନା, ବିଜେପି ଏଥିପାଇଁ ମୁସଲିମ ସମୁଦାୟକୁ ଦାୟୀ କରୁଥିବା ବେଳେ କଂଗ୍ରେସ ହିନ୍ଦୁଙ୍କ ନାରାବାଜିକୁ କରିଛି ଦାୟୀ। ବିଜେପି ନେତାଙ୍କ କହିବା କଥା, ରାଲି ଉପରେ ପଥରମାଡ଼ ଥିଲା ପୂର୍ବ ପ୍ରାୟୋଜିତ ଏବଂ ପଥରମାଡ଼ କରିବାକୁ ବହୁ ପୂର୍ବରୁ ମୁସଲମାନ ଘର ଏବଂ ମସଜିଦର ଛାତ ଉପରେ ଇଟା, ପଛର ଏକାଠି କରି ରଖା ଯାଇଥିଲା। ସେପଟେ କଂଗ୍ରେସ ନେତାମାନେ ବିଜେପି ନେତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା, ରାଲିରେ ଜାଣିଶୁଣି ଉତ୍ତେଜକ ନାରାବାଜି କରା ଯାଇଥିଲା। ସେଥିପାଇଁ ହିଂସାକାଣ୍ଡ ସୃଷ୍ଟି ହେଲା।

ପଥରମାଡ଼ ପୂର୍ବ ନିର୍ଦ୍ଧାରିତ, ଛାତରେ ମହଜୁଦ ଥିଲା ପଥର: ବିଜେପି
ବରିଷ୍ଠ ବିଜେପି ନେତା ରାଜେନ୍ଦ୍ର ରାଠୋରଙ୍କ ନେତୃତ୍ୱରେ ଗଠିତ ଯାଞ୍ଚ କମିଟି ସଦସ୍ୟମାନେ ମଙ୍ଗଳବାର ଘଟଣାସ୍ଥଳର ଗସ୍ତ କରିଥିଲେ। ରାଠୋର କହିଲେ, ହିଂସା ଘଟଣା ଥିଲା ପୂର୍ବ ନିର୍ଦ୍ଧାରିତ। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନିଜ ଛାତ ଉପରେ ପୂର୍ବରୁ ହିଁ ପଥର ଜମା କରି ରଖିଥିଲେ। ଯେମିତି ବାଇକ ରାଲି ଏହି ଅଞ୍ଚଳ ଦେଇ ଅତିକ୍ରମ କଲା, ଠିକ୍ ସେହି ସମୟରେ ଅଚାନକ ପଥର ବୃଷ୍ଟି କରଗଲା। ଏହି ପଛରମାଡ଼ ଏବଂ ଅଗ୍ନିକାଣ୍ଡ ଘଟଣା ପଛରେ ଏକ ସୁସଂଗଠିତ ରାକେଟ୍ କାମ କରୁଛି। ଯିଏ ଅଶାନ୍ତି ଖେଳାଇବାକୁ ଚାହୁଁଥିଲା। ଏହାପଛରେ ସରକାରୀ ସଂରକ୍ଷଣଜନିତ ତୁଷ୍ଟୀକରଣର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି।

ରାଠୋରଙ୍କ ଅଭିଯୋଗକୁ କଂଗ୍ରେସ ବିଧାୟକଙ୍କ ଖଣ୍ଡନ
କଂଗ୍ରେସ ପକ୍ଷରୁ ମଧ୍ୟ ତିନି ସଦସ୍ୟବିଶିଷ୍ଟ ଯାଞ୍ଚ କମିଟି ଗଠନ କରାଯାଇଛି, ଯେଉଁଥିରେ ବିଧାୟକ ରଫିକ ଖାନ, ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଲଳିତ ଯାଦବ ସାମିଲ ଥିଲେ। ରଫିକ ଖାନ କରୋଲି ଗସ୍ତ କରିବା ପରେ ରାଜେନ୍ଦ୍ର ରାଠୋରଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଛାତ ଉପରେ ପଥର ଜମା କରାଯାଇଥିଲା। ରଫିକ ଖାନ କହିଥିଲେ, ହିନ୍ଦୁ ନବବର୍ଷ ଅବସରରେ ବାହାରିଥିବା ରାଲିରେ ଉତ୍ତେଜକ ଗୀତ ଏବଂ ନାରାବାଜି କରା ଯାଉଥିଲା। ଫଳରେ ଉତ୍ତେଜନାରେ କିଛି ଲୋକ ପଥର ବୃଷ୍ଟି କରିଥିଲେ।

ପଥରମାଡ଼ ଥିଲା ପୂର୍ବ ଯୋଜନାପ୍ରସୂତ, ସେହିମାନେ ଲଗାଇଥିଲେ ନିଆଁ: ରାମଲାଲ ଶର୍ମା
ବିଜେପି ମୁଖପାତ୍ର ଏବଂ ବିଧାୟକ ରାମଲାଲ ଶର୍ମା ମଧ୍ୟ ପୂରା ଘଟଣାକୁ ନେଇ ବୟାନ ଜାରି କରିଛନ୍ତି। ତାଙ୍କର କହିବା କଥା, ପଥରମାଡ଼ ଏବଂ ଅଗ୍ନିକାଣ୍ଡ ଘଟଣା ହେଉଛି ପୂର୍ବ ଯୋଜନାପ୍ରସୂତ ଷଡ଼ଯନ୍ତ୍ରର ଅଂଶବିଶେଷ। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ପଥରବୃଷ୍ଟି କରିବା ସାଙ୍ଗକୁ ଅଗ୍ନିକାଣ୍ଡ ଘଟାଇଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତାଙ୍କର ଉଦ୍ଦେଶ୍ୟ ଥିଲା ଦଙ୍ଗା ସୃଷ୍ଟି କରିବା। ପୋଲିସ ବର୍ତ୍ତମାନ ନିର୍ଦ୍ଦୋଷ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି। ଅଥଚ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡ଼ିକରେ ସ୍ପଷ୍ଟ ଦେଖା ଯାଉଛି, ଏକାଧିକ ଛାତ ଉପରେ ପଥର ଠୁଳ କରି ରଖାଯାଇଛି। ଏହାପରେ ଯୋଜନାବଦ୍ଧ ଭାବରେ ଶୋଭାଯାତ୍ରା ଉପରେ ପଥର ବୃଷ୍ଟି କରାଯାଇଥିଲା।

ତେବେ ଏହି ହିଂସା ପୂର୍ବରୁ ହିଁ ଘରମାନଙ୍କରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ରଖା ଯାଇଥିଲା। ଏସବୁ ଭିତରେ ପଥର, ଲାଠି ଏବଂ ବଡ଼ବଡ଼ ଦଣ୍ଡା ସାମିଲ ଥିଲା। ଏକଥା ବି କୁହାଯାଉଛି, ହିଂସାକାଣ୍ଡ ସମୟରେ ପୋଲିସକର୍ମୀ ଆକ୍ରମଣକାରୀମାନଙ୍କୁ ରୋକିବାକୁ ଆଦୌ ଉଦ୍ୟମ କରି ନ ଥିଲେ। ଏହି ସମୟରେ ଉତ୍ତୋଳନ କରାଯାଇଥିବା କିଛି ଭିଡିଓ, ଯାହା ଭାଇରାଲ ହୋଇଛି, ସେଥିରୁ ତାହା ହିଁ ଜଣା ପଡୁଥିବା କୁହାଯାଇଛି। ଏ ସମ୍ପର୍କରେ କରୌଲି ଏସପି କହିଛନ୍ତି, 'ଆମେ ଫୁଟେଜକୁ ଯାଞ୍ଚ କରିବୁ ଏବଂ ଯଦି କେହି ପୋଲିସ କର୍ମୀ କର୍ତ୍ତବ୍ୟରେ ଅବହେଳା କରିଥିବା ଜଣାପଡ଼େ, ତେବେ ତା' ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।'

ଏହାପୂର୍ବରୁ ଏକ ରିପୋର୍ଟରେ ଖୁଲାସା ହୋଇଥିଲା ଯେ, ଯେଉଁ ଅଞ୍ଚଳରେ ହିନ୍ଦୁମାନଙ୍କ ଉପରେ ପଥରମାଡ଼ କରାଯାଇଛି, ସେଠାକାର ମସଜିଦ ଏବଂ ଘରର ଛାତ ଉପରେ ପୂର୍ବରୁ ହିଁ ଓଜନିଆ ଇଟା ପଥର ଏକାଠି ଠୁଳ କରି ରଖା ଯାଇଥିଲା। ହିଂସା ପରେ କର୍ଫ୍ୟୁ ଲଗାଇ ଦିଆ ଯାଇଥିଲା। ୭ ଏପ୍ରିଲ ୨୦୨୨ ମାନେ ଆଜି ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା।

କରୌଲିରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ବାହାରି ଥିବା ଶୋଭାଯାତ୍ରା ଉପରେ ଗତ ୨ ଏପ୍ରିଲ ୨୦୨୨ ତାରିଖ (ଶନିବାର) ଘଟିଥିଲା ହିଂସା। ଏହାପରେ ଦୋକାନଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମଗ୍ର ଘଟଣାକ୍ରମରେ ପୁଷ୍ପେନ୍ଦ୍ର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀରରେ ଏକାଧିକ ବାର ଛୁରାମାଡ଼ କରାଯାଇଥିଲା। ଦଙ୍ଗାକାରୀଙ୍କୁ କାବୁ କରିବାକୁ ଯାଇ ୪ ଜଣ ପୋଲିସ କର୍ମୀ ଆହତ ମଧ୍ୟ ହୋଇଥିଲେ। ମୋଟ ୪୩ ଜଣ ଲୋକ ଆହତ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି ଏବଂ ପିଏଫଆଇର ଏକ ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ସେହି ହିଂସା ସୁପରିକଳ୍ପିତ ହୋଇଥିବା ସ୍ପଷ୍ଟ ଜଣାପଡୁଛି। ପରେ ଏ ତମାମ ହିଂସା ଘଟଣାରେ କଂଗ୍ରେସ ନେତା ମତଲୁବ ଅହମ୍ମଦଙ୍କର ହିଁ ପ୍ରଚ୍ଛନ୍ନ ହାତଥିବା ଜଣାପଡ଼ିଛି।

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ମଧ୍ୟ ଏହି ହିଂସାକୁ ସୁପରିକଳ୍ପିତ ଦର୍ଶାଇଥିଲେ। ସେ କହିଥିଲେ, 'କରୌଲି ହିଂସା ସମୟରେ ଯେଉଁଭଳି ପଥରମାଡ଼ କରାଗଲା, ସେଥିରେ ସାବ୍ୟସ୍ତ ହୋଇଛି ଯେ ଏହାକୁ ସୁଚିନ୍ତିତ ଉପାୟରେ ରୂପ ଦିଆଯାଇଛି।' କାରଣ କଂଗ୍ରେସ ନେତା ମତଲୁବ ଅହମ୍ମଦ ଚାହିଁଥିଲେ ଏହି ହିଂସାକାଣ୍ଡ ଘଟି ହିଁ ନ ଥା'ନ୍ତା।