Rajya Sabha Election ୨୦୨୨: କଂଗ୍ରେସ ପ୍ରାର୍ଥୀଙ୍କୁ ଚେକମେଟ ଦେବା ଲାଗି ପ୍ରସ୍ତୁତ ବିଜେପି
Advertisement

Rajya Sabha Election ୨୦୨୨: କଂଗ୍ରେସ ପ୍ରାର୍ଥୀଙ୍କୁ ଚେକମେଟ ଦେବା ଲାଗି ପ୍ରସ୍ତୁତ ବିଜେପି

Rajya Sabha Election 2022: ରାଜ୍ୟସଭାରେ ୫୭ ଆସନରେ ହେଉଥିବା ନିର୍ବାଚନରେ ବିଜେପି   ଅଧିକାଂଶ ଆସନକୁ ଦଖଲ କରିବାକୁ ପ୍ରୟାସ କରୁଛି ।

Rajya Sabha Election ୨୦୨୨: କଂଗ୍ରେସ ପ୍ରାର୍ଥୀଙ୍କୁ ଚେକମେଟ ଦେବା ଲାଗି ପ୍ରସ୍ତୁତ ବିଜେପି

Rajya Sabha Election 2022: ରାଜ୍ୟସଭାରେ ଖାଲି ପଡୁଥିବା ୫୭ ଆସନ ଲାଗି ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ଦେଶର ୧୫ ରାଜ୍ୟରେ ଅନୁଷ୍ଠିତ ହେବ ଏହି ନିର୍ବାଚନ। ଯେହେତୁ ଏହି ନିର୍ବାଚନରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ଦଳୀୟ ବିଧାୟକ ମତଦାନ କରିଥାନ୍ତି, ଏହାକୁ ନଜରରେ ରଖି ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ବିଭିନ୍ନ ଦଳ। ଉତ୍ତର ପ୍ରଦେଶର ୧୧, ମହାରାଷ୍ଟ୍ରର ୬, ତାମିଲନାଡୁର ୬, ବିହାରର ୫, ଆନ୍ଧ୍ର ପ୍ରଦେଶର ୪, କର୍ଣ୍ଣାଟକର ୪, ରାଜସ୍ଥାନର ୪, ଓଡିଶାର ୩, ମଧ୍ୟ ପ୍ରଦେଶର ୩, ଝାଡଖଣ୍ଡର ୨, ଛତିଶଗଡର ୨, ତେଲେଙ୍ଗାନାର ୨, ହରିୟାଣାର ୨, ପଞ୍ଜାବର ୨, ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।

ଏହି ୫୭ ସିଟ୍ ମଧ୍ୟରୁ ଅଧିକାଂଶ ଆସନକୁ ଦଖଲ କରିବାକୁ ପ୍ରୟାସ କରୁଛି ବିଜେପି। ଏନେଇ ଦଳ ବିରୋଧି କଂଗ୍ରେସରେ ଚାଲିଥିବା ଦଳୀୟ ଅନ୍ତକନ୍ଦଳରୁ ଫାଇଦା ଉଠାଇବା ପାଇଁ ଚାହୁଁଛି। ହରିୟାଣା ଏବଂ ରାଜସ୍ଥାନରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀ ଅବତୀର୍ଣ୍ଣ ହେବା ପରେ କଂଗ୍ରେସ ଲାଗି ସମସ୍ୟା ବଢିଯାଇଛି। ରାଜ୍ୟସଭା ନିର୍ବାଚନକୁ ନଜରରେ ରଖି ଦଳୀୟ ବିଧାୟକଙ୍କୁ ଉଦୟପୁରସ୍ଥିତ ଏକ ରିସୋର୍ଟ ମଧ୍ୟରେ ରଖିଛି ରାଜସ୍ଥାନ କଂଗ୍ରେସ। କେବଳ ରାଜସ୍ଥାନ ନୁହେଁ ହରିୟାଣାର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଛତିଶଗଡ଼ ସ୍ଥାନାନ୍ତର କରାଯାଇଛି। ଯେଉଁଠି କଂଗ୍ରେସ ସରକାର ଶାସନ କରୁଛି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ବାଜିମାତ କରିବା ଲାଗି ବିଜେପି ସମସ୍ତ ପ୍ରକାର କଳବଳ କୌଶଳ ଲଗାଇ ଦେଇଛି। ଦଳ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ବାଚନ ଦାୟିତ୍ୱ ପ୍ରଦାନ କରିଛି। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜସ୍ଥାନ, ଗଜେନ୍ଦ୍ର ସିଂହ ଶେଖୱାତ ହରିୟାଣା, ଜି.କିଶାନ ରେଡ୍ଡୀ କର୍ଣ୍ଣାଟକ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ମହାରାଷ୍ଟ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ନିର୍ବାଚନରେ ବିଜେପି, କଂଗ୍ରେସ ତଥା କଂଗ୍ରେସ ନେତୃତ୍ୱାଧିନ ୟୁପିଏ ମେଣ୍ଟରେ ସାମିଲ ନ ଥିବା ଅନ୍ୟ ଦଳର ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ଯୋଜନା କରିଛି।         

ରାଜ୍ୟସଭା ନିର୍ବାଚନରେ ରାଜ୍ୟ ବାହାରର ନେତାଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ନେଇ ବିଭିନ୍ନ ରାଜ୍ୟ କଂଗ୍ରେସ କମିଟିରେ ଅସନ୍ତୋଷ ଦେଖାଦେଇଛି। ଯାହାର ଫାଇଦା ଉଠାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ବିଜେପି। ଏହି କ୍ରମରେ ଦଳ ହରିୟାଣା ରାଜନୀତିରେ ପ୍ରଭାବଶାଳୀ ନେତା ବିନୋଦ ଶର୍ମାଙ୍କ ପୁତ୍ର ତଥା ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି କୁଲଦୀପ ଶର୍ମାଙ୍କ ଜ୍ୱାଇଁ କାର୍ତ୍ତିକେୟ ଶର୍ମାଙ୍କ ଲାଗି ସମର୍ଥନ ଜୁଟାଇବାରେ ଲାଗିପଡ଼ିଛି ବିଜେପି। ରାଜ୍ୟସଭା ନିର୍ବାଚନ ଲଢୁଥିବା କାର୍ତ୍ତିକେୟ ଶର୍ମାଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନିକଟତମ ସହଯୋଗୀ ବୋଲି କୁହାଯାଏ। ଅନ୍ୟପଟେ ବିନୋଦ ଶର୍ମାଙ୍କ ଏବଂ କୁଲଦୀପ ଶର୍ମାଙ୍କୁ ହରିୟାଣା ବିରୋଧି ଦଳ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦାଙ୍କ ନିକଟତମ ସହଯୋଗୀ ବୋଲି ବିବେଚନା କରାଯାଏ। ରାଜ୍ୟସଭା ନିର୍ବାଚନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନ ହରିୟାଣାରୁ ପ୍ରତିଦ୍ୱଦ୍ୱିତା କରୁଛନ୍ତି। ଯଦି ସେ ନିର୍ବାଚନରେ ହାରନ୍ତି ତାହେଲେ କଂଗ୍ରେସରେ ହୁଦାଙ୍କ ସ୍ଥିତି ଦୁର୍ବଳ ହୋଇପାରେ।

ମୋଟ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ୪୦ ବିଜେପି, ୩୧ କଂଗ୍ରେସ, ୧୦ ଜେଜେପି, ୧ ଆଇଏନଏଲଡି, ୧ ହରିୟାଣା ଲୋକ ହିତ ପାର୍ଟି ଏବଂ ୭ ସ୍ୱାଧିନ ବିଧାୟକ ଅଛନ୍ତି। ଅଜୟ ମାକେନଙ୍କ ବିଜୟ ନିଶ୍ଚିତ କରିବାକୁ ହେଲେ କଂଗ୍ରେସକୁ ଦଳର ସମସ୍ତ ୩୧ ଜଣ ବିଧାୟକଙ୍କ ଭୋଟ ପାଇବାକୁ ହେବ। ହେଲେ ବର୍ତ୍ତମାନ ଦଳୀୟ ବିଧାୟକ କୁଲଦୀପ ବିଷ୍ଣୋଇ ଦଳ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି। ଯେତେବେଳେ ରାଜ୍ୟସଭା ନିର୍ବାଚନ ଲାଗି ବିଧାୟକ ଦଳ ବୈଠକ ଡକାଯାଇଥିଲା ସେତେବେଳେ ଦଳୀୟ ବୈଠକରେ ଯୋଗ ଦେଇନଥିଲେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସ୍ୱାଧୀନ ବିଧାୟକଙ୍କ ଭୋଟ୍ ପାଇବାକୁ ଆଶା ରଖିଛି। କାର୍ତ୍ତିକେୟ ଶର୍ମା କଂଗ୍ରେସରୁ ଅତି କମରେ ଦୁଇଟି ଭୋଟ୍ ପାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଏପରି ହୁଏ ତାହେଲେ ବିଜେପିର ଦ୍ୱିତୀୟ ପସନ୍ଦ ଭୋଟ୍ ସାହାଯ୍ୟରେ ସେ ରାଜ୍ୟସଭା ନିର୍ବାଚିତ ହୋଇପାରନ୍ତି।

ମୋଟ ମୋଟ ୨୦୦ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ୪ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ପାଖରେ ୧୦୮ ଏବଂ ବିରୋଧି ବିଜେପି ପାଖରେ ୭୧ ବିଧାୟକ ଅଛନ୍ତି। ଏଠାରୁ ରାଜ୍ୟସଭା ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ସଂଖ୍ୟାବଳ ଆଧାରରେ ରାଜ୍ୟସଭାର ମୋଟ ୪ ଆସନ ମଧ୍ୟରୁ କଂଗ୍ରେସ ୨ ଏବଂ ବିଜେପି ଗୋଟିଏ ଆସନ ଦଖଲ କରିପାରେ। ମାତ୍ର ଚତୁର୍ଥ ଆସନ ଲାଗି ଜୋରଦାର ମୁକାବିଲା ହୋଇପାରେ।   କଂଗ୍ରେସ ୧୩ ସ୍ୱାଧିନ, ୩ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟ, ୧ ସିପିଏମ ଏବଂ ରାଷ୍ଟ୍ରୀୟ ଲୋକ ଦଳର ବିଧାୟକଙ୍କ ସମର୍ଥନ ହାତେଇବାକୁ ଯୋଜନା କରିଛି। ଯାହା ଫଳରେ କଂଗ୍ରେସ ରାଜ୍ୟସଭା ନିର୍ବାଚନ ଲଢୁଥିବା ଦଳର ତୃତୀୟ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କ ବିଜୟ ସୁନିଶ୍ଚିତ କରିପାରିବ। ଅନ୍ୟପଟେ ଭାରତୀୟ ଟ୍ରାଇବାଲ ପାର୍ଟି ଦଳର ୨ ବିଧାୟକ ରାଜ୍ୟସଭା ନିର୍ବାଚନରେ ମତଦାନ ନ କରିବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଘନଶ୍ୟାମ ତିୱାରୀ ନିର୍ବାଚନ ଲଢୁଛନ୍ତି। 

ରାଜ୍ୟସଭା ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ କହିଛନ୍ତି କଂଗ୍ରେସ ୪ ସିଟ୍ ମଧ୍ୟରୁ ୩ ଆସନ ଦଖଲ କରିବ। ବହୁମତ ନ ଥାଇ ବିଜେପି ଜଣେ ସ୍ୱାଧିନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି। ଏହି ନିର୍ବାଚନରେ ରାଜନୈତିକ ଘୋଡାବେପାର ହୋଇପାରେ। ମାତ୍ର ଏହାର ଫାଇଦା ବିଜେପି ପାଇବ ନାହିଁ।       

ବିଜେପି ମହାରାଷ୍ଟ୍ରରେ ଧନଞ୍ଜୟ ମହାଦିକ ଏବଂ କର୍ଣ୍ଣାଟକରେ ଲହର ସିଂଙ୍କୁ ଅତିରିକ୍ତ ପ୍ରାର୍ଥୀ ଭାବେ ସ୍ଥାନ ଦେଇଛି। ଏହାର ପ୍ରୟାସ ହେଉଛି କଂଗ୍ରେସ ମଧ୍ୟରେ ଥିବା ଅସନ୍ତୋଷର ଫାଇଦା ଉଠାଇବା ଏବଂ ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା। କର୍ଣ୍ଣାଟକରେ ରାଜ୍ୟସଭା ନିର୍ବାଚନ ପାଇଁ ସଂଗ୍ରାମ ରୋଚକପୂର୍ଣ୍ଣ ହୋଇଉଠିଛି।  କାରଣ ଉଭୟ କଂଗ୍ରେସ-ବିଜେପି ଚତୁର୍ଥ ଆସନ ଜିତିବା ପାଇଁ ଜେଡିଏସ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟସଭା ନିର୍ବାଚନ ଲଢୁଥିବା ନିର୍ମଳା ସୀତାରମଣ ଏବଂ ଅଭିନେତା-ରାଜନେତା ଜଗେଶଙ୍କ ବିଜୟ ସ୍ଥିର କରିବାକୁ ବିଜେପି ପାଖରେ ପର୍ଯ୍ୟାପ୍ତ ପରିମାଣର ଭୋଟ୍ ରହିଛି। ଅନ୍ୟପଟେ କଂଗ୍ରେସ ଏହାର ବିଧାୟକ ସଂଖ୍ୟା ବଳରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଜୟରାମ ରମେଶଙ୍କ ବିଜୟ ସୁନିଶ୍ଚିତ କରିପାରିବ। ହେଲେ ଦଳ ମଂସୁର ଅଲୀ ଖାନଙ୍କୁ ଏହାର ଦ୍ୱିତୀୟ ପ୍ରାର୍ଥୀ ଭାବେ ଛିଡା଼ କରିଛି। ବିଜେପି ପାଖରେ ୨୯ ବଳକା ଭୋଟ ରହିଛି ଦ୍ୱିତୀୟ ଆସନ ଜିତିବା ପାଇଁ ଦଳକୁ ଆହୁରି ୧୬ ଭୋଟ୍ ଦରକାର। ସେଥିପାଇଁ ସେ ଲହର ସିଂ ସିରୋୟାଙ୍କୁ ପ୍ରାର୍ଥୀ କରିଛି। 

ମହାରାଷ୍ଟ୍ରରେ ବିଜେପି ତିନି ଜଣ ପ୍ରାର୍ଥୀ କରିଥିବାବେଳେ ଶିବସେନା, ଏନସିପି, କଂଗ୍ରେସ ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ହୋଇଛନ୍ତି। ବିରୋଧି  ବିଜେପି ଏବଂ ଶାସକ ମେଣ୍ଟ  ଅତିରିକ୍ତ ଭୋଟ୍ ଉପରେ ନଜର ରଖିଛନ୍ତି ଯାହା ଦ୍ୱାରା ସେମାନେ ପରସ୍ପରର ପ୍ରାର୍ଥୀଙ୍କୁ ପରାସ୍ତ କରିପାରିବେ। ଛତିଶଗଡରେ ୨ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା। ​​ପୂର୍ବତନ ବିଧାୟକ ତଥା ଜନତା କଂଗ୍ରେସ ଛତିଶଗଡ଼ ପ୍ରାର୍ଥୀ ଡ.ହରିଦାସ ଭରଦ୍ୱାଜଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ ଦୁଇ କଂଗ୍ରେସ ପ୍ରାର୍ଥୀ ରାଜୀବ ଶୁକ୍ଲା ଏବଂ ରଞ୍ଜିତ ରଞ୍ଜନଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି। 

Also Read: Rajya Sabha Election 2022: ବିଜେପି ରଣନୀତିରେ ଫସିଗଲା କଂଗ୍ରେସ!

Also Read: Rajya Sabha Election 2022: କାହାର ସରୁଛି କାର୍ଯ୍ୟକାଳ? କିଏ କେଉଁଠୁ ଲଢୁଛନ୍ତି ନିର୍ବାଚନ?