କଳାହାଣ୍ଡିରୁ ନବୀନ ଫୁଙ୍କିଲେ ପଶ୍ଚିମ-ପଞ୍ଚଜନ୍ୟ; ଫୋକସରେ ପୌର ଓ ପଞ୍ଚାୟତ ନିର୍ବାଚନ
Advertisement

କଳାହାଣ୍ଡିରୁ ନବୀନ ଫୁଙ୍କିଲେ ପଶ୍ଚିମ-ପଞ୍ଚଜନ୍ୟ; ଫୋକସରେ ପୌର ଓ ପଞ୍ଚାୟତ ନିର୍ବାଚନ

 ୨୦୧୨ ମସିହାରେ ଦଳ ଯେଉଁ ସଫଳତା ହାସଲ କରିଥିଲା, ୨୦୧୭ରେ ତାହା ହୋଇ ନ ଥିଲା। ତେଣୁ, ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ଯଦି ପଶ୍ଚିମ ଓଡ଼ିଶା ଦଖଲ କରିନେବ, ତେବେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ପଶ୍ଚିମ ଓଡ଼ିଶାରେ ନିହାତି ଭଲ ଫଳ ପ୍ରଦର୍ଶନ କରିବ।     

 

କଳାହାଣ୍ଡିରୁ ନବୀନ ଫୁଙ୍କିଲେ ପଶ୍ଚିମ-ପଞ୍ଚଜନ୍ୟ; ଫୋକସରେ ପୌର ଓ ପଞ୍ଚାୟତ ନିର୍ବାଚନ

କୋରୋନା ଆଳରେ ଦୀର୍ଘଦିନ ଧରି ଗମ୍ଭୀରା ଭିତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ କଳାହାଣ୍ଡି ଗସ୍ତ କରି ବିରୋଧୀଙ୍କୁ ଚକିତ କରି ଦେଇଛନ୍ତି। କଳାହାଣ୍ଡି ବିକାଶର ପେଡ଼ି ଖୋଲିବା ଏବଂ ଦଳୀୟ ବିଧାୟକ, ମନ୍ତ୍ରୀଙ୍କୁ ସେଠାକୁ ପଠାଇବା, ନବୀନଙ୍କ ବିଚକ୍ଷଣ ରାଜନୀତିର ଆଉ ଏକ ରାଜନୈତିକ କାର୍ଡ। ୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେଡିର ଅପେକ୍ଷାକୃତ ଖରାପ ପ୍ରଦର୍ଶନ ଏବେ ଦଳକୁ ଆତ୍ମସମୀକ୍ଷା କରିବାର ସୁଯୋଗ ଦେଇଛି। ସେହିପରି ବିଜେପିର ଆଟାକିଂ ପଲିସି ଆଗରେ ବାଜି ମାରିବା, ଦିନକୁ ଦିନ କଷ୍ଟ ହେବାରେ ଲାଗିଛି। ୨୦୧୯ରେ ରାଜ୍ୟରେ ବିଜେପିର ପ୍ରଦର୍ଶନ, ବିଶେଷ କରି ସମ୍ୱଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରରେ ଆଶାତୀତ ଫଳ ବିଜେଡିର ନିଦ ହଜାଇ ଦେଇଥିଲା। ତେଣୁ, ଏହି କ୍ଷେତ୍ର ଗୁଡ଼ିକରେ ଶାସକ ଦଳ ନିଜ ପତିଆରା ଫେରାଇ ଆଣିବାକୁ ନିହାତି ଚେଷ୍ଟା କରିବ। ସେଥିପାଇଁ କଳାହାଣ୍ଡି ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଏହି ପାଞ୍ଚ ଜିଲ୍ଲା ପାଇଁ ବଜାଇଛନ୍ତି ନିର୍ବାଚନୀ ପଞ୍ଚଜନ୍ୟ।

fallback

ପଶ୍ଚିମ ଓଡ଼ିଶାରେ ଭବାନୀପାଟଣା, ଲୋଇସିଂହା, ରେଙ୍ଗାଲି, ଦେଓଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ତଲସରା ଏବଂ ବୀରମିତ୍ରପୁରରେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଅଛି। ସେହିପରି ଖରିଆର, କଣ୍ଟାବାଞ୍ଜି, ବଲାଙ୍ଗିର ଏବଂ ରାଜଗାଙ୍ଗପୁରରେ କଂଗ୍ରେସ କ୍ଷମତାରେ ରହିଛି। ବଣାଇରେ କେବଳ ସିପିଏମ୍ ସତ୍ତାରେ ଅଛି। ବାକି ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଦବଦବା ରହିଛି। ତନ୍ମଧ୍ୟରୁ କେତେକ କ୍ଷେତ୍ରରେ ବିରୋଧୀଙ୍କ ସହ ଶାସକ ଦଳର କାଣ୍ଟେ କା ଟକ୍କର ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ୮୪୬ ଜିଲ୍ଲା ପରିଷଦ ଆସନରୁ ବିଜେଡି ୪୭୩ ଆସନରେ ବିଜୟୀ ହୋଇଥିଲା ଏବଂ ବିଜେପି ୨୯୭ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ସେହିପରି କଂଗ୍ରେସ ମାତ୍ର ୬୦ଟି ଆସନ ପାଇଥିଲା। ଏହା ପୂର୍ବ ନିର୍ବାଚନରେ ୨୦୧୨ ମସିହାରେ ବିଜେଡି ପାଇଥିଲା ୬୫୪ ଆସନ। ସେହିପରି କଂଗ୍ରେସ ୧୨୮ ଏବଂ ବିଜେପି ୩୬ ଆସନ ପାଇଥିଲା। ସମୁଦାୟ ୮୫୪ ଆସନରେ ନିର୍ବାଚନ ହୋଇଥିଲା। ୨୦୧୨ ଅପେକ୍ଷା ୨୦୧୭ ମସିହାରେ ବିଜେପିର ଆସନ ବୃଦ୍ଧି ପାଇଥିଲା। ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଓଡ଼ିଶାକୁ ମୁଖ୍ୟ ଫୋକସରେ ରଖିଥିଲେ। ବାରମ୍ୱାର କେନ୍ଦ୍ରୀୟ ନେତାଙ୍କ ଗସ୍ତ ଏବଂ ବିଶେଷ କରି ମୋଦି ଓ ଶାହଙ୍କ ମାରାଥନ ଗସ୍ତ ଦଳକୁ ତୃଣମୂଳସ୍ତରରେ ମଜଭୁତ କରିବାରେ ସଫଳ ହୋଇଥିଲା। ଏହାପରେ ୨୦୧୯ରେ ରାଜ୍ୟରେ ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଥିଲା ବିଜେପି। ସେହିଦିନ ଠାରୁ ପ୍ରତି ପ୍ରସଙ୍ଗରେ କଂଗ୍ରେସ ଅପେକ୍ଷା ବିଜେପି ଅଧିକ ଆକ୍ରମଣାତ୍ମକ ହୋଇ ଶାସକ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

fallback

ନିକଟରେ ପରୀ ପ୍ରସଙ୍ଗରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଏବଂ ଏବେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟର ଢିଲା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ଶାସକ ଦଳକୁ ହରଡ଼ଘଣାରେ ପକାଇଛି। ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଥାଇ ଭର୍ଚୁଆଲ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ଏହାକୁ ମଧ୍ୟ ପ୍ରସଙ୍ଗ କରି ନିକଟରେ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ଘରୁ ବାହାରୁ ନାହାନ୍ତି ବୋଲି କଟାକ୍ଷ କରିଥିଲା। ଏହାକୁ ଚେକ୍ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଅଚାନକ କଳାହାଣ୍ଡି ଗସ୍ତର ବାଣ ବିରୋଧୀଙ୍କ ଉଦ୍ଦେଶ୍ୟରେ ଛାଡ଼ିଛନ୍ତି। ଖୁବଶୀଘ୍ର ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହେବ। ଏକ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ମଧ୍ୟ ଅଛି। ନୂଆବର୍ଷ ଆରମ୍ଭରେ ବିଜେଡି ନିଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରିଥିଲା। ରାଜ୍ୟ ପରିଷଦ ବୈଠକରେ ଦଳ ନିଜର ଆଗାମୀ ରଣନୀତି ନେଇ ସଂକଳ୍ପ ମଧ୍ୟ ନେଇଛି। ତେଣୁ, ତୃଣମୂଳ ସ୍ତରରେ ନିଜକୁ ଆହୁରି ଶକ୍ତିଶାଳୀ କରିବାକୁ ଦଳ ଆଗାମୀ ଦିନରେ ନୂଆ ରଣନୀତି ଆପଣାଇବ। ସେହିପରି ପ୍ରତି ଜିଲ୍ଲାରେ ଏବେ ବିଜୁ ଯୁବ ଜନତା ଦଳର ସମ୍ମିଳନୀ ଅନୁଷ୍ଠିତ ହେଉଛି। ପଶ୍ଚିମ ଓଡ଼ିଶାର ସବୁ କ୍ଷେତ୍ରରେ ଦଳ ଏହି ସମ୍ମିଳନୀ କରିବାର ଯୋଜନା ରଖିଛି। ତେଣୁ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳର ଏହା ନୂଆ ଷ୍ଟ୍ରାଟେଜି କହିଲେ ଅତ୍ୟୁକ୍ତି ହେବ ନାହିଁ। 

fallback

ସେହିପରି ନିକଟରେ ଦଳ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ରାଜ୍ୟ ସଭାପତି କରି ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖିବା ସ୍ପଷ୍ଟ କରିଛି। ପୂର୍ବରୁ ଦଳ ତାଙ୍କୁ ମନ୍ତ୍ରୀପଦ ମଧ୍ୟ ଦେଇଛି। ତେଣୁ, ଏବେ ତାଙ୍କୁ ମହିଳା ଦଳର ମଙ୍ଗ ଧରାଇ ଏକ ପ୍ରକାର ପଶ୍ଚିମି କାର୍ଡ ଶାସକ ଦଳ ଖେଳିଛି। ସେହିପରି ନବୀନଙ୍କ ଟିମରେ ପଶ୍ଚିମ ଓଡ଼ିଶାରୁ ଦିବ୍ୟଶଙ୍କର ମିଶ୍ର, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ଟୁକୁନି ସାହୁ ଏବଂ ନବ ଦାସ ପ୍ରମୁଖଙ୍କୁ ସ୍ଥାନ ମିଳିଛି। ଆଗକୁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେଣୁ, ନବୀନଙ୍କ ନୂଆ ଟିମରେ ପଶ୍ଚିମ ଓଡ଼ିଶାର ଆଉ କେତେକ ନେତାଙ୍କୁ ସ୍ଥାନ ମିଳିବାର ଢେର ସମ୍ଭାବନା ରହିଛି। ତେଣୁ, ମୋଟାମୋଟି ଭାବେ କହିବାକୁ ଗଲେ ଶାସକ ଦଳର ଏବେ ମୁଖ୍ୟ ଫୋକସ୍ ହେଉଛି ପୌର ଓ ପଞ୍ଚାୟତ ନିର୍ବାଚନ। ୨୦୧୨ ମସିହାରେ ଦଳ ଯେଉଁ ସଫଳତା ହାସଲ କରିଥିଲା, ୨୦୧୭ରେ ତାହା ହୋଇ ନ ଥିଲା। ତେଣୁ, ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ଯଦି ପଶ୍ଚିମ ଓଡ଼ିଶା ଦଖଲ କରିନେବ, ତେବେ ୨୦୨୪ ସାଧାରଣ ନିର୍ବାଚନରେ ଦଳ ପଶ୍ଚିମ ଓଡ଼ିଶାରେ ନିହାତି ଭଲ ଫଳ ପ୍ରଦର୍ଶନ କରିବ, ଏଥିରେ ସନ୍ଦେହ ନାହିଁ।