ନିଜ ଗୌରବରେ କାଳି ବୋଳୁଛି ବିଜେଡି !
Advertisement
Article Detail0/zeeodisha/odisha2401569

ନିଜ ଗୌରବରେ କାଳି ବୋଳୁଛି ବିଜେଡି !

ବିଧାନସଭାରେ ମଧ୍ୟ ବିଜେଡି ଏବେ କଂଗ୍ରେସର ତାରାପ୍ରସାଦ ବାହିନୀପତିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଲାଗିଛି। କାରଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍‍ ଭାଙ୍ଗିବା କାମରେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତିଙ୍କର ଏକଚାଟିଆ ଅଧିକାର ଥିଲା। କିନ୍ତୁ ବିଜେଡି ଶାସନ କ୍ଷମତାରୁ ହଟି ବିରୋଧୀ ଦଳ ଆସନରେ ବସିବା ପରଠାରୁ ସେ ପୂର୍ବରୁ ଯେଉଁ ନୈତିକତାର ଦ୍ୱାହି ଦେଉଥିଲା ତାହା ସମ୍ପୂର୍ଣ୍ଣ ଭୁଲି ଯାଇଛି।

ନିଜ ଗୌରବରେ କାଳି ବୋଳୁଛି ବିଜେଡି !

ଭୁବନେଶ୍ୱର: ବିଜୁ ଜନତା ଦଳ ସଂସଦୀୟ ଇତିହାସରେ କେବେ ବି ଗୃହର ମଧ୍ୟ ଭାଗକୁ ଆସି ବିରୋଧ ପ୍ରକାଶ କରିନଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ସଂସଦରେ ବିଜେଡିକୁ ପ୍ରଶଂସା କରିଥିଲେ। କିନ୍ତୁ ଗୁଡ଼କୁ କିପରି ଗୋବର କରାଯାଏ ତାହା ବିଜେଡି ନେତାମାନେ ବୋଧହୁଏ କଂଗ୍ରେସ ନେତାମାନଙ୍କଠାରୁ ଶିଖିସାରିଲେଣି। ଫଳରେ ବିଜେଡି ନେତାମାନେ ପୂର୍ବର ଗୌରବକୁ ଭୁଲି ରାଜ୍ୟସଭା ଓ ବିଧାନସଭା ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍‍ ଭାଙ୍ଗିବା ଭଳି ପରମ୍ପରା ଆରମ୍ଭ କଲେଣି।

ଜୁନ୍‍ ୨୮ ତାରିଖରେ ନିଟ୍‍ ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ ବିଜେଡି ରାଜ୍ୟସଭା ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଯାହା ଫଳରେ ବିଜେଡିର ୨୬ ବର୍ଷର ରାଜନୈତିକ ଇତିହାସରେ ପୂର୍ଣ୍ଣଚ୍ଛେଦ ପଡ଼ି କଳା ଅଧ୍ୟାୟ ଆରମ୍ଭ ହୋଇଥିଲା। କାରଣ ଏହା ପୂର୍ବରୁ ବିଜେଡି କେବେବି ସଂସଦୀୟ ଇତିହାସରେ କୌଣସି ପ୍ରସଙ୍ଗରେ ଲୋକସଭା ହେଉ କି ରାଜ୍ୟସଭାର ଗୃହର ମଧ୍ୟ ଭାଗକୁ ଆସି ବିରୋଧ କରିବା ଦେଖାଯାଇନଥିଲା।

କେବଳ ସଂସଦ ନୁହେଁ, ବିଧାନସଭାରେ ମଧ୍ୟ ବିଜେଡି ଏବେ କଂଗ୍ରେସର ତାରାପ୍ରସାଦ ବାହିନୀପତିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଲାଗିଛି। କାରଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍‍ ଭାଙ୍ଗିବା କାମରେ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତିଙ୍କର ଏକଚାଟିଆ ଅଧିକାର ଥିଲା। କିନ୍ତୁ ବିଜେଡି ଶାସନ କ୍ଷମତାରୁ ହଟି ବିରୋଧୀ ଦଳ ଆସନରେ ବସିବା ପରଠାରୁ ସେ ପୂର୍ବରୁ ଯେଉଁ ନୈତିକତାର ଦ୍ୱାହି ଦେଉଥିଲା ତାହା ସମ୍ପୂର୍ଣ୍ଣ ଭୁଲି ଯାଇଛି।

ଚଳିତ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭରୁ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ବିଜେପି ସରକାରକୁ ବିରୋଧ କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍‍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଗତକାଲି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହରେ ଦେଖିବାକୁ ମିଳିଥିଲା ବିଜେଡି ବିଧାୟକମାନଙ୍କର ବିଶୃଙ୍ଖଳିତ ଚିତ୍ର। ଚିକିଟି ମଦ ମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେଡି ବିଧାୟକମାନେ କଂଗ୍ରେସ ସହିତ ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ। ପୋଡ଼ିୟମ ତଳେ ହଟ୍ଟଗୋଳ କରିବା ପରେ ସେମାନଙ୍କର ମନ ବୁଝିଲା ନାହିଁ । ଗୃହର ମର୍ଯାଦାକୁ ଦଳି ମକଚି ମହିଳା ବାଚସ୍ପତି ସୁରମା ପାଢ଼ୀଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ବିଜେଡିର ଦୁଇ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ମାଧବ ଧଡ଼ା ଉଦ୍ୟମ କରୁଥିଲେ। ତଳେ ଥିବା ବିଧାୟକମାନେ ତାଙ୍କୁ ଚଢ଼ିବାରେ ସାହାଯ୍ୟ କରୁଥିଲେ। ଜଣାପଡ଼ୁଥିଲା ଯେପରି ବିଜେଡି ବିଧାୟକମାନେ ବିଜେପିକୁ ବିରୋଧ କରୁନାହାନ୍ତି ବରଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସଂସଦ ଓ ବିଧାନସଭାରେ ବିଜେଡିର ଏହି ନୂଆ ଅବତାରକୁ ରାଜନୈତିକ ମହଲରେ ଗ୍ରହଣୀୟ ହୋଇପାରୁନାହିଁ। ସଚେତନ ମତଦାତାମାନଙ୍କ କହିବା ଅନୁସାରେ ବିଜେଡି ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଥିଲା ସେମାନେ ସଂସଦୀୟ ପରମ୍ପରାକୁ ସମ୍ମାନ ଦେଉଥିଲେ। କିନ୍ତୁ ଯେବେଠାରୁ ବିଜେଡି ଅନ୍ୟ ନେତାମାନଙ୍କ ଦ୍ୱାରା ପରିଚାଳିତ ହେଲାଣି ସେବେଠାରୁ ନିଜର ଇଜ୍ଜତକୁ ବାରଣ୍ଡା  ଦି’କଡ଼ା କରିସାରିଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି।

Also Read- ସହକର୍ମୀଙ୍କୁ ଗରମ ପାଣି ଫିଙ୍ଗି ନିଲମ୍ୱିତ ହେଲେ ହାବିଲଦାର

Also Read- Bijapur News: ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ନକ୍ସଲ